ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ରାଉରକେଲା ଗସ୍ତ: ନିର୍ମାଣାଧୀନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ

ରାଉରକେଲା, : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌ ରାଉରକେଲା ଗସ୍ତରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସହିତ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଉଚ୍ଚ ସଚିବସ୍ତରୀୟ ଟିମ୍‌ରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ସଚିବ ଆର୍‌ ଭିନିଲକ୍ରୀଷ୍ଣା ଏବଂ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭୁପିନ୍ଦର ସିଂ ପୁନିଆ ରାଉରକେଲା ଆସିଥିଲେ ।

ଏହି ଉଚ୍ଚ ସଚିବସ୍ତରୀୟ ଟିମ୍‌ ରାଉରକେଲାରେ ପହଁଚି ପ୍ରଥମେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ । ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବା ପାଇଁ ଏହି ଟିମ୍‌ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୩ ପୁରୁଷ ହକି ବିଶ୍ୱକପ୍‌ର ଆୟୋଜକ ରହିଛି ଓଡ଼ିଶା । ଏହି ବିଶ୍ୱକପ୍‌ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ହେଉଥିବା ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ଆୟୋଜନ କରାଯିବ ।

ଏହି କ୍ରୀଡ଼ା ଭିତ୍ତିଭୂମି ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମର ରୂପ ନେବାକୁ ଯାଉଛି । ଏଠାରେ ଅନ୍ତର୍ଜାତୀୟ ହକି ଫେଡେରେସନ ମାନର ଆଷ୍ଟ୍ରୋଟର୍ଫ ପଡ଼ିଆ ନିର୍ମାଣ କରାଯାଉଛି । ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ । ତା’ଛଡ଼ା ଖେଳାଳିଙ୍କ ପାଇଁ ଅଭ୍ୟାସ ପଡ଼ିଆ, ଅତ୍ୟାଧୁନିକ ଫିଟନେସ୍‌ ସେଂଟର ସହିତ ରାତିରେ ମ୍ୟାଚ୍‌ ଖେଳିବା ପାଇଁ ଆଧୁନିକ ସ୍ପୋର୍ଟସ୍‌ ଲାଇଟ୍‌ର ବ୍ୟବସ୍ଥା କରାଯାଉଛି ।

ରାଉରକେଲାରେ ଏହି ଷ୍ଟାଡିୟମ ନିର୍ମାଣ ହେଲେ ହକିର ଗଡ଼ ସୁନ୍ଦରଗଡ଼ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ପାଇପାରିବ । ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ଚାଲିଛି । ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୬୭ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ରୁ ଅଧିକ ସରକାରୀ ହାଇସ୍କୁଲକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ଉଚ୍ଚ ସଚିବସ୍ତରୀୟ ପ୍ରତିନିଧି ଦଳ ରାଉରକେଲାର ଉଦିତନଗର ସରକାରୀ ହାଇସ୍କୁଲର ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ । ଏହି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀଯୁକ୍ତ ଭି.କେ. ପାଣ୍ଡିଆନ୍‌ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ହୋଇଥିବା ସ୍ମାର୍ଟ କ୍ଲାସ୍‌ରୁମ୍‌, ଆଧୁନିକ ବିଜ୍ଞାନାଗାର, ଇ-ଲାଇବ୍ରେରି, ଖେଳପଡ଼ିଆ ଓ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରିଥିଲେ ।

ବ୍ଲୁମ୍‌ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେଇ ରାଉରକେଲା ବିଶ୍ୱର ପ୍ରମୁଖ ୧୫ଟି ସହର ଭିତରେ ସ୍ଥାନ ପାଇଛି । ସହରର କ୍ଷୁଦ୍ର ପନିପରିବା ଓ ଫଳ ବ୍ୟବସାୟୀମାନଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ଏହା ଅଧୀନରେ ଛେଣ୍ଡ୍‌ସ୍ଥିତ ଭିଏସ୍‌ଏସ୍‌ ମାର୍କେଟଠାରେ ୫ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଏକ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି । ଏହାର ପରିଚାଳନା ଦାୟିତ୍ୱ ସ୍ଥାନୀୟ ଅଂଚଳର ମା’ ତାରିଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ଓ ପ୍ରତିନିଧି ଦଳ ଏହି ପ୍ରକଳ୍ପସ୍ଥଳକୁ ଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ । ଏଭଳି ଅଣ- ପାରମ୍ପରିକ କାର୍ଯ୍ୟର ସଫଳ ପରିଚାଳନା ପାଇଁ ସେମାନେ ମିଶନ ଶକ୍ତିର ମା’ମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ।

ରାଉରକେଲା ସହରର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସ୍ମାର୍ଟ ସିଟି ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି । ନିର୍ମଣାଧୀନ ରାଉରକେଲା-୧ ଭି ିଭୂମି ପରିସରରେ ସହରର ଟ୍ରାଫିକ୍‌ ପରିଚାଳନା ପାଇଁ କମାଣ୍ଡ ସେଂଟର ସହିତ ପ୍ରସ୍ତାବିତ ଜନଜାତି ସଂଗ୍ରହାଳୟ, କନଭେନସନ୍‌ ହଲ୍‌, ମାର୍କେଟ କଂପ୍ଲେକ୍ସ ଆଦି ନିର୍ମାଣ କରାଯାଉଛି । ଏହାସହ ରାସ୍ତା ନିର୍ମାଣ ଏବଂ ସହରର ସୌନ୍ଦର୍ଯ୍ୟକରଣ କାମ ଜାରି ରହିଛି । ଏହିସବୁ ପ୍ରକଳ୍ପସ୍ଥଳ ପରିଦର୍ଶନ କରି ଅଗ୍ରଗତି ସମୀକ୍ଷା କରିଥିଲେ ସଚିବସ୍ତରୀୟ ପ୍ରତିନିଧି ଦଳ ।

ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ପରେ ରାଉରକେଲା ବିମାନବନ୍ଦରଠାରେ ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍‌ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ୨୦୨୩ ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲାରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ଓ ସମୀକ୍ଷା ବୈଠକ ବେଳେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.