କଟକ: ରାସ୍ତାରେ ବୁଲିବେନି ଗୋରୁ ଓ ମାଳମାଳ କୁକୁର। ଯେଉଁଠୁ ଅଭିଯୋଗ ଆସିବ ସ୍ବତନ୍ତ୍ର ଗାଡ଼ି ଆସି ସେମାନଙ୍କୁ ଧରିନେବ। ଏପରି ଏକ ବଡ଼ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି କଟକ ମହାନଗର ନିଗମ (ସିଏମ୍ସି)। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ବୁଲା ଗୋରୁ ଓ କୁକୁରଙ୍କ ନିମନ୍ତେ ଟାଙ୍ଗୀରେ ନିର୍ମାଣ ହେବ ସ୍ବତନ୍ତ୍ର କରିଡର। ଏଥିଲାଗି ୨୫ ଏକର ଜମି ଚିହ୍ନଟ ହୋଇଥିବା ବେଳେ ଖୁବ୍ଶୀଘ୍ର ସମୀକ୍ଷା କରାଯାଇ ପ୍ରକଳ୍ପକୁ ତ୍ବରାନ୍ବିତ କରାଯିବ। ଫଳରେ ସହରରେ ବୁଲା ଗୋରୁ ଓ କୁକୁରଙ୍କୁ ନେଇ ଉପୁଜିଥିବା ସମସ୍ୟା ଦୂର ହେବା ନେଇ ଆଶା ସୃଷ୍ଟି ହୋଇଛି।
ସହର ରାସ୍ତାରେ ମାଳମାଳ ଗୋରୁ, କୁକୁର ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ଗୋରୁଗାଈ ରାସ୍ତା ଅବରୋଧ କରି ରଖୁଛନ୍ତି। ଏହା ଦ୍ବାରା ଦୈନିକ ଲୋକ ଦୁର୍ଘଟଣାର ଶିକାର ହୋଇ ଆହତ ହେଉଛନ୍ତି। ବିଶେଷ କରି ରାତି ସମୟରେ
ରାସ୍ତାରେ ଗୋରୁଗାଈଙ୍କ ରାଜୁତି ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ଭାରୀଯାନ ଧକ୍କାରେ ଗୋରୁମାନେ ମଧ୍ୟ ରାସ୍ତାରେ ଆହତ ହୋଇ ପଡ଼ୁଥିବା ଦେଖିବାକୁ ମିଳୁଛି। ସହରରେ ବହୁ ଲୋକେ ଗୋପାଳନ କରୁଛନ୍ତି। ମାତ୍ର ଅଧିକାଂଶ ଲୋକ ଗୋରୁକୁ ଘରେ ନ ବାନ୍ଧି ଖୋଲାରେ ଛାଡ଼ି ଦେଉଛନ୍ତି। ସେମାନେ ସକାଳେ ଓ ସନ୍ଧ୍ୟାରେ କ୍ଷୀର ଦୁହିଁ ସାରିବା ପରେ ବାହାରେ ଗାଈ ଓ ବାଛୁରୀ ଛାଡ଼ି ଦେଉଥିବା ଦେଖିବାକୁ ମିଳିଛି। ଫଳରେ ରାସ୍ତାରେ ଗୋରୁଗାଈ ବୁଲିବା ଦ୍ବାରା ଦୁର୍ଘଟଣାର ମାତ୍ରା ବଢ଼ିବାରେ ଲାଗିଛି। କିଛିମାସ ହେବ ସହରରେ ବୁଲାଗୋରୁଙ୍କ ସଂଖ୍ୟା ବହୁ ଗୁଣ ହୋଇଥିବା ପରି ପରିଲକ୍ଷିତ ହେଉଛି। ରିଂ ବନ୍ଧ, ଦୋଳମୁଣ୍ଡାଇ ବିଡ଼ାନାସୀ ସମେତ ବିଭିନ୍ନ ସ୍ଥାନରେ ମାଳମାଳ ଗୋରୁ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି। ସିଏମ୍ସି ଅଧୀନରେ କାଞ୍ଜିଆହୁଦା ରହିଥିଲେ ମଧ୍ୟ ଏହାର ସଠିକ ଉପଯୋଗ ହୋଇପାରୁ ନାହିଁ। ଯାହାକୁ ନେଇ ସିଏମ୍ସି ନିକଟରେ ବହୁବାର ଅଭିଯୋଗ ହୋଇ ଆସୁଛି।
ସେହିପରି ସହରରେ କୁକୁରଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି। ଛକ ଛକରେ ଶତାଧିକ କୁକୁର ରାସ୍ତା ଉପରେ ବୁଲୁଛନ୍ତି। ରାତି ହେଲେ କୁକୁରଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପଡ଼ୁଛି। ପ୍ରତିଦିନ ବହୁ ଯାତ୍ରୀ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ଏପରି କି କୁକୁର ଗୋଡ଼ାଇବା କିମ୍ବା ଧକ୍କାରେ ପଡ଼ି କ୍ଷତାକ୍ତ ହେଉଛନ୍ତି। ମହାନଗର ନିଗମର କୁକୁର ବନ୍ଧ୍ୟାକରଣ ଯୋଜନା ଏକ ପ୍ରକାର ବିଫଳ ହୋଇଛି। ନିଗମରେ କର୍ମଚାରୀ ତଥା ଧରାଳି, ଗାଡ଼ି ଅଭାବରୁ କୁକୁର ଉପରେ ନିୟନ୍ତ୍ରଣ ଆସିପାରୁ ନଥିଲା। କିଛି ମାସ ହେବ ରାସ୍ତାଘାଟରେ କୁକୁର ଓ ବୁଲା ଗୋରୁଙ୍କୁ ନେଇ ସହରବାସୀ ଅତିଷ୍ଠ ହୋଇପଡ଼ିଥିଲେ। ଏ ସଂକ୍ରାନ୍ତରେ ମହାନଗର ନିଗମରେ ଅଭିଯୋଗର ଫର୍ଦ ଲମ୍ବିବାରେ ଲାଗିଥିଲା। ଏହାକୁ ଦୃଷ୍ଟିରେ ରଖି ସିଏମ୍ସି ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯାଇଛି। ସ୍ବତନ୍ତ୍ର କରିଡର ନିର୍ମାଣ କରାଯାଇ ବୁଲାଗୋରୁ ଓ କୁକୁରକୁ ନିୟନ୍ତ୍ରଣ କରିବାକୁ ସିଏମ୍ସି ଏକ ବୃହତ ଯୋଜନା ପ୍ରସ୍ତୁତ କରିଛି। ଟାଙ୍ଗୀ ଅଞ୍ଚଳରେ ଏହି କରିଡର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏକ ଘରୋଇ ସଂସ୍ଥା ସହଭାଗିତାରେ ଏହି କରିଡର ପରିଚାଳିତ ହେବ। ଏଥିଲାଗି ୨୫ ଏକର ଜମିରେ ସ୍ବତନ୍ତ୍ର କରିଡର ରହିଛି। ଯେଉଁଠି ୧୦ ଏକର ଜମିରେ ବୁଲା ଗାଈଗୋରୁଙ୍କୁ ରଖାଯିବ ଏବଂ ଆଉ ୧୦ ଏକର ଜମିରେ ସେମାନଙ୍କ ଲାଗି ଘାସ ଚାଷ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ରହିବ। ଆଉ ପ୍ରାୟ ୫ ଏକର ଜମିରେ କୁକୁରଙ୍କୁ ରଖାଯିବ। ଖାଦ୍ୟପେୟ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଚିକିତ୍ସା ବ୍ୟବସ୍ଥା ସେଠାରେ ରହିବ। କୁକୁରଙ୍କୁ ନିୟମିତ ବ୍ୟବଧାନରେ ବନ୍ଧ୍ୟାକରଣ କରାଯିବାର ଯୋଜନା ରହିଛି। ଏହାଦ୍ବାରା ସହର ବୁଲାଗୋରୁ ଓ ମାଳମାଳ କୁକୁର ମୁକ୍ତ ହୋଇପାରିବ। ଏଥିସହ ଗୋପାଳନ କରୁଥିବା ମାଲିକମାନେ ଯଦି ସେମାନଙ୍କ ଗାଈ ବାଛୁରୀକୁ ଖୋଲାରେ ରାସ୍ତାରେ ଛାଡ଼ିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାସ୍ତାରେ ବୁଲୁଥିବା ଗାଈ ବାଛୁରୀ କରିଡରକୁ ପଠାଯିବ। ସେଠାରୁ ଯଦି ମାଲିକମାନେ ଯାଇ ଗୋରୁ ଆଣିବାକୁ ଚାହିଁବେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଯଥାଶୀଘ୍ର ସିଏମ୍ସିର ଅଧିକାରୀ ସ୍ତରୀୟ ଏକ ପ୍ରତିନିଧି ମଣ୍ଡଳୀ ଟାଙ୍ଗୀ ଗସ୍ତ କରି ପ୍ରକଳ୍ପର ସମୀକ୍ଷା କରିବା ନେଇ ସୂଚନା ମିଳିଛି। ଏହି ବୃହତ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବୁଲା ଗୋରୁ ଓ କୁକୁର ଦାଉରୁ ରକ୍ଷା ମିଳିବା ସହ ଦୁର୍ଘଟଣା ହ୍ରାସ ପାଇବା ନେଇ ଆଶା ସଞ୍ଚାର ହୋଇଛି।



