nua o banner

କରୋନା ନେଲା ଯୋଦ୍ଧାଙ୍କ ଜୀବନ; ସମ୍ବଲପୁର ଜିଲାରେ ପ୍ରଥମ

BJD Bijuli 480×75 Mob

ବୁର୍ଲା: ସମ୍ବଲପୁର ଜିଲାରେ ମଙ୍ଗଳବାର ଜଣେ କୋଭିଡ ଯୋଦ୍ଧାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ ହେଲେ ସମ୍ବଲପୁର ଜିଲା ରେଙ୍ଗାଲି ଥାନାରେ କାର୍ଯ୍ୟରତ କନେଷ୍ଟବଲ ପିଟ୍ରସ୍‍ ଟିଗ୍‍ଗା (୫୨)। ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ୱର ସାହୁଙ୍କ ସୂଚନା ମତେ ସାତଦିନ ପୂର୍ବରୁ ସେ କାର୍ଯ୍ୟରେ ଥିବା ସମୟରେ ଅସୁସ୍ଥ ହେବାରୁ ତାଙ୍କୁ ହୋମ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ତେବେ ସେ ଘରେ ଥିବା ସମୟରେ ସୋମବାର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁର୍ଲା ଭିମସାରକୁ ଆଣି ପ୍ରଥମେ କରୋନା ପରୀକ୍ଷା କରାଯାଇଥିଲା। କରୋନା ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କୁ ବୁର୍ଲା ଭିସୁଟ୍‍ସ୍ଥିତ କୋଭିଡ୍‍ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ସମ୍ବଲପୁର କୋଭିଡ ହସ୍ପିଟାଲ ଆଇସିୟୁକୁ ସ୍ଥାନାନ୍ତର କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ତାହାରି ମଧ୍ୟରେ ରାତି ପ୍ରାୟ ୨ଟା ବେଳେ କୋଭିଡ କେୟାର ସେଣ୍ଟରରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଏହି ଘଟଣାରେ ଜିଲା ପୁଲିସ ବିଭାଗରେ ଶୋକର ଲହରୀ ଖେଳିଯାଇଛି। ଆଜି ସକାଳୁ କୋଭିଡ କେୟାର ସେଣ୍ଟରକୁ ଉତ୍ତରାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ, ସମ୍ବଲପୁର ଏସପି ଡା. କନୱର ବିଶାଲ ସିଂହ, ପିଡି ଡିଆରଡିଏ ସୁକାନ୍ତ କୁମାର ତ୍ରିପାଠୀ, ସମ୍ବଲପୁର ଜିଲା କନେଷ୍ଟବଲ ସଂଘ ସଭାପତି ରାମଦାସ ପଣ୍ଡାଙ୍କ ସମେତ ଜିଲାର ବହୁ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ସମେତ ସାଥୀ କନେଷ୍ଟବଲ ମାନେ ମୃତକଙ୍କ ଶେଷଦର୍ଶନ କରିଥିଲେ। କୋଭିଡ୍‍ କେୟାର ସେଣ୍ଟର ନିକଟରେ କୋଭିଡ ନିୟମ ପାଳନପୂର୍ବକ ମୃତ କନଷ୍ଟେବଳଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏହାପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବୁର୍ଲା ଥାନାଧିକାରୀ ବିଭୂତି ଭୂଷଣ ଭୋଇ ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ ଜିଲା ବଡଗାଁ ଅଂଚଳର ମୂଳବାସିନ୍ଦା ସ୍ୱର୍ଗତ ଟିଗଗା ସମ୍ବଲପୁର ବୃକ୍ସହିଲଠାରେ ସପରିବାର ରହୁଥିଲେ।

Comments are closed.