ପ୍ରଥମ ଟେଷ୍ଟ: ପାକିସ୍ତାନ ୬/୪୪୮, ବାଂଲାଦେଶ ୫/୩୧୬

ରାୱଲପିଣ୍ଡି: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ଦଳ ୬ ୱିକେଟ ହରାଇ ୪୪୮ ରନ୍‌ କରି ପ୍ରଥମ ଇନିଂସ ଘୋଷଣା କରିଥିବା ବେଳେ ବାଂଲାଦେଶ ଶୁକ୍ରବାର ନିଜ ପ୍ରଥମ ଇନିଂସରେ ୫ ୱିକେଟ ବିନିମୟରେ ୩୧୬ ରନ୍‌ କରିଛି। ଗୁରୁବାର ଖେଳ ଶେଷ ବେଳକୁ ବାଂଲାଦେଶ ବିନା ୱିକେଟ୍‌ରେ ୨୭ ରନ୍‌ କରିଥିଲା।
ଶୁକ୍ରବାର ବାଂଲାଦେଶର ଦୁଇ ଅପରାଜିତ ଓପନର୍‌ ସାଦମାନ ଇସଲାମ ଓ ଜାକିର ହସନ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ତେବେ ଦଳର ସ୍କୋର ୩୧ ରନ୍‌ ହୋଇଥିବା ବେଳେ ଜାକିର ହସନ ବ୍ୟକ୍ତିଗତ ଭାବେ ଗୋଟିଏ ଚୌକା ସହାୟତାରେ ୧୨ ରନ୍‌ କରି ଆଉଟ ହୋଇଥିଲେ। ଦଳର ଦ୍ବିତୀୟ ୱିକେଟ ପତନ ୫୩ ରନ୍‌ରେ ହୋଇଥିଲା। ନଜମୁଲ ବ୍ୟକ୍ତିଗତ ଭାବେ ୨ଟି ଚୌକା ସହାୟତାରେ ୧୬ ରନ୍‌ କରି ପ୍ୟାଭିଲିୟନ ଫେରି ଯାଇଥିଲେ। ତୃତୀୟ ୱିକେଟ ନିମନ୍ତେ ସାଦମାନ ଓ ମୋମିନୁଲଙ୍କ ମଧ୍ୟରେ ୯୪ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଦଳର ସ୍କୋର ୧୪୭ ରନ୍‌ ହୋଇଥିବା ବେଳେ ମୋମିନୁଲ ବ୍ୟକ୍ତିଗତ ଭାବେ ୫ଟି ଚୌକା ସହାୟତାରେ ୫୦ ରନ୍‌ କରି ଆଉଟ୍ ହୋଇଥିଲେ। ମୋମିନୁଲଙ୍କ ୱିକେଟ ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ମୁସ୍ତାଫିଜୁର ରହିମ ଓ ସାଦମାନ ଦଳର ସ୍କୋରକୁ ଆଗେଇ ନେଇଥିଲେ। ଦଳର ସ୍କୋର ୧୯୯ ରନ୍‌ ହୋଇଥିବା ବେଳେ ସାଦମାନ ବ୍ୟକ୍ତିଗତ ଭାବେ ୧୨ଟି ଚୌକା ସହାୟତାରେ ୯୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସାକିବ ଅଲ ହସନ ବେଶୀ ସମୟ ପିଚ୍‌ରେ ତିଷ୍ଠି ପାରିନଥିଲେ। ଦଳର ସ୍କୋର ୨୧୮ ହୋଇଥିବା ବେଳେ ସାକିବ ୨ଟି ଚୌକା ସହାୟତାରେ ୧୫ ରନ୍‌ କରି ଆଉଟ ହୋଇଥିଲେ। ଦିନର ଖେଳ ଶେଷ ବେଳକୁ ମୁସଫିକୁର ରହିମ ୭ଟି ଚୌକା ସହାୟତାରେ ୫୫ ଓ ଲିଟନ ଦାସ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୨ ରନ୍‌ କରି ଅପରାଜିତ ରହିଛନ୍ତି। ପାକିସ୍ତାନ ବୋଲର ଖୁରମ ସାହାଜାଦ ୨ଟି ୱିକେଟ ହାସଲ କରିଥିବା ବେଳେ ନସିମ ଶାହା, ମହମ୍ମଦ ଅଲ୍ଲି ଓ ସାଇମ ଆୟୁବ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।

Comments are closed.