www.samajalive.in
Monday, December 8, 2025
24.1 C
Bhubaneswar

ଘରେ ଜଳୁନି ଚୁଲି, ଶୁଖୁନି ମାଆ, ଝିଅଙ୍କ ଲୁହ

ଜଗତସିଂହପୁର : କୋଭିଡ୍‌ ମୁକାବିଲାକୁ ବ୍ୟବସ୍ଥିତ କରିବାକୁ ସରକାର ବହୁ ପଦକ୍ଷେପ ନେଇଛନ୍ତି। ଆକ୍ରାନ୍ତ ଚିହ୍ନଟଠାରୁ ଆରମ୍ଭ କରି ମାଗଣା ଚିକିତ୍ସା ପର୍ଯ୍ୟନ୍ତ ସବୁ ଟିକିନିକି କଥା କାଳେ ସରକାର ବୁଝୁଛନ୍ତି। ହେଲେ ବାସ୍ତବରେ କୋଭିଡ ଆକ୍ରାନ୍ତମାନେ କିଭଳି ସୁବିଧା ପାଉଛନ୍ତି, ତାହା କୁଜଙ୍ଗ ବ୍ଲକ ଜନାପାଳ ପଟୁସାହିର ଗନ୍ଧର୍ବ ଜେନାଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ଗତ ମାସ ୨୨ ତାରିଖରେ କୋଭିଡ୍‌ରେ ଆକ୍ରାନ୍ତ ଥିବାରୁ ତାଙ୍କୁ ପାରାଦ୍ୱୀପରୁ କଟକ ନିଆଯାଇଥିଲା। କଟକରୁ ସେ କୁଆଡେ ଗଲେ ? ସେ ସମ୍ପର୍କରେ ଏଯାଏ କାହାରି ପାଖରେ ଖବର ନାହିଁ। ମାସଟିଏ ହେଲାଣି ଗନ୍ଧର୍ବଙ୍କ ଘରେ ଚୁଲି ଜଳୁନି, କି ପରିବାର ସଦସ୍ୟଙ୍କ ପେଟକୁ ଦାନା ଯାଉନି। ବୃଦ୍ଧା ମା’ ସହ ବଢ଼ିଲା ଝିଅ ଝିଲି ବାପାଙ୍କୁ ଝୁରି ବାହୁନି କାନ୍ଦୁଛି। ହେଲେ ସେମାନଙ୍କ କାନ୍ଦ ନା ପ୍ରଶାସନ ନା ସରକାର କାହା କାନକୁ ଶୁଭୁନି।
ନିଖୋଜ ଗନ୍ଧର୍ବ ଜେନାଙ୍କ ଝିଅ ଝିଲିଙ୍କ କହିବା ଅନୁସାରେ, ମେ ୧୨ ତାରିଖରୁ ବାପାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ୧୪ତାରିଖରେ ତାଙ୍କୁ କୁଜଙ୍ଗ ଡାକ୍ତରଖାନା ନେବାରୁ ଡାକ୍ତର କୋଭିଡ୍‌ ପରୀକ୍ଷା କରାଇଥିଲେ। କୋଭିଡ୍‌ ଆକ୍ରାନ୍ତ ବୋଲି ଜଣାପଡ଼ିବାରୁ ଘରେ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ଘରେ ଥିବାବେଳେ ଦେହ ଭଲ ହୋଇ ନ ଥିଲା। ଘର ଅପେକ୍ଷା ଡାକ୍ତରଖାନାରେ ରହିଲେ ନିରାପଦ ଭାବି ସେ ଓ ତାଙ୍କ ଭିଣୋଇ ୧୮ତାରିଖ ପାରାଦ୍ୱୀପ କୋଭିଡ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିଲେ। ହେଲେ ୨୧ ତାରିଖ ରାତି ସାଢେ ୯ଟାବେଳେ ପାରାଦ୍ୱୀପ କୋଭିଡ୍‌ ଡାକ୍ତରଖାନାରୁ (୭୨୦୫୬୬୭୩୫୫) ଫୋନ ଆସିଥିଲା। ଜଣେ ମାଡାମ କହିଲେ, ଗନ୍ଧର୍ବ ଜେନାଙ୍କ ଦେହ ଭଲନାହିଁ, ତାଙ୍କୁ କଟକ କୋଭିଡ ଡାକ୍ତରଖାନାକୁ ପଠାଯାଉଛି। କଟକରେ ଯୋଗାଯୋଗ କରିବାକୁ କୁହାଯାଇଥିଲା। ଏହି ଖବର ପାଇବା ପରେ ଗନ୍ଧର୍ବଙ୍କ ଜ୍ୱାଇଁ ଚନ୍ଦ୍ରମଣି ସଙ୍ଗେ ସଙ୍ଗେ କଟକ ଡାକ୍ତରଖାନା ଯାଇଥିଲେ। ହେଲେ ଶ୍ୱଶୁରଙ୍କ ସମ୍ପର୍କରେ କିଛି ଖୋଜଖବର ପାଇ ନ ଥିଲେ। ଏହା ମଧ୍ୟରେ ‘ୟାସ’ ବାତ୍ୟା ଆସିଥିଲା। ବାତ୍ୟାରେ କୁଆଡେ ଯିବା ସମ୍ଭବ ହୋଇନଥିଲା। ବାତ୍ୟା କମିବା ପରେ ୨୭ତାରିଖରେ କଟକ କୋଭିଡ ଡାକ୍ତରଖାନା ଯାଇ ଝିଅ ବାପାଙ୍କ ସମ୍ପର୍କରେ ଖବର ନେଇଥିଲେ। ୨୧ ତାରିଖ ରାତିରୁ ପାରାଦ୍ୱୀପରୁ ଆସି ସେଦିନ ରାତି ୧୨ଟା ୧ ମିନିଟରେ କଟକ ଓପିଡି ନମ୍ବର-୪୯୪୩, କ୍ରମାଙ୍କ ନମ୍ବର ୧୨୯ରେ ଗନ୍ଧର୍ବ ଭର୍ତ୍ତି ହୋଇଥିବା ସେଠାରେ ଥିବା ଖାତାରୁ ଜଣାପଡ଼ିଲା। ତାଙ୍କୁ ରାତି ୧୨ଟା ୧୫ ମିନିଟରେ ଉପର ତାଲାକୁ ପଠାଯାଇଥିଲା ବୋଲି ବି ଜଣାପଡ଼ିଥିଲା।
ଏବେ କେତେ ନମ୍ବର ଶଯ୍ୟାରେ ଅଛନ୍ତି ଓ ବାପାଙ୍କ ଦେହ କିଭଳି ଅଛି ବୋଲି ପଚାରିବାରୁ ଆମକୁ କିଛି ଉତ୍ତର ମିଳି ନଥିଲା। ଦୁଇଦିନ ଧାଁ ଧପଡ ପରେ କୁହାଗଲା ଯେ, ତୁମ ବାପାଙ୍କୁ ଆମେ ପାଉନୁ, ସେ କୁଆଡେ ନିଖୋଜ ହୋଇ ଯାଇଛନ୍ତି। ଏକଥା ଶୁଣିବାପରେ ମୋ ମୁଣ୍ଡ ଉପରେ ବଜ୍ର ପଡ଼ିଥିଲା ବୋଲି ଝିଅ ଝିଲି କହିଛନ୍ତି। କଟକରେ ଖୋଜାଖୋଜି କରି ନ ପାଇବାରୁ ୩୦ତାରିଖ କୁଜଙ୍ଗ ଥାନାରେ ଝିଲି ଲିଖିତ ଅଭିଯୋଗ କରିଥିଲେ। ହେଲେ ମଙ୍ଗଳାବାଗରୁ ସେ ନିଖୋଜ ଅଛନ୍ତି, ମଙ୍ଗଳାବାଗରେ ଅଭିଯୋଗ କର ବୋଲି କୁହାଯାଇଥିଲା। କୁଜଙ୍ଗରୁ ମଙ୍ଗଳାବାଗ ପୁଣି ମଙ୍ଗଳାବାଗରୁ କୁଜଙ୍ଗ ଥାନା ଦୌଡି ଦୌଡି ଶେଷରେ ଜୁନ ୬ତାରିଖରେ ମଙ୍ଗଳାବାଗ ଫାଣ୍ଡିରେ ଏମଏମଆର ସଂଖ୍ୟା-୨୬ରେ ତାଙ୍କ ଅଭିଯୋଗ ଗ୍ରହଣ ହୋଇଥିଲା ବୋଲି ଜ୍ୱାଇଁ ଚନ୍ଦ୍ରମଣି ପାତ୍ର କହିଛନ୍ତି। ସେଦିନଠାରୁ ଆଜି ପର୍ଯ୍ୟନ୍ତ ଗନ୍ଧର୍ବଙ୍କ ଖୋଜଖବର ମିଳିନି। ଏ ସମ୍ପର୍କରେ ଜଗତସିଂହପୁର ଜିଲାପାଳଙ୍କୁ ଭେଟି ପରିବାର ଲୋକେ ଜଣାଇଛନ୍ତି। ଜିଲାପାଳ ଦୁଃଖ ଶୁଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତଥାପି ବି କିଛି ଲାଭ ହୋଇନି।
ସୂଚନାଯୋଗ୍ୟ, ଗନ୍ଧର୍ବ ଦଳିତ ବର୍ଗର ଜଣେ ଅଭାବୀ ଶ୍ରେଣୀର ଲୋକ। ତାଙ୍କର ତିନି ଝିଅ। ଦୁଇଝିଅ ବିବାହ କରିଥିବା ବେଳେ ସାନଝିଅ ଝିଲି ଓ ତାଙ୍କ ପତ୍ନୀ ଶାନ୍ତିଲତା ଏବେ ଘରେ ରହୁଛନ୍ତି। ବୁଢା ବୟସରେ ବି ସେ ତାଙ୍କ ସାହାରା ଥିଲେ। ଗନ୍ଧର୍ବଙ୍କ ନିଖୋଜ ପରେ ସାନଝିଅ ଆଖିରୁ ଲୁହ ଶୁଖୁନଥିବା ବେଳେ ପତ୍ନୀଙ୍କ ପେଟକୁ ଦାନା ଯାଉନି। ମୋ ସ୍ୱାମୀଙ୍କୁ ଖୋଜିଆଣି ଦିଅ ବୋଲି ପତ୍ନୀ ବାହୁନି ବାହୁନି ବିକଳ ହୋଇ କାନ୍ଦୁଛନ୍ତି। ବାସ୍ତବରେ ରାଜ୍ୟରେ କୋଭିଡ ଚିକିତ୍ସା କିଭଳି ଚାଲିଛି ଗନ୍ଧର୍ବଙ୍କ ନିଖୋଜ ଘଟଣା ହିଁ ବୟାନ କରୁଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories