ନୂଆଦିଲ୍ଲୀ: ଆରବ ସାଗରେ ସୃଷ୍ଟି ହୋଇ ଗୁଜରାଟ ସ୍ଥଳଭାଗରେ ମାଡ଼ ହୋଇଥିବା ବାତ୍ୟା ତାଉ-ତେ ଅନେକ କ୍ଷୟକ୍ଷତି କରିବା ପରେ ଶେଷରେ ଦୁର୍ବଳ ହୋଇଛି। ଦକ୍ଷିଣ ରାଜସ୍ଥାନ ଏବଂ ଗୁଜରାଟ ସଂଲଗ୍ନ ଆଖପାଖ ଅଞ୍ଚଳରେ ବୁଧବାର ସକାଳେ ଏହା ଅବପାତ ରୂପ ନେଇଛି। ଏହା ପ୍ରଭାବରେ ଉତ୍ତର ଭାରତର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ବର୍ଷା ହୋଇପାରେ ବୋଲି ପଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ବାତ୍ୟା ଦୁର୍ବଳ ହେବା ପରେ ଯେଉଁ ଅବପାତ ରୂପ ନେଇଛି ତାହା ରାଜସ୍ଥାନର ଉଦୟପୁରଠାରୁ ୬୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଏବଂ ଗୁଜରାଟର ଦୀଶାଠାରୁ ୧୧୦ କିଲୋମିଟର ଦୂରରେ ଚିହ୍ନଟ ହୋଇଛି। ଏହା ଯୋଗୁ ବୁଧବାର ପୂର୍ବ ରାଜସ୍ଥାନର ଅଧିକାଂଶ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ବାତ୍ୟା ତାଉ-ତେ ଗୁଜରାଟରେ ସ୍ଥଳଭାଗ ଛୁଇଁବା ପରେ ଅନେକ କ୍ଷୟକ୍ଷତି କରିଥିଲା। ଗୁଜରାଟ ଅତିକ୍ରମ କରିବା ସମୟରେ ବାତ୍ୟା ଯୋଗୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ହଜାର ହଜାର ଗଛ ଉପୁଡ଼ି ପଡ଼ିବା ସହିତ ଅନେକ ଘରଦ୍ବାର ଭାଙ୍ଗିଯାଇଥଲା। ବହୁ ସଂଖ୍ୟରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଥିଲା। ଏହା ପୂର୍ବରୁ ତାଉ-ତେ ଯୋଗୁ କର୍ଣ୍ଣାଟକରେ ୪ ଜଣଙ୍କର ପ୍ରାଣହାନୀ ଘଟିଥିଲା।



