ସୁନ୍ଦରଗଡ଼ : ଗୁରୁବାର ସନ୍ଧ୍ୟା ବେଳେ ଟାଉନ ଥାନା ଅନ୍ତର୍ଗତ ବାଇପାସସ୍ଥିତ ଆମ୍ବିଆନ୍ସ ହୋଟେଲ ପଛ ପଟ ବିଲରେ ଏକ ଛିଣ୍ଡା ହାତ ପଡ଼ିଥିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଖବର ପାଇ ଏସ.ପି ସାଗରିକା ନାଥଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ଅଧିକାରୀ ଓ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଛାନିଭିନ ଆରମ୍ଭ କରିଛନ୍ତି ହେଲେ ଏ ଛିଣ୍ଡା ହାତ କାହାର ଏହା କେହି ସ୍ପଷ୍ଟ ଭାବେ କହି ପାରୁନଥିବା ବେଳେ ଗତକାଲିଠାରୁ ନିଖୋଜ ଥିବା ଜୈନିକ ଯୁବକର ଏ ହାତଟି ବୋଲି କୁଆଡ଼େ ଚିହ୍ନଟ ହୋଇଥିବାର ଜଣାପଡ଼ିଛି।
ଏ ସଂପର୍କରେ ପୁଲିସ କିଛି ସ୍ପଷ୍ଟ କରିନଥିଲେ ମଧ୍ୟ କୁକୁରଟିଏ ଏହି ହାତକୁ ଟଣାଓଟରା କରିଥିବାର କେତେକ ଲୋକ ଚର୍ଚ୍ଚା କରୁଥିବା ବେଳେ ଆଉ କେତେକ ଅନ୍ୟ ସ୍ଥାନରୁ କୁକୁରଟି ଏଠାରେ ଆଣି ଏ ହାତଟିକୁ ପକାଇଥିବାର ଚର୍ଚ୍ଚା କରୁଛନ୍ତି। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ, ଗତକାଲି ରାତିରୁ ସ୍ଥାନୀୟ ଅଞ୍ଚଳରୁ ଜନୈକ ଯୁବକ ନିଖୋଜ ହେବା ଘଟଣା ପରିବାର ପକ୍ଷରୁ ଆଜି ଟାଉନ ଥାନାରେ ରିପୋର୍ଟ ହୋଇଥିଲା। ଟାଉନ ଥାନା ଅଧିକାରୀ ବିଭତ୍ସ ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀମାନେ ଆଖପାଖ ଅଞ୍ଚଳରେ ପଚରାଉଚୁରା କରିବା ସହ ତଲାସି ଅଭିଯାନ ଆରମ୍ଭ କରିଛନ୍ତି।



