www.samajalive.in
Saturday, December 13, 2025
26.1 C
Bhubaneswar

ପୁରୀ ଜିଲାର ୮୮ ଗ୍ରାମକୁ ବାତ୍ୟା ବିପଦ

ପୁରୀ : ସମୁଦ୍ର ଏବଂ ଚିଲିକା ନିକଟରେ ଥିବା ଜିଲାର ୮୮ ଗ୍ରାମକୁ ବାତ୍ୟା ବିପଦ ଆଶଙ୍କା ରହିଛି। ତେଣୁ ସେସବୁ ଅଞ୍ଚଳର ୯୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ଜିଲା ପ୍ରଶାସନ ସ୍ଥିର କରିଛି। ଏଥିପାଇଁ ୧୧ଟି ବ୍ଳକର ବିଭିନ୍ନ ସ୍ଥାନରେ ୮୮୫ ଆଶ୍ରୟସ୍ଥଳ ପ୍ରସ୍ତୁତ କରି ରଖାଯାଇଛି। ପୁରୀ ଏବଂ କୋଣାର୍କ ସମେତ ପୁରୀ ସଦର, ଗୋପ, ଅସ୍ତରଙ୍ଗ ଏବଂ କାକଟପୁର ବ୍ଲକ ଅଧିକ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି। ଏନଡିଆରଏଫ ଏବଂ ଓଡ୍ରାଫ ଟିମ୍‌ ଏଠାରେ ଆସି ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ନିମନ୍ତେ ୬୦ଟି ଦଳ ଗଠନ କରାଯାଇଛି। ଜିଲା ପ୍ରଶାସନ ସମେତ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟରେ ୨୪ଘଣ୍ଟିଆ ନିୟନ୍ତ୍ରଣକକ୍ଷ ଖୋଲାଯାଇଛି। ବିଦ୍ୟୁତ ବିଚ୍ଛିନ୍ନ ସମୟରେ ପାନୀୟଜଳ ଯୋଗାଣ ନିମନ୍ତେ ୩୦ଗୋଟି ଜେନେରେଟର ପ୍ରସ୍ତୁତ କରି ରଖାଯାଇଛି। ଜିଲାର ସମସ୍ତ ଅଫିସର ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ଜିଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ୫ଟି ବ୍ଲକର ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ତଦାରଖ ନିମନ୍ତେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ପୁରୀ ବେଳାଭୂମିରୁ ପ୍ରାୟ ୫ଶହ ଉଠାଦୋକାନ ସ୍ଥାନାନ୍ତର କରାଯାଇଛି। ରାସ୍ତାରେ ଯଦି ଗଛ ଭାଙ୍ଗିପଡେ ତାହାକୁ କାଟି ସଫା କରିବା ପାଇଁ ପୂର୍ତ୍ତ, ଅଗ୍ନିଶମ, ପୁଲିସ ଏବଂ ଓଡ୍ରାଫ କର୍ମଚାରୀଙ୍କୁ ନେଇ ୧୪ଟି ଟିମ୍‌ ଗଠନ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚୂଡା, ଗୁଡ, ଦିଆସିଲ, ମହମବତୀ, ଚାଉଳ ଏବଂ ଡାଲି ମହଜୁଦ ରଖାଯାଇଛି। ପୁରୀ ପେଣ୍ଠକଟା ଏବଂ କୋଣାର୍କ ଚନ୍ଦ୍ରଭାଗା ମତ୍ସ୍ୟଜୀବୀ ବସ୍ତି ଉପରେ ପ୍ରଶାସନ ସତର୍କଦୃଷ୍ଟି ରଖିଛି। ସରକାରୀ ଡାକ୍ତରଖାନା ଗୁଡିକୁ ଦିନରାତି ଖୋଲା ରଖିବା ସହ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦେଶ ଦିଆଯାଇଛି। ଜିଲାର ପ୍ରାୟ ୧୫ଶହ ହେକ୍ଟର ଚାଷଜମିରେ ଧାନକଟା ଯାଇ ପାରିନଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯଥାଶୀଘ୍ର ଧାନକାଟି ବୋହିନେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ସୁନାମି ପ୍ରବଣ ଅଞ୍ଚଳ ଲୋକଙ୍କୁ ୧୯ତାରିଖ ସନ୍ଧ୍ୟାସୁଦ୍ଧା ସ୍ଥାନାନ୍ତର ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ପୌର ଅଧିକାରୀଙ୍କୁ କୁହାଯାଇଛି। ୫ଟି ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳ ଗୁଡିକରେ ସୋମବାର ସନ୍ଧ୍ୟାସୁଦ୍ଧା ବିଜୁଳି, ପାନୀୟଜଳ, ଶୌଚାଳୟ ବ୍ୟବସ୍ଥା କରାଯାଇଛି। ପୁରୀ ସହରରୁ ବର୍ଷାଜଳ ନିଷ୍କାସନ ପାଇଁ ପ୍ରସ୍ତୁତ ରହିବାକୁ ପୌରସଂସ୍ଥାକୁ ନିର୍ଦେଶ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକଙ୍କୁ ରନ୍ଧାଖାଦ୍ୟ ଦେବାପାଇଁ ବିଡ଼ିଓ ମାନଙ୍କୁ କୁହାଯାଇଛି। ଜିଲାପାଳ ବଲୱନ୍ତ ସିଂହ, ଏସ୍‌ପି ଡଃ ଉମାଶଙ୍କର ଦାଶ ଏବଂ ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ବିଶାଲ ସିଂହ ବିଭିନ୍ନ ଅଞ୍ଚଳକୁ ଯାଇ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories