ପୁଲିସ ନିଷ୍କ୍ରିୟତାରୁ ଦଣ୍ଡ ହାର କମୁଛି

ବର୍ଷକୁ ରୁଜୁ ଦେଢ ଲକ୍ଷ ମାମଲା; ଚାର୍ଜସିଟ୍‌ ଦାଖଲରେ ବିଳମ୍ବ

ଭୁବନେଶ୍ବର : ଓଡ଼ିଶାରେ ବଢୁଛି ଅପରାଧ। ରାଜ୍ୟରେ ଏବେ ବଳାତ୍କାର, ହତ୍ୟା, ଚୋରି, ଠକେଇ, ରାହାଜାନି, ଅପହରଣ ଭଳି ସଂଗୀନ ଅପରାଧ କ୍ରମାଗତ ବଢିଛି। ପୋକ୍‌ସୋ ଭଳି କଠୋର ଆଇନ ସତ୍ତ୍ବେ ରାଜ୍ୟରେ ଗୋଟିଏ ବର୍ଷରେ ଶିଶୁ ଅପହରଣ ଭଳି ଅତ୍ୟନ୍ତ ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣା ୪୨ ପ୍ରତିଶତ ବଢିଛି। ସେହିଭଳି ଓଡ଼ିଶାରେ ଦିନକୁ ହାରାହାରି ୧୫ ଜଣ ଆତ୍ମହତ୍ୟା କରୁଛନ୍ତି। ୨୦୧୯ ଅନୁପାତରେ ୨୦୨୧ ବର୍ଷରେ ଏହା ୨୩ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଚୋରି ମାମଲାରେ ତ’ ଓଡ଼ିଶା ଆଗରେ ରହି ଅପଖ୍ୟାତି ପାଇଛି। ଏଭଳି ତଥ୍ୟ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ଦ୍ବାରା ପ୍ରକାଶିତ ‘କ୍ରାଇମ୍ ଇନ୍‌ ଇଣ୍ଡିଆ’ ରିପୋର୍ଟରୁ ସାମ୍ନାକୁ ଆସିଛି।
ଓଡ଼ିଶାରେ କ୍ରମାଗତ ଅପରାଧ ବଢିବା ଆଇନ ଶୃଙ୍ଖଳା ସ୍ଥିତିକୁ ସାମ୍ନାକୁ ଆଣିଛି। ଏହା ପଛରେ ଥିବା ଅନେକ କାରଣ ମଧ୍ୟରୁ ପୁଲିସର ତଦନ୍ତ ଓ ଅଭିଯୋଗଫର୍ଦ ଦାଖଲରେ ଅହେତୁକ ବିଳମ୍ବ ହିଁ ଦାୟୀ ରହିଥିବା ଜଣାପଡିଛି। ଅଭିଯୋଗଫର୍ଦ ଦାଖଲ ପାଇଁ ପୁଲିସକୁ ଦିଆଯାଇଥିବା ଆଇନଗତ ସମୟସୀମା ଭିତରେ ଚାର୍ଜସିଟ୍‌ ଦାଖଲ ନ କରିବା ଯୋଗୁଁ ଅଦାଲତ ଶୁଣାଣି ସହ ରାୟ ପ୍ରଦାନ ସମ୍ଭବ ହୋଇପାରୁନାହିଁ। ବିଳମ୍ବରେ ଚାର୍ଜସିଟ୍‌ ଦାଖଲ ତଦନ୍ତ ପ୍ରକ୍ରିୟାକୁ ମଧ୍ୟ ଶିଥିଳ କରୁଛି। ଅନେକ ମାମଲାରେ ଦୋଷୀଙ୍କୁ କାଠଗଡା ପର୍ଯ୍ୟନ୍ତ କୁନ୍ଥୁକୁନ୍ଥୁ ହୋଇ ପୁଲିସ ପହଞ୍ଚାଉଥିଲେ ମଧ୍ୟ ଦୁର୍ବଳ ଚାର୍ଜସିଟ୍‌ ଯୋଗୁଁ ଅପରାଧୀ ମୁକୁଳିବାର ବାଟ ପାଉଛନ୍ତି। ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ବର୍ଷକୁ ଦେଢ ଲକ୍ଷ ମାମଲା ପଞ୍ଜିକୃତ ହେଉଛି। ମାତ୍ର ଏଥିରୁ ସିଂହଭାଗ ମାମଲାରେ ଚାର୍ଜସିଟ୍‌ ହୋଇପାରୁନି। ଥାନାରୁ ଅଦାଲତ ପର୍ଯ୍ୟନ୍ତ ସବୁଠି ମାମଲାର ପାହାଡ଼ ଗଦା ହୋଇଛି। ଏନେଇ ଅତୀତରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଠାରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ପର୍ଯ୍ୟନ୍ତ ସଭିଁଏ ଚିନ୍ତାପ୍ରକଟ କରିବା ସହ ବର୍ଷବର୍ଷ ଧରି ପଡି ରହିଥିବା ମାମଲା ଗୁଡିକର ତ୍ବରିତ୍‌ ଶୁଣାଣି କରିବାକୁ ତାଗିଦା କରିଆସିଛନ୍ତି।
ଏନସିଆରବି ସଦ୍ୟ ରିପୋର୍ଟରେ ଓଡ଼ିଶାରେ ଦଣ୍ଡବିଧାନ ହାର ଆକସ୍ମିକ ଭାବେ ହ୍ରାସ ପାଇଥିବା ଉଲ୍ଲେଖ କରାଯାଇଛି। ଏକ୍ଷେତ୍ରରେ ଓଡ଼ିଶା ଜାତୀୟ ହାରଠାରୁ ବହୁ ପଛରେ ରହିଛି। ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି) ଅନ୍ତର୍ଗତ ମାମଲା ମଧ୍ୟରୁ ଦଣ୍ଡବିଧାନ ହାର ୫.୭ ପ୍ରତିଶତ ଥିବାବେଳେ ସ୍ବତନ୍ତ୍ର ଓ ସ୍ଥାନୀୟ ଆଇନ (ଏସ୍‌ଏଲଏଲ୍‌) ଅଧୀନରେ ମାମଲା ଗୁଡିକର ଦଣ୍ଡବିଧାନ ହାର ମାତ୍ର ୩.୮ ପ୍ରତିଶତ ରହିଛି। ଯାହାକି ଓଡ଼ିଶାକୁ ତଳଆଡ଼ୁ ତୃତୀୟ ସ୍ଥାନକୁ ଖସାଇଛି। କେନ୍ଦ୍ରଶାସିତ ପ୍ରଦେଶ ଲାକ୍ଷାଦ୍ବୀପ(ଦଣ୍ଡବିଧାନ ହାର ଶୂନ) ଓ ଆସମ(୫.୬%) ପରେ ଓଡ଼ିଶା (୫.୭%) ରହିଛି। ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଦଣ୍ଡବିଧାନ ହାର ଯଥାକ୍ରମେ ୩୮.୬ ଓ ୪୧.୫ ପ୍ରତିଶତ ଥିବାବେଳେ ଓଡ଼ିଶାର ଏଭଳି ସ୍ଥିତି ପୁଲିସର ପାରିବାପଣିଆ ଓ ନ୍ୟାୟିକ ବ୍ୟବସ୍ଥାର କଚ୍ଛପ ଗତିକୁ ସାମ୍ନାକୁ ଆଣିଛି।
୨୦୨୦ରେ ଓଡ଼ିଶାର ଦଣ୍ଡବିଧାନ ହାର ୧୧.୨ ପ୍ରତିଶତ ଓ ୨୦୧୯ରେ ଏହା ୨୧.୫ ପ୍ରତିଶତ ଥିବାବେଳେ ବର୍ଷ-୨୦୨୧ରେ ଏହା ୫.୭ ପ୍ରତିଶତକୁ ଖସିବା ପୁଲିସ ପ୍ରଶାସନ କେଉଁଭଳି ଢଙ୍ଗରେ କାମ କରୁଛି ତାହାକୁ ଦର୍ଶାଇଛି। ଗୋଟିଏ ପଟେ ରାଜ୍ୟରେ ସବୁଶ୍ରେଣୀର ଅପରାଧ ଓ ମାମଲା ବଢୁଛି; ଅନ୍ୟପଟେ ଦଣ୍ଡବିଧାନ ହାର ୩ ବର୍ଷରେ ୧୬ ପ୍ରତିଶତ କମିଛି। ସାଧାରଣତଃ ମାମଲା ବଢିଲେ ଶୁଣାଣି ଓ ଦଣ୍ଡବିଧାନ ହାର ବଢିବା କଥା। ମାତ୍ର ପୀଡିତ ତଥା ଅଭିଯୋଗକାରୀ ପକ୍ଷଙ୍କୁ ନ୍ୟାୟ ମିଳିପାରୁନି। ପୁଲିସ ଚାର୍ଜସିଟ୍‌ ଦାଖଲରେ ବିଳମ୍ବ, ତଦନ୍ତରେ ଅହେତୁକ ଅବହେଳା ଏବଂ ସାକ୍ଷୀ, ବୟାନ ଓ ପ୍ରତିପକ୍ଷଙ୍କ ତାରିଖ ଗଡାଇବା ସହ ବିଭିନ୍ନ କାରଣରୁ ଅଦାଲତ ନ ଚାଲିବା ଯୋଗୁଁ ଏଭଳି ପରିସଂଖ୍ୟାନ ଆସିଛି। ଅଦାଲତରେ ପଡିଥିବା ମାମଲା ଗୁଡିକ ମଧ୍ୟରୁ ଲାକ୍ଷାଦ୍ବୀପରେ ୯୯.୫ ପ୍ରତିଶତ, ବିହାରରେ ୯୯.୪ ପ୍ରତିଶତ, ପଶ୍ଚିମବଙ୍ଗରେ ୯୮.୮ ପ୍ରତିଶତ ଥିବାବେଳେ ଓଡ଼ିଶା ଓ ମଣିପୁରରେ ୯୮.୭ ପ୍ରତିଶତ ଲେଖାଏଁ ରହିଛି। ଫଳରେ ଓଡ଼ିଶା ଏକ୍ଷେତ୍ରରେ ମଧ୍ୟ ତଳଆଡ଼ୁ ଚତୁର୍ଥ ସ୍ଥାନରେ ରହିଛି।
ସ୍ବତନ୍ତ୍ର ଆଇନ ଅନ୍ତର୍ଗତ ମାମଲା ଗୁଡିକ ମଧ୍ୟରେ ଆମ୍ସସ୍ ଆକ୍ଟ, ଏନଡିପିଏସ୍‌ ଆକ୍ଟ, ଜୁଆ, ଅବକାରୀ, ବିସ୍ଫୋରକ ଦ୍ରବ୍ୟ, ଆତଙ୍କବାଦ, ନାଗରିକ ଅଧିକାର ସୁରକ୍ଷା ଆଦି ରହୁଥିବାବେଳେ ସ୍ଥାନୀୟ ଆଇନ ମଧ୍ୟରେ ବିଶେଷକରି ସ୍ଥାନୀୟ ପୌର ନିଗମର ମାମଲା ରହିଥାଏ। ସ୍ପେଶାଲ ଓ ଲୋକାଲ ଲ’ ଅନ୍ତର୍ଗତ ମାମଲାର ଶୁଣାଣି କ୍ଷେତ୍ରରେ ଓଡ଼ିଶା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ତୁଳନାରେ ତଳଆଡ଼ୁ ଦ୍ବିତୀୟ ସ୍ଥାନରେ ରହିଛି। ଏନସିଆରବି ରିପୋର୍ଟ କହୁଛି, ଆଇପିସି ଅନ୍ତର୍ଗତ ୬ଲକ୍ଷ ୯୫ହଜାର ୧୯୮ ମାମଲା ପଞ୍ଜିକୃତ ହୋଇଥିବାବେଳେ ଗତବର୍ଷ ଶୁଣାଣି ପାଇଁ କେବଳ ୯୬ ହଜାର ୨୫୦ ମାମଲା ପଠାଯାଇଛି। ସେହିଭଳି ଏସ୍‌ଏଲଏଲ ଅନ୍ତର୍ଗତ ୧ ଲକ୍ଷ ୮୧ ହଜାର ୧୫୬ ମାମଲା ଶୁଣାଣି ଲାଗି ପ୍ରସ୍ତୁତ କରାଯିବାକୁ ଥିବାବେଳେ ମାତ୍ର ୨୮,୯୩୯ ଶୁଣାଣି ଲାଗି ପଠାଯାଇଛି। ଚାର୍ଜସିଟ୍‌ ଦାଖଲରେ ବହୁ ବିଳମ୍ବ ହିଁ ପରିସ୍ଥିତିକୁ ପ୍ରକାରାନ୍ତରେ ବିଗାଡିଛି।
ତେବେ ଏ ପ୍ରସଙ୍ଗରେ ପୁଲିସ ମହାନିର୍ଦେଶକଙ୍କ ପ୍ରତିକ୍ରିୟା ହେଉଛି ସଠିକ୍ ଭାବେ ତଦନ୍ତ କରିବାକୁ ପୁଲିସ ଅଧିକାରୀଙ୍କୁ ନିର୍ଦେଶ ଦିଆଯିବା ସହ ସମୟ ଭିତରେ ତଦନ୍ତ ସାରି ଚାର୍ଜସିଟ୍‌ ଦାଖଲ କରିବାକୁ କୁହାଯାଇଛି। କେତେକ କ୍ଷେତ୍ରରେ ସରକାରୀ ଓକିଲଙ୍କ ଅଭାବ ମଧ୍ୟ ଶୁଣାଣିକୁ ବିଳମ୍ବିତ କରୁଥିବା କୁହାଯାଉଛି। ତେବେ ପୁଲିସ ଯଦି ପାରଦର୍ଶିତାର ସହ ତଦନ୍ତ, କେଶ୍‌ ଡାଏରୀ ଓ ଚାର୍ଜସିଟ୍‌ ଦାଖଲ କରନ୍ତା, ତେବେ ପରବର୍ତ୍ତୀ ଶୁଣାଣି ଓ ଦଣ୍ଡବିଧାନ ତ୍ବରାନ୍ବିତ ହୋଇପାରନ୍ତା ବୋଲି ଆଇନ ବିଶେଷଜ୍ଞ ମତ ରଖିଛନ୍ତି।

kalyan agarbati

Comments are closed.