ସତ କହିବା ଯଦି ପାପ, ହଁ ମୁଁ ପାପ କରିଛି-ଚିରଞ୍ଜୀବ ବିଶ୍ବାଳ

କଂଗ୍ରେସରୁ ନିଲମ୍ବନ ପରେ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ବର: କଂଗ୍ରେସରୁ ନିଲମ୍ବନ ପରେ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ବାଳ। ଆଜି ଗଣମାଧ୍ୟମକୁ ଚିରଞ୍ଜୀବ ବିଶ୍ବାଳ କହିଛନ୍ତି ଯେ ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା। ପିସିସି ସଭାପତିଙ୍କ ସୁପାରିସକ୍ରମେ ମୋତେ ନିଲମ୍ବନ କରାଯାଇଛି। କଂଗ୍ରେସ ବିରୋଧରେ କୌଣସି କାମ କରିନି। ମୁଁ କଂଗ୍ରେସ ପରିବାରରୁ ଆସିଛି, ମୋ ରକ୍ତରେ ବେଇମାନୀ ନାହିଁ। ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ଼ ପାଇଁ କାମ କରିଛୁ। କଂଗ୍ରେସକୁ ସୁଦୃଢ଼ କରିବାକୁ ଭୁବନେଶ୍ବରରେ ଏକ ମିଟିଂ ଡକାଇଥିଲୁ। କଂଗ୍ରେସକୁ କିଭଳି ସୁଦୃଢ଼ କରାଯାଇପାରିବ ଆଲୋଚନା ହୋଇଥିଲା। କୁହାଗଲା ମୋ ପାଇଁ ଝାରସୁଗୁଡ଼ାରେ କଂଗ୍ରେସ ଖରାପ ପ୍ରଦର୍ଶନ କଲା। ଧାମନଗର ଓ ପଦ୍ମପୁର ନିର୍ବଚନରେ କାହାପାଇଁ ଖରାପ ପ୍ରଦର୍ଶନ ହେଲା ବୋଲି ଚିରଞ୍ଜୀବ ପ୍ରଶ୍ନ ଉଠାଇଛନ୍ତି।

ନିଜ ସ୍ବାର୍ଥ ପାଇଁ କାର୍ଯ୍ୟକଲେ କଂଗ୍ରେସ ସୁଦୁଢ଼ ହୋଇପାରିବନି। ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ। କଂଗ୍ରେସରୁ ନିଲମ୍ବନ କରିବା ମୋତେ ଦାରୁଣ ଦୁଃଖ ଦେଇଛି। ଗୋଟିଏ କୁଚକ୍ରି ଗୋଷ୍ଠୀ ମୋତେ ଦଳରୁ ଦୂରେଇବାକୁ ଚେଷ୍ଟିତ। କଂଗ୍ରେସ ଯୋଡ଼ିବାକୁ ଅଛେ ନା ତୋଡ଼ିବାକୁ ଅଛେ, ବିଚାର୍ଯ୍ୟ। ସତ କହିବା ଯଦି ପାପ, ହଁ ମୁଁ ପାପ କରିଛି। ଯେଉଁମାନେ ମୋ ବିରୋଧରେ ଚକ୍ରାନ୍ତ କରୁଛନ୍ତି ସେମାନେ ୨୫ ବର୍ଷ ହେଲା ନିର୍ବାଚନରେ ଜିତି ନାହାନ୍ତି। ଚକ୍ରାନ୍ତ କାହା ପରାମର୍ଶରେ ହେଉଛି, ତାହା ମୁଁ ଜାଣିନି। କଂଗ୍ରେସ କର୍ମୀମାନେ ଆଗେଇ ଆସନ୍ତୁ, ଏ ଚକ୍ରାନ୍ତ ପଣ୍ଡ କରନ୍ତୁ। ଯେଉଁଠି କଂଗ୍ରେସ ସ୍ଥିତି ଭଲ, ସେଇଠି କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି। ଭଲ ପ୍ରଦର୍ଶନ କରୁଥିବା ଜିଲାରେ କଂଗ୍ରେସକୁ ଭାଗ ଭାଗ କରିବାକୁ ଚେଷ୍ଟିତ। ଜଗତସିଂହପୁର, କଟକ ଓ କୋରାପୁଟ ଜିଲାରେ ଏପରି କାର୍ଯ୍ୟ ଲାଗିଛି। ଯଦି ମୋତେ ଛାଡ଼ି ୯ରୁ ୯୦ ମିଶନ ସଫଳ କରିବେ, ସେଥିପାଇଁ ସାଧୁବାଦ ସେ ପ୍ରକାଶ କରିଛନ୍ତି।

ମୁଁ ଜଣେ ସ୍ବାଭିମାନୀ ଲୋକ, ଆକ୍ସନକୁ ଡରୁନାହିଁ। ଦୁର୍ବଳ ଲୋକ ଅଭିଯୋଗ କରେ, ମୁଁ ଅଭିଯୋଗ କରିବି ନାହିଁ। ପୋଟେନସିଆଲ ଲୋକଙ୍କୁ ହତାଶ କରାଯାଉଛି। ୨୦୨୪ ସାଧାରଣ ନିର୍ବାଚନରେ ନିଶ୍ଚୟ ଲଢ଼ିବି। ମୁଁ କଂଗ୍ରେସରୁ ଲଢ଼ିବି କି ସ୍ବାଧୀନ ଭାବେ ଲଢ଼ିବି ତାହା ସମୟ କହିବ। ଯିଏ ନିଜ ଛାଇକି ଦେଖି ଡରେ ସେ ଏଭଳି ପଦକ୍ଷେପ ନେଇଛି। ଗୋଡ଼ ତଳେ ମାଟି ନ ଥିବା ଲୋକ ହିଁ ଏଭଳି ଷ୍ଟେପ ନେଇଛି। ପିସିସି ସଭାପତିଙ୍କ ବିରୋଧରେ କହି ମୋ ତୁଣ୍ଡ ଖରାପ କରିବାକୁ ଚାହୁଁନି। ସେମାନେ ଯଦି କଂଗ୍ରେସକୁ ସଫା କରିବାକୁ ଚାହୁଁଥିଲେ, ସେମାନଙ୍କୁ ସ୍ବାଗତ। ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରି ସଫା କରିବାକୁ ଚାହୁଁଥିଲେ ତାହା ସ୍ବାଗତଯୋଗ୍ୟ ବୋଲି ଶ୍ରୀ ବିଶ୍ବାଳ ପ୍ରକାଶ କରିଛନ୍ତି।

Comments are closed.