www.samajalive.in
Friday, December 12, 2025
17.1 C
Bhubaneswar

କୋଭିଡ୍-୧୯: ବିନା ଚିକିତ୍ସାରେ ୮୦ ପ୍ରତିଶତ ରୋଗୀ ସୁସ୍ଥ ହୋଇପାରିବେ

ନୂଆଦିଲ୍ଲୀ : କରୋନା ଭୂତାଣୁ(କୋଭିଡ୍-୧୯)କୁ ମହାମାରୀ ବୋଲି କୁହାଯାଉଥିବାବେଳେ ବିନା ଚିକିତ୍ସାରେ ୮୦ ପ୍ରତିଶତ ସୁସ୍ଥ ହୋଇପାରିବେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଏହି ଭୂତାଣୁ ସମସ୍ତ ବର୍ଗ ଲୋକଙ୍କୁ ସଂକ୍ରମିତ କରିବା କ୍ଷମତା ରଖିଛି ଏବଂ ଏଥିରେ ସଂକ୍ରମିତ ହୋଇ ସେମାନେ ଅସୁସ୍ଥ ହୋଇପଡୁଛନ୍ତି। ଏହାର ପ୍ରତିକାର ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିକଟରେ କ’ଣ କୌଣସି ଉତ୍ତର ନାହିଁ। ଏହାର ଉତ୍ତର ହେଉଛି ଏହି ଭୟଙ୍କର ମହାମାରୀ ସଂକ୍ରମଣରୁ ମୁକ୍ତି ପାଇବାପାଇଁ ଆପଣ ସାମାଜିକ ଦୂରତା ବଜାୟ ରଖିନ୍ତୁ। ଏହାସହିତ ନିଜେ ଓ ନିଜ ପରିବାରକୁ ନିରାପଦ ଓ ସୁସ୍ଥ ରଖନ୍ତୁ। ତଥାପି ଲୋକେ ଏଥିରେ ସନ୍ତୁଷ୍ଟ ନ ହୋଇ ସତ୍ୟାସତ୍ୟ ଜାଣିବା ପାଇଁ ବାରମ୍ବାର ଟୁଇଟ୍‌ ଯୋଗେ ଉତ୍ତର ଖୋଜୁଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ୬ ମିଲିୟନ୍‌ରୁ ଅଧିକ ଲୋକ ‘କୋଭିଡ୍-୧୯’ ଉପରେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି। ସେମାନେ କୋଭିଡ୍‌-୧୯’ ରୋଗ ଓ ଏହାର ସଫଳ ନିରାକରଣ ସମ୍ପର୍କରେ ଜାଣିବାକୁ ଉତ୍ସୁକତା ପ୍ରକାଶ କରିଛନ୍ତି। ଲୋକମାନେ ପଚାରିଥିବା ଅନେକ ପ୍ରଶ୍ନ ମଧ୍ୟରୁ କିଛି ଉତ୍ତର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦେଇଛି।
ପ୍ରଶ୍ନ: କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ କ’ଣ ପଦକ୍ଷେପ ନେବା ଦରକାର ଓ ପରିବାରକୁ କିଭଳି ନିରାପଦ ରଖିବେ?
ଉତ୍ତର: ନିଜ ଓ ଅନ୍ୟମାନଙ୍କ ପାଇଁକୋଭିଡ୍‌-୧୯ ସଂକ୍ରମଣ ରୋକିବା ଲାଗି ଭଲ ଭାବେ ହାତ ଧୋଇବା ଦରକାର। କାଶ ଉପରେ ନିୟନ୍ତ୍ରଣ କରନ୍ତୁ। ନାକ ଓ ପାଟିକୁ ମାସ୍କ କିମ୍ବା କୌଣସି କପଡ଼ା ଦ୍ବାରା ଘୋଡ଼ାଇ ରଖନ୍ତୁ। ଲୋକମାନଙ୍କଠାରୁ ଅତି କମ୍‌ରେ ୧ ମିଟର(୩ଫୁଟ) ଦୂରତା ବଜାୟ ରଖନ୍ତୁ।
ପ୍ରଶ୍ନ: କୋଭିଡ୍‌-୧୯ ଲକ୍ଷଣ କ’ଣ ଏବଂ କେତେବେଳେ ଚିକିତ୍ସା କରାଯିବ ଓ ଘରେ ରହିବାକୁ ପଡ଼ିବ?
ଉତ୍ତର: ସାଧାରଣ ଜ୍ବର, ଶୁଖିଲାକାଶ ଓ କ୍ଲାନ୍ତ ଅନୁଭବ କରିବା କୋଭିଡ୍‌-୧୦ର ଲକ୍ଷଣ ବୋଲି କୁହାଯାଉଛି। କେତେକଙ୍କ ଶରୀର ପୀଡ଼ା, ନାକ ବନ୍ଦ ରହିବା, ନାକରୁ ପାଣି ବାହାରିବା, ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ, ଛାତି ଦରଜ, ଝାଡ଼ା ହେବା ଆଦି ଅନେକ ରୋଗୀଙ୍କଠାରେ କରୋନା ଭୂତାଣୁ ଦେଖାଯାଉଛି। ଯେଉଁମାନଙ୍କ ଏଭଳି ଲକ୍ଷ୍ୟଣ ରହିଛି ସେମାନେ ଚିକିତ୍ସା ଲାଗି ଯଥାଶୀଘ୍ର ନିକଟସ୍ଥ ମେଡ଼ିକାଲ୍‌ ସହିତ ଯୋଗାଯୋଗ କରନ୍ତୁ।
ପ୍ରଶ୍ନ: ଯୁବପିଢ଼ିଙ୍କୁ କରୋନା ଭୂତାଣୁ ଆକ୍ରାନ୍ତ କରୁଛି କି?
ଉତ୍ତର: ଯେକୌଣସି ବର୍ଗର ବ୍ୟକ୍ତି କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବା ସମ୍ଭବନା ରହିଛି। ତେବେ ବୟସ୍କ, ବହୁ ମୁଖୀ ରୋଗରେ ପୀଡ଼ିତ ବ୍ୟକ୍ତି, ଆଜ୍‌ମା, ଡାଇବେଟିକ୍ସ, ହୃଦ୍‌ରୋଗ, ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତି ଇତ୍ୟାଦିଙ୍କୁ କରୋନା ଭୂତାଣୁ ସଂକ୍ରମଣ ହେବା ଆଶଙ୍କା ଅଧିକ ରହିଛି।
ପ୍ରଶ୍ନ: କୋଭିଡ୍‌-୧୯ ସଂକ୍ରମଣ ଚିକିତ୍ସା କିପରି ହେଉଛି?
ଉତ୍ତର: ଆଜି ପର୍ଯ୍ୟନ୍ତ କୋଭିଡ୍-୧୯ ଚିକିତ୍ସା ପାଇଁ କୌଣସି ସ୍ବତନ୍ତ୍ର ଔଷଧ ବାହାରିନାହିଁ। ତେବେ କେତେକ ଗୁରୁତର ରୋଗୀଙ୍କୁ ଅକ୍ସିଜେନ୍‌ ଦିଆଯାଇ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି। ଯତ୍ନର ସହିତ ଚିକିତ୍ସା କରାଗଲେ ଅଧିକାଂଶ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଥବା ନଜିର ରହିଛି।
ପ୍ରଶ୍ନ: କେତେକ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିଥାଏ, କିନ୍ତୁ ସେମାନଙ୍କ ନିକଟରେ କୋଭିଡ୍‌-୧୯ର କୌଣସି ଲକ୍ଷ୍ୟଣ ଦେଖାଯାଇନଥାଏ, ଏହା କିପରି ସମ୍ଭବ?
ଉତ୍ତର: କେତେକ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥାନ୍ତି, କିନ୍ତୁ ସେମାନଙ୍କଠାରେ କୌଣସି ଲକ୍ଷ୍ୟଣ ପ୍ରକାଶ ପାଇନଥାଏ। ସେଥିମଧ୍ୟରୁ ଅଧିକାଂଶ ଅର୍ଥାତ୍‌ ଶତକଡ଼ା ୮୦ ପ୍ରତିଶତ ଲୋକ ମେଡ଼ିକାଲ୍‌କୁ ନ ଯାଇ ଏହି ରୋଗରୁ ସୁସ୍ଥ ହୋଇପାରିବେ।
ପ୍ରଶ୍ନ: ପରୀକ୍ଷା କେଉଁଠି ହୁଏ?
ଉତ୍ତର: କୋଭିଡ୍‌-୧୯ ପରୀକ୍ଷଣ ପାଇଁ କେତେକ ଦେଶରେ ନିଜର ଗବେଷଣା କେନ୍ଦ୍ର ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି। ସେସବୁ ଦେଶକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥାଏ। ସେହିପରି ବିଶ୍ବବ୍ୟାପୀ ବିଭିନ୍ନ କମ୍ପାନୀଗୁଡ଼ିକ ସହିତ ଡବ୍ଲ୍ୟୁଏଚ୍‌ଓ କାମ କରୁଛି। ୧୨୬ଟି ଦେଶରେ ଥିବା ୧.୫ ଲାବରେଟୋରିରେ କୋଭିଡ୍-୧୯ ପରୀକ୍ଷଣ ହେଉଛି। ଯାହା ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ପରିଚାଳନା କରାଯାଉଛି।
ପ୍ରଶ୍ନ: ସାମାଜିକ ତଥା ଶାରୀରିକ ଦୂରତା ଅର୍ଥ କ’ଣ?
ଉତ୍ତର: ଅନ୍ୟମାନଙ୍କ ମଧ୍ୟରେ ନିଜକୁ ଅତି କମ୍‌ରେ ୧ ମିଟର(୩ଫୁଟ୍‌) ଦୂରତ୍ବରେ ରଖିବାକୁ ସାମାଜିକ ତଥା ଶାରୀରିକ ଦୂରତା ବୋଲି କୁହାଯାଏ। ପ୍ରତ୍ୟେକ ବ୍ୟକ୍ତି ୧ମିଟର ପର୍ଯ୍ୟନ୍ତ ସାମାଜିକ ଦୂତରା ବଜାୟ ରଖିବା ପାଇଁ ପରିଚାଳନା କରିବା ଜରୁରୀ।
ପ୍ରଶ୍ନ: ଏହାର କାରଣ କ’ଣ?
ଉତ୍ତର: ଯେତେବେଳେ କରୋନା ସଂକ୍ରମିତ ରୋଗୀ କଥାବର୍ତ୍ତା କରନ୍ତି ସେହି ସମୟରେ ସେମାନଙ୍କ କଫ ଓ ଛିଙ୍କ ପାଟିରୁ ଲିକ୍ୟୁଡ୍‌ ଆକାରରେ ବାହାରିଥାଏ, ଯେଉଁଠାରେ କରୋନା ଭୂତାଣୁ ରହିଥାଏ। ଯଦି ଆପଣ ରୋଗୀଙ୍କ ଅତି ନିକଟତ୍ତର ଥାଆନ୍ତି ତାହେଲେ ଏହି ଭୂତାଣୁ ସଂକ୍ରମଣ କରିବା ଆଶଙ୍କାରହିଛି।
ପ୍ରଶ୍ନ: ଘର ବାହାରେ ବ୍ୟାୟାମ କରିବା ଉଚିତ କି?
ଉତ୍ତର: ବୟସ୍କଙ୍କ ପାଇଁ ୩୦ ମିନିଟ୍‌ ଏବଂ ପିଲାମାନଙ୍କ ପାଇଁ ଏକ ଘଣ୍ଟା ପର୍ଯ୍ୟନ୍ତ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଉଛି। ଯଦି ଆପଣଙ୍କ ସ୍ଥାନୀୟ ଅଭିଭାବକ ଅନୁମତି ଦିଅନ୍ତି, ତାହେଲେ ନିଜକୁ ନିରାପଦରେ ରଖିବା ସହିତ ସାମାଜିକ ଦୂରତା ବଜାୟ ରଖି ଚାଲିବା, ଦୌଡ଼ିବା କିମ୍ବା ବାଇକ୍‌ ଚଳାଇବାପାଇଁ ଯାଇପାରନ୍ତି। ଘରେ ରହି ଅନ୍‌ଲାଇନ୍‌ରେ ବ୍ୟାୟାମ୍ ଅଭ୍ୟାସ କରିପାରନ୍ତି। ସେହିପରି ନୃତ୍ୟଭ୍ୟାସ କିମ୍ବା ଯୋଗାଭ୍ୟାସ ମଧ୍ୟ କରିବାକୁ ପରାମର୍ଶ ଦିଆଯାଉଛି।
ପ୍ରଶ୍ନ: ଲକ୍‌ଡାଉନ୍‌ ସମୟରେ କ’ଣ ମହଜୁଦ ରଖିବା ଦରକାର?
ଉତ୍ତର: ଯଥେଷ୍ଟ ପରିମାଣ ଖାଦ୍ୟ ଓ ପାଣି ମହଜୁଦ ରଖିବା ଆବଶ୍ୟକ। ଏହାସହିତ ନିୟମିତ ଭାବେ କେଉଁ ଔଷଧ ଖାଉଛନ୍ତି ତାହା ଗଚ୍ଛିତ ରଖିବା ଦରକାର। ତେବେ ଘରେ ଅଧିକ ଖାଦ୍ୟସାମଗ୍ରୀ କିମ୍ବା ଔଷଧ ରଖିବା ଉଚିତ ନୁହେଁ, ଏହି ସମୟରେ ଆପଣ ଅନ୍ୟମାନଙ୍କ କଥା ମଧ୍ୟ ଭାବିବା ଦରକାର।
ପ୍ରଶ୍ନ: ଗ୍ରୀଷ୍ମ ମାସରେ କୋଭିଡ୍‌-୧୯ ସଂକ୍ରମଣ ହେବା ବନ୍ଦ ହୁଏ କି?
ଉତ୍ତର: ଗ୍ରୀଷ୍ମ କିମ୍ବା ଅତ୍ୟଧିକ ଗରମ ଜଳବାୟୁ କୋଭିଡ୍‌-୧୯ ପାଇଁ କୌଣସି ଫରକ ଆଣେ ନାହିଁ। ଯେକୌଣସି ଜଳବାୟୁ କିମ୍ବା ପାଗରେ ଏହା ସଂକ୍ରମିତ କରିବା କ୍ଷମତା ରଖିଛି। ତେବେ ହାତ ସଫା ଏବଂ ସାମାଜିକ ଦୂରତା ବଜାୟ ରଖିବା ସାଙ୍ଗକୁ ବାରମ୍ବାର ଆଖି, ପାଟି ଓ ନାକ ସ୍ପର୍ଶ କରନ୍ତୁ ନାହିଁ, ଯଦ୍ବାରା ଏହାର ସଂକ୍ରମଣ ଆଶଙ୍କା କମ୍‌ ରହୁଛି।
ପ୍ରଶ୍ନ: କେଉଁ ସାବୁନ୍‌ କିମ୍ବା ଡିଟରଜେଣ୍ଟ୍‌ରେ ଲୁଗା ସଫା କଲେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା କମ୍‌ ରହିଛି?
ଉତ୍ତର: ସାଧାରଣ ସାବୁନ୍‌ କିମ୍ବା ଡିଟରଜେଣ୍ଟ୍‌ରେ ଲୁଗା ସଫା କରିପାରିବେ। ତେବେ ଗରମ ପାଣିରେ ଲୁଗା ସଫା କଲେ ଅଧିକ ଫଳପ୍ରଦ ହୋଇଥାଏ।
ପ୍ରଶ୍ନ: ଭୂତାଣୁ ସଂକ୍ରମଣ ନ ହେବା ପାଇଁ ମାସ୍କ ପିନ୍ଧିବା ଜରୁରୀ କି?
ଉତ୍ତର: ମୁହଁରେ ମାସ୍କ ପିନ୍ଧିବା ଦ୍ବାରା କୋଭିଡ୍‌-୧୯ ସଂକ୍ରମଣକୁ ରୋକାଯାଇ ପାରିବ ନାହିଁ। ମାସ୍କ ପିନ୍ଧିବା ସହିତ ଅନ୍ୟ ସତର୍କତା ଯଥା ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ।
ପ୍ରଶ୍ନ: କୋଭିଡ୍‌-୧୯ ଔଷଧ କେବେ ସୁଦ୍ଧା ରୋଗୀଙ୍କୁ ଦିଆଯିବ ବୋଲି ଆଶା କରାଯାଇପାରିବ?
ଉତ୍ତର: କୋଭିଡ୍‌-୧୯ ଔଷଧ ପ୍ରସ୍ତୁତ ପାଇଁ ଅନେକ ବର୍ଷ ଲାଗିବ। ଯେବେଠାରୁ କୋଭିଡ୍‌-୧୯ ଜିନେଟିକ୍ସ ସି​‌େକ୍ବନ୍ସ ଦେଖିବାକୁ ମିଳିଛି ଏହାର ୬୦ଦିନ ପରେ ଔଷଧ ପ୍ରସ୍ତୁତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। କରୋନା ଭୂତାଣୁ ଚିକିତ୍ସା ପାଇଁ ଖୁବ୍‌ ଶୀଘ୍ର ଔଷଧ ମିଳିପାରିବ ବୋଲି ଆଶା କରାଯାଉଛି।
ପ୍ରଶ୍ନ: ମାନସିକସ୍ତରରେ ସୁସ୍ଥ ରହିବା ପାଇଁ ଲୋକଙ୍କୁ କ’ଣ ପରାମର୍ଶ ଦେବେ?
ଉତ୍ତର: ଯେଉଁ ଲୋକଙ୍କୁ ଜାଣିଛନ୍ତି ସେମାନଙ୍କ ସହିତ ଉତ୍ତମ ଭାବେ କଥାବାର୍ତ୍ତା କରନ୍ତୁ। ନିଜ ଉପରେ ଆତ୍ମ ବିଶ୍ବାସ ରଖନ୍ତୁ। ପଡ଼ୋଶୀ, ପରିବାର ଓ ସାଙ୍ଗସାଥୀଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ। ଗୀତ ଶୁଣନ୍ତୁ, ବହି ପଢନ୍ତୁ ଓ ଯେକୌଣସି ଖେଳ ଖେଳନ୍ତୁ। ଅଧିକ ଖବର ପଢ଼ିବା ଓ ଦେଖିବାରୁ ନିଜକୁ ନିବୃତ ରଖନ୍ତୁ। ନିଜେ ବିଶ୍ବାସ କରୁଥିବା ଖବର ଦିନକୁ ଦୁଇଥର ଦେଖନ୍ତୁ। ସର୍ବୋପରୀ ସରକାରୀ ଓ ଡବ୍ଲ୍ୟୁଏଚ୍‌ଓ ସୂଚନା ଓ ଟ୍ବିଟର ଅନୁସରଣ କରନ୍ତୁ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories