ଦାନଗଦି: ନାଳକୁ ଗାଧୋଇବାକୁ ଯାଇଥିବାବେଳେ ଏକ ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣେ ବୃଦ୍ଧଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାପଡ଼ିଛି। ସୋମବାର ମଧ୍ୟାହ୍ଣ ପ୍ରାୟ ସାଢ଼େ ୧୨ଟା ସମୟରେ ଏହି ଘଟଣା ଘଟିଛି। ଟମକା ବନ୍ୟାଞ୍ଚଳ ରେଞ୍ଜ ମହାଗିରି ପାହାଡ ତଳେ ଥିବା ଗଣ୍ଡାନାଳ ଚେକ ଡ୍ୟାମ ନିକଟରେ ଉପର ଟମକା ଅଞ୍ଚଳର କିଛି ଲୋକେ ଗାଧୋଉଥିଲେ। ଏହି ସମୟରେ ଜଙ୍ଗଲରୁ ପାଣି ପିଇବାକୁ ନାଳକୁ ଆସିଥିବା ବାରହାଟି ଲୋକ ମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ବାରହା ଆକ୍ରମଣରେ ଉପର ଟମକାର ଯୁବକ ମନୋଜ ଦାସ(୩୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଲୋକମାନେ ପାଟି କରି ବାରହା ଟିକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବାରହା ଲୋକମାନଙ୍କୁ ଗୋଡାଇ ଗୋଡାଇ କାମୁଡି ଥିଲା। ଏଥିରେ ମଙ୍ଗଲ ନାୟକ (୫୮) ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ କୁନ୍ତଳା ନାୟକ (୫୨) ଓ ମାଳତି ଦାସ (୩୫) ମଧ୍ୟ ଖଣ୍ଡିଆଖାବରା ହୋଇଥିଲେ। ବନ ବିଭାଗ ଓ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ସମସ୍ତଙ୍କୁ ଚିକିତ୍ସା ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ମଙ୍ଗଲ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି। ବନ ବିଭାଗ କର୍ମଚାରୀ ଟମକା ଅଞ୍ଚଳରେ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ମୁତୟନ ରହିଛନ୍ତି। ବାରହାଟି କେଉଁ କାରଣରୁ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରିଛି ସେ ନେଇ ଅନୁସନ୍ଧାନ ଆରମ୍ଭ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



