www.samajalive.in
Tuesday, December 9, 2025
23.1 C
Bhubaneswar

ଉତ୍ତର ଖସିଲା; ଦକ୍ଷିଣ ଟଳମଳ: ଲଘୁଚାପ ସକ୍ରିୟ, ୩ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଲଘୁଚାପ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାବେଳେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ଲାଗି ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ଆସନ୍ତା ୩ଦିନ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବାବେଳେ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ଏବଂ ସୁବର୍ଣ୍ଣରେଖା ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ତଳିଆ ଅଞ୍ଚଳରୁ ବନ୍ୟାପାଣି ଛାଡ଼ିବାକୁ ସମୟ ଲାଗିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି।

ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ଗତକାଲି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ଗଞ୍ଜାମ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଛି।
ଗତ ୨୪ଘଣ୍ଟା ମଧ୍ୟରେ ଲଘୁଚାପ ପ୍ରଭାବରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ଅନୁଗୋଳ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। କୋରାପୁଟ ଜିଲାରେ ଦିନକରେ ସର୍ବମୋଟ ୧୬୧୮ମି.ମି. ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଜିଲାର ବୈପାରୀଗୁଡ଼ାରେ ସର୍ବାଧିକ ୩୦୬ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଜୟପୁରରେ ୧୮୬ମି.ମି., ବୋରିଗୁମ୍ମାରେ ୧୫୫.୮, କୋଟପାଡ଼ ୧୫୯, ନନ୍ଦପୁର ୧୨୫, କୁନ୍ଦ୍ରା ୧୨୨.୬, ଲମତାପୁଟ ୧୨୩, କୋରାପୁଟ ୧୧୮.୪, ସେମିଳିଗୁଡ଼ା ୧୦୮, ଲକ୍ଷ୍ମୀପୁର ୬୧.୪, ଦଶମନ୍ତପୁର ୬୮.୮, ପଟ୍ଟାଙ୍ଗି ୬୫.୪ ଏବଂ ବନ୍ଧୁଗାଁରେ ୨ମି.ମି.ବର୍ଷା ହୋଇଛି। ମାଲକାନଗିରିରେ ୯୦.୬ମି.ମି. ବର୍ଷା ହୋଇଥିବାବେଳେ ଜିଲାର କୋରୁକୁଣ୍ଡାରେ ୭୪ମି.ମି. ରେକର୍ଡ ହୋଇଛି। କୋରାପୁଟ ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। କୋଲାବରେ ୬୦ପ୍ରତିଶତ ଜଳ ରହିଥିବା ବେଳେ ଏହାର ଅବବାହିକାରେ ୧୯୫.୭ମି.ମି. ବର୍ଷା ହୋଇଛି। ଇନ୍ଦ୍ରାବତୀରେ ୫୪ପ୍ରତିଶତ ଜଳ ରହିଛି। ଋଷିକୂଲ୍ୟା, ନାଗାବଳୀ ଏବଂ ବଂଶଧାରା ଅବବାହିକାରେ ବର୍ଷା ହୋଇଛି।

- Advertisement -

ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ଆଖୁଆପଦାରେ ବୈତରଣୀର ବିପଦସଙ୍କେତ ୧୮.୩୩ ମିଟର ଥିବାବେଳେ ୧୭.୪୨ମିଟରରେ ଜଳ ପ୍ରବାହିତ ହେଉଛି। ଆନନ୍ଦପୁରରେ ମଧ୍ୟରାତି ସୁଦ୍ଧା ଜଳସ୍ତର ନିମ୍ନଗାମୀ ହେବାର ସମ୍ଭାବନା ରହିଛି। ଜାମଶୋଳାଘାଟରେ ସୁବର୍ଣ୍ଣରେଖାର ବିପଦସଙ୍କେତ ୪୯.୧୩ ମିଟର ଥିବାବେଳେ ୪୭.୨୨ ମିଟରରେ ଜଳ ପ୍ରବାହିତ ହେଉଥିଲା। ଏଠାରେ ବି ବନ୍ୟାଜଳ ଖସୁଛି। ରାଜଘାଟରେ ସୁବର୍ଣ୍ଣରେଖା ଜଳସ୍ତର ନିମ୍ନଗାମୀ ରହିଛି। ଜେନାପୁରରେ ଜଳସ୍ତର ଖସୁଥିବାବେଳେ ଇନ୍ଦୁପୁରରେ ବଢ଼ୁଛି। ବ୍ରାହ୍ମଣୀ ବଢ଼ୁଥିବାରୁ କେନ୍ଦ୍ରାପଡ଼ା ଜିଲାର କିଛି ତଳିଆ ଅଞ୍ଚଳରେ ବନ୍ୟାପାଣି ପଶିବାର ସମ୍ଭାବନା ରହିଛି।

ହୀରାକୁଦ ଜଳଭଣ୍ଡାରରେ ଜଳ ସଂରକ୍ଷଣ କ୍ଷମତା ୬୩୦ଫୁଟ୍‌ ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୬୨୨.୧୦ଫୁଟ୍‌ ରହିଥିଲା। ମହାନଦୀର ଉପରମୁଣ୍ଡରୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୯ ହଜାର ୧୮୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ଦୁଇଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲ ଦେଇ ପ୍ରତି ସେକେଣ୍ଡରେ ୯୮ ହଜାର ୧୩୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳିରେ ପ୍ରତି ସେକେଣ୍ଡରେ ୩ଲକ୍ଷ ୩୧ ହଜାର ୯୬୩ କ୍ୟୁସେକ୍ ଜଳ ପ୍ରବାହ କରୁଥିବାବେଳେ ବରମୂଳରେ ୨ଲକ୍ଷ ୨୭ ହଜାର ୫୦୦ କ୍ୟୁସେକ୍ ଏବଂ ଖଇରମାଳରେ ୧ ଲକ୍ଷ ୬୨ ହଜାର କ୍ୟୁସେକ୍ ଜଳ ପ୍ରବାହ କରୁଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ଖୋଲାଥିବା ୪ଟି ଫାଟକରୁ ଦୁଇଟି ଫାଟକ ବନ୍ଦ କରାଯାଇଥିଲା। ହୀରାକୁଦର ଦୁଇଟି ଫାଟକ ଖୋଲା ରହିଛି। ରେଙ୍ଗାଲିରେ ପ୍ରତି ସେକେଣ୍ଡରେ ୩ ହଜାର ୩୦.୬୧ କ୍ୟୁସେକ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଥିବାବେଳେ ଦୁଇଟି ଫାଟକ ଦେଇ ୩ ହଜାର ୬୨୮.୭୬କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। କାଣୀ ନଈରେ ଘାଇ ଭାଙ୍ଗିବାରୁ ଯାଜପୁର ଦଶରଥପୁର ପ୍ରଭାବିତ ହୋଇଛି। ପାଣି କମିବା ପରେ ମରାମତି ହେବ। ପରିସ୍ଥିତି ଉପରେ ନଜର ରଖିବା ପାଇଁ ରାତ୍ରିକାଳୀନ ପାଟ୍ରୋଲିଂ ଜାରି ରହିଥିବା ଜଳସମମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଏବଂ ବରଗଡ଼ ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।

 

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories