କଟକ : ନର ସେବା ହିଁ ନାରାୟଣ ସେବା। ଦୁଃସ୍ଥ ଓ ଅସହାୟ ମଣିଷଙ୍କ ସେବାରେ ଯେଉଁ ଆତ୍ମତୃପ୍ତି ମିଳିଥାଏ, ତାହା ଅନ୍ୟ କୌଣସି ସେବାରେ ମିଳେନି। ଏହାକୁ କିଏ ହୃଦୟଙ୍ଗମ କରୁକି ନ କରୁ ଓଜସ୍ୱିନୀ କିନ୍ତୁ ଠିକ୍ଭାବେ ତାହା ଅନୁଭବ କରିଛନ୍ତି। ନିଜେ କର୍କଟରୁ ସମ୍ପୂର୍ଣ୍ଣ ଭଲ ହୋଇ ନ ଥିଲେ ବି ନିଜକୁ ଗରିବ, ଅସହାୟ ଓ ଦୁଃସ୍ଥରୋଗୀଙ୍କ ସେବାରେ ସମର୍ପି ଦେଇଛନ୍ତି। ସକାଳରୁ ସଞ୍ଜ ପର୍ଯ୍ୟନ୍ତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରଠାରୁ ଏସସିବିରେ ରୋଗୀଙ୍କ ସେବାରେ ଓଜସ୍ୱିନୀଙ୍କ ସମୟ କଟୁଛି।
ଓଜସ୍ୱିନୀ ବିଶୋଇ। ବୟସ ୩୫। ଘର ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଦେଗିସଲପା ଗ୍ରାମରେ। ୫ଭଉଣୀରେ ଗୋଟିଏ ଭାଇ। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିଲା। ବାପାମା’ ସକ୍ଷମ ମୁତାବକ ତାଙ୍କୁ ପାଠ ପଢାଇଲେ। ଯୁକ୍ତ ଦୁଇ ପାସ ପରେ ନିଜ ଗୋଡରେ ଠିଆହେବାକୁ ମନରେ ଆଶାବାନ୍ଧିଥିଲେ ଓଜସ୍ୱିନୀ। ଘର ଛାଡି ମାଲିଗୁଡ଼ାସ୍ଥିତ ଶ୍ରୀ ମା’ଙ୍କ ଆଶ୍ରମକୁ ଚାଲିଗଲେ। ସେଠାରେ ପିଲାଙ୍କୁ ହିନ୍ଦୀ ପଢାଇବା ସହିତ ନାଚ, ଗୀତ ବି ଶିଖାଇଲେ। ପିଲାଙ୍କ ଗହଣରେ ବେଶ୍ ଭଲରେ ଦିନ କଟୁଥିଲା ତାଙ୍କର। ବିବାହ କରିବାକୁ ବାପାମା’ କହୁଥିଲେ ମଧ୍ୟ ସେ ସମୟ ଗଡେଇ ଚାଲିଥିଲେ। ହସ ଖୁସିରେ ଆଶ୍ରମରେ ୱଜସ୍ୱିନୀଙ୍କ ସମୟ କଟିଯାଉଥିଲା। ମନରେ ଅସୁମାରି ସ୍ୱପ୍ନ ଥିଲା। ଜଣେ ଭଲ ଶିକ୍ଷୟିତ୍ରୀ ହେବେ। ଗାଁ ପିଲାଙ୍କୁ ପାଠ ପଢାଇ ଶିକ୍ଷିତ କରିବେ, ବିଧିର ବିଧାନ କିନ୍ତୁ ବଡ ବିଚିତ୍ର। ହଠାତ୍ ତାଙ୍କର ଦେହ ଅସୁସ୍ଥ ହୋଇପଡିଲା। ପ୍ରାଥମିକ ଚିକିତ୍ସା ପରେ ସେ ସ୍ତନକର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଲା। ଚିକିତ୍ସା ପାଇଁ ଆସିଲେ କଟକର ଆଚାର୍ଯ୍ୟ ହରିହର କର୍କଟକେନ୍ଦ୍ରକୁ; ହେଲେ ଚିକିତ୍ସା ପାଇବେ କଣ ତାଙ୍କୁ ସମସ୍ତେ ଦୂରଦୂର ମାର୍ ମାର୍ କଲେ। ଏମିତିକି କେନ୍ଦ୍ରରେ ତାଙ୍କୁ ଚିକିତ୍ସା ନ କରି ଘରକୁ ଫେରିଯିବାକୁ କେତେକ ଡାକ୍ତର ପରାମର୍ଶ ଦେଲେ। ଦେହରେ ରୋଗ ନେଇଘରକୁ କିପରି ଯିବେ? ବାପାମା’ଙ୍କୁ କଣ କହିବେ? ଏମିତି ଅସହାୟ ଅବସ୍ଥାରେ ମେଡିକାଲରେ ଘୂରି ବୁଲୁଥିବାବେଳେ ସ୍ୱେଚ୍ଛାସେବୀ ବିଭୂତି ରାୟଙ୍କ ସହିତ ତାଙ୍କର ଦେଖାହେଲା। ଓଜସ୍ୱିନୀଙ୍କ ଦୁଃଖ ଶୁଣିବା ପରେ ବିଭୂତି ସହାୟତାର ହାତବଢାଇଥିଲେ। ବିଭୂତିଙ୍କ ସହାୟତାରେ କର୍କଟକେନ୍ଦ୍ରରେ ତାଙ୍କର ଚିକିତ୍ସା ଆରମ୍ଭ ହେଲା। ଅସ୍ତ୍ରୋପଚାର ହେଲା। କେମୋ ନେଲେ। ଏବେ ସେ ସୁସ୍ଥ ଅଛନ୍ତି ବୋଲି ଚିକିତ୍ସା କରୁଥିବା ଡାକ୍ତର ଓଜସ୍ୱିନୀଙ୍କୁ କହିଛନ୍ତି। ଭଲ ହେବା ପରେ ଆଉ ଆଶ୍ରମ କି ଘରକୁ ଫେରିବାକୁ ଚାହିଁଲେନି ଓଜସ୍ୱିନୀ। ସେ ନିଜେ ଯେଉଁ ଦୁଃଖକଷ୍ଟ ଭୋଗିଛନ୍ତି, ମେଡିକାଲକୁ ଆସୁଥିବା ଅସହାୟ ରୋଗୀ ତାଙ୍କ ପରି ସେ ଦୁଃଖକଷ୍ଟ ଆଉ କେହି ନ ଭୋଗନ୍ତୁ। ସେଥିପାଇଁ ବର୍ତ୍ତମାନ କର୍କଟକେନ୍ଦ୍ର ପାଲଟିଛି ତାଙ୍କର ପରିଚୟ। ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍କଟ କେନ୍ଦ୍ରଠାରୁ ଆରମ୍ଭ କରି ଏସ୍ସିବି ମେଡିକାଲରେ ଘୂରି ବୁଲୁଛନ୍ତି ଓଜସ୍ୱିନୀ। କାହାର ରକ୍ତ ଦରକାର, କାହାର ରକ୍ତ ନମୁନା ପରୀକ୍ଷା ହେବ, କିଏ ସିଟି ସ୍କାନ କେନ୍ଦ୍ରକୁ ଯିବ- ଏମିତି ଚିକିତ୍ସା ପାଇଁ ଆସୁଥିବା ଗରିବ ରୋଗୀଙ୍କୁ ସହାୟତାର ହାତବଢାଇ ଚାଲିଛନ୍ତି ଓଜସ୍ୱିନୀ। ପ୍ରାୟ ଏକ ବର୍ଷ ହେଲା କର୍କଟ କେନ୍ଦ୍ରରେ ରହି ଗରିବ ରୋଗୀଙ୍କ ନିରବଚ୍ଛିନ୍ନ ସେବା କରିଚାଲିଛନ୍ତି ସେ। ମେଡିକାଲରେ ସକାଳରୁ ସଞ୍ଜ ପର୍ଯ୍ୟନ୍ତ ବୁଲୁଛନ୍ତି। ରାତିରେ ମେଡିକାଲ ବାରଣ୍ଡା ନ ହେଲେ ଧର୍ମଶାଳା ପାଲଟୁଛି ତାଙ୍କ ଆଶ୍ରୟସ୍ଥଳ। ଆହାର କେନ୍ଦ୍ରରେ ଖାଉଛନ୍ତି। ଘର ଛାଡି ଆସିଥିଲେ ବି କେବେ ମନରେ ଟିକିଏ ଦୁଃଖ କି ଅନୁଶୋଚନା ନାହିଁ ତାଙ୍କର। ବହୁ ଗରିବ ଅସହାୟ ରୋଗୀ ମେଡିକାଲକୁ ଆସୁଛନ୍ତି; କିନ୍ତୁ ଡାକ୍ତରଖାନାରେ ସେମାନଙ୍କୁ ସଠିକଭାବେ ସହାୟତା ପ୍ରଦାନ କରାଯାଉ ନାହିଁ। ଏମିତିକି ଅନେକ ରୋଗୀ କେଉଁଠି ଚିକିତ୍ସା ହେବେ ତାହା ଜାଣିପାରୁନାହାନ୍ତି। ସେମାନଙ୍କୁ ସହାୟତା କରି ବହୁତ ଆନନ୍ଦ ମିଳୁଛି। ବଞ୍ଚିଥିବା ପର୍ଯ୍ୟନ୍ତ ରୋଗୀ ସେବା କରୁଥିବି ବୋଲି କହନ୍ତି ଓଜସ୍ୱିନୀ।



