ଅନୁଗୁଳ: ଟ୍ରକ ଧକ୍କାରେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକ ଟ୍ରକ ଭଙ୍ଗାରୁଜା କରିବା ସହ ଡ୍ରାଇଭରକୁ ଅଟକ ରଖି ମାଡ଼ ମାରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଜରାସିଂହା ଉଚ୍ଚ ବିଦ୍ୟାଳୟରୁ ପରୀକ୍ଷା ଦେଇ ଜରାସିଂହା ଗାଁର ଅରୁଣ କୁମାର ସାହୁଙ୍କ ଝିଅ ଆଞ୍ଚଲ ସାହୁ ସାଇକେଲରେ ଫେରୁଥିବା ବେଳେ ତାଙ୍କୁ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଆଞ୍ଚଲଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି । ଏହା ସହ ଉତ୍ତ୍ୟକ୍ତ ଲୋକ ଛେଣ୍ଡିପଦା-ଅନୁଗୁଳ ରାସ୍ତାକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି । ତେବେ ଏହି ରାସ୍ତାରେ ଦିନ ବେଳା ଭାରି ଯାନ ପ୍ରବେଶ ଉପରେ କଟକଣା ଲାଗୁ ହୋଇଥିବା ବେଳେ ଟ୍ରକଟି କିଭଳି ଆସିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Popular Categories



