www.samajalive.in
Tuesday, December 9, 2025
16.1 C
Bhubaneswar

ପୂଜା ପୂର୍ବରୁ ଫୁଟିଲା ଗୁଳି : ବକେୟା ଟଙ୍କା ମାଗିବାରୁ ବ୍ୟବସାୟୀଙ୍କୁ ହତ୍ୟା

କଟକ : କଟକ ପୁରୀଘାଟ ଥାନା ଅନ୍ତର୍ଗତ ପିଠାପୁର କୋଠାସାହି ଲେନ୍‍ରେ ଜଣେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ରବିବାର ଅପରାହ୍ଣରେ ବକେୟା ଟଙ୍କା ମାଗିବାକୁ ଯାଇଥିବା ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରକୁ ସେହି ସାହିର ଅଜିତ୍‍ ଜେନା ନାମକ ଜଣେ ଯୁବକ ଗୁଳିଚଳାଇଥିଲେ। ଘଟଣାସ୍ଥଳରେ ହିଁ ବ୍ୟବସାୟୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପୁଲିସ୍‍ ପହଞ୍ଚିବା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପାର୍ବଣ ସମୟରେ ସହରରେ ଗୁଳିକାଣ୍ଡ ଘଟିବା ପୁଲିସ୍‍ ପାଇଁ ଆହ୍ୱାନ ସୃଷ୍ଟି କରିଛି।


ପୁଲିସ୍‍ ସୂଚନା ଅନୁଯାୟୀ, ପୁରୀଘାଟ ଥାନା ଭଗତପୁର ଅଞ୍ଚଳରେ ଦିଲ୍ଲୀପ କୁମାର ସାହୁ (୪୨)ଙ୍କ ଘର। ମାଲ୍‍ଗୋଦାମରେ ସେ ଅଟା ଓ ହଳଦୀଗୁଣ୍ଡ ବ୍ୟବସାୟ କରନ୍ତି। ତାଙ୍କଠାରୁ ପିଠାପୁର କୋଠାସାହି ଲେନ୍‍ରେ ରହୁଥିବା ଅଜିତ୍‍ ଜେନା (୩୨)୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସୁଧ ଆକାରରେ ନେଇଥିଲା। ଅଜିତ୍‍ ପାରାଦ୍ୱୀପ ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି। ଦିଲ୍ଲୀପଙ୍କଠାରୁ ସୁଧରେ ଏହି ଟଙ୍କା ଆଣି ସେ ଏକ ଚିଟ୍‍ଫଣ୍ଡ ସଂସ୍ଥାରେ ଲଗାଇ ଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଦିଲ୍ଲୀପ ଟଙ୍କା ମାଗିବାରୁ ସେ ଫେରସ୍ତ ନ କରି ଆଜି ଦେବି କାଲି ଦେବି କହି ସମୟ ଗଡ଼ାଇ ଚାଲିଥିଲେ। ଏହିପରି ଭାବେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଅଜିତ୍‍ ଦିଲ୍ଲୀପଙ୍କୁ ଉଧାର ଟଙ୍କା ଫେରାଇ ନ ଥିଲେ। ଏହାକୁ ନେଇ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ସବୁଦିନ ପରି ଆଜି ସକାଳେ ଦିଲ୍ଲୀପ ମାଲଗୋଦାମସ୍ଥିତ ତାଙ୍କ ଗୋଦାମକୁ ଯାଇଥିଲେ। ଅପରାହ୍ଣ ପ୍ରାୟ ୩ଟାରେ ଖାଇବା ପାଇଁ ବାଇକ୍‍ରେ ସେ ଘରକୁ ଫେରୁଥିବା ବେଳେ କୌଣସି ସୂତ୍ରରୁ ଅଜିତ୍‍ ଘରେ ଥିବା ଖବର ପାଇଥିଲେ। ଏଣୁ ସେ ବାଇକ୍‍ ବାହାରେ ରଖି ଅଜିତ୍‍ଙ୍କ ଘର ଭିତରକୁ ଯାଇଥିଲେ। ଉଧାର ଟଙ୍କା ମାଗିବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଓ ହାତାହାତି ହୋଇଥିଲା। ଏଭଳି ଚାଲିଥିବାବେଳେ ହଠାତ୍‍ ଅଜିତ୍‍ ଉତ୍‍କ୍ଷିପ୍ତ ହୋଇ ଘରେ ରଖିଥିବା ଏକ ବନ୍ଧୁକ କାଢି ଆଣି ଦିଲ୍ଲୀପଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ପ୍ରତ୍ୟକ୍ଷଦଶୀଙ୍କ କହିବାନୁଯାୟୀ, ଦୁଇଟି ଗୁଳି ଦିଲ୍ଲୀପଙ୍କ ମୁଣ୍ଡ ଓ ଦେହରେ ବାଜିଥିଲା ଓ ଅନ୍ୟ ଦୁଇଟି ଗୁଳି ତଳେ ଖସି ପଡ଼ିଥିଲା। ଦିଲ୍ଲୀପଙ୍କ ମୁଣ୍ଡରେ ଗୁଳି ଭେଦ କରିବାରୁ ଅଜିତ୍‍ଙ୍କ ଘର ସମ୍ମୁଖରେ ସେ ଟଳି ପଡିଥିଲେ। ଗୁଳି ଫୁଟିବାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ବାହାରକୁ ବାହାରି ଆସିଥିଲେ। ଘଟଣା ସଂକ୍ରାନ୍ତରେ ସେମାନେ ପୁରୀଘାଟ ଥାନାକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ସାଇଣ୍ଟିଫିକ୍‍ ଟିମ୍‍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେଠାରୁ ଦିଲ୍ଲୀପଙ୍କ ଏକ ବାଇକ, ମୋବାଇଲ ଫୋନ, ଘଡ଼ି, ରକ୍ତ ଭିଜା ମାଟି, ୨ଟି ଖୋକା ଓ ୨ଟି ଜୀବନ୍ତ ଗୁଳି ପୁଲିସ୍‍ ଜବତ କରିଛି। ତେବେ ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ପୁଲିସ୍‍ ଜବତ କରି ନାହିଁ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories