ରାଜ୍ୟରେ ଆସନ୍ତା ୧୬ରେ କରୋନା ଟିକାକରଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୧୬୦ଟି ଟିକାକରଣ କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ ବୋଲି କଟକ ଏସସିବିର ଭେଷଜ ବିଭାଗର ବିଭାଗୀୟ ମୁଖ୍ୟ ତଥା ରାଜ୍ୟ କୋଭିଡ ପରିଚାଳନା ସଂକ୍ରାନ୍ତୀୟ ବୈଷୟିକ ପରାମର୍ଶଦାତା ଡାକ୍ତର ପ୍ରଫେସର ଜୟନ୍ତ କୁମାର ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ ଟିକାକରଣ କେନ୍ଦ୍ରଗୁଡିକରେ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକା ଦିଆଯିବ।
ଡାକ୍ତର ପଣ୍ଡା କହିଛନ୍ତି ଯେ ରାଜ୍ୟ ସରକାର ଉଭୟ ସରକାରୀ ଓ ବେସରକାରୀ ୧୬୦ଟି କେନ୍ଦ୍ରରେ ଟିକା ଦେବା ବ୍ୟବସ୍ଥା କରିଛନ୍ତି ଓ ଗୋଟିଏ କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କୁ ଟିକା ଦିଆଯିବ। ଯଦି କୌଣସି କେନ୍ଦ୍ରରେ ୧୦୦ରୁ କମ ହିତାଧିକାରୀ ଥାନ୍ତି ସେ କ୍ଷେତ୍ରରେ ୨/୩ଟି ଟିକାକରଣ କେନ୍ଦ୍ରକୁ ମିଶାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି ଯେ ଏହି ଟିକାକରଣ ପ୍ରକ୍ରିୟାରେ ସମସ୍ତଙ୍କୁ ଅବଗତ କରାଯାଇ ଓ ଡାକି ଟିକାକରଣ କରାଯିବ। ଯଦି କୌଣସି କେନ୍ଦ୍ରରେ ନିର୍ଦ୍ଧାରିତ ସଂଖ୍ୟକ ହିତାଧିକାରୀ ନ ଆସନ୍ତି ତେବେ ସେ କ୍ଷେତ୍ରରେ ନ ଆସିପାରୁଥିବା ହିତାଧିକାରୀ ଜିଲ୍ଲା ମୁଖ୍ୟଙ୍କୁ ଜଣାଇବେ। ସେହି ସ୍ଥାନରେ ଅନ୍ୟ କୌଣସି ହିତାଧିକାରୀଙ୍କୁ ସାମିଲ କରାଯିବ ନାହିଁ।
ପ୍ରଫେସର ପଣ୍ଡା କହିଛନ୍ତି ଯେ ଯଦି କୌଣସି ପଂଜିକୃତ ହିତାଧିକାରୀ ପଞ୍ଜିକରଣ ସମୟରେ ଦେଇଥିବା ପରିଚୟ ପତ୍ର ପାଉନାହାନ୍ତି ତେବେ ସମାନ ତଥ୍ୟ ଥିବା ସ୍ୱୀକୃତ ପରିଚୟ ପତ୍ର ମାଧ୍ୟମରେ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ କିନ୍ତୁ ଏ କ୍ଷେତ୍ରରେ ସେହି ଟିକାକରଣ କେନ୍ଦ୍ରର ଅଧିକ୍ଷକଙ୍କ ନିଷ୍ପତ୍ତି ଚୂଡାନ୍ତ ହେବ। ଯଦି ଜଣେ ହିତାଧିକାରୀ ନିର୍ଦ୍ଧାରିତ ତାରିଖରେ ଟିକା ନେବାକୁ ନ ଆସନ୍ତି ସେ କ୍ଷେତ୍ରରେ ସେ ଅନ୍ୟ ତାରିଖରେ ଟିକା ନେଇପାରିବେ ନାହିଁ। ସେ ଜିଲ୍ଲା ଅଧିକାରୀଙ୍କୁ ଯୋଗାଯୋଗ କଲେ ପରବର୍ତ୍ତୀ ଟୀକାଦାନ ତାରିଖ ସ୍ଥିର କରାଯିବ ବୋଲି ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି।
କରୋନା ଟୀକାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି, ଏହି ଟୀକାର କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ କିନ୍ତୁ ଟିକା ନେବା ସ୍ଥାନରେ ସାମାନ୍ୟ ଯନ୍ତ୍ରଣା ହେବ କିମ୍ବା ସାମାନ୍ୟ ଜ୍ୱର ହେବା ଭଳି ଅନୁଭୂତ ହେଲେ ସେହି କେନ୍ଦ୍ରରେ ଥିବା ନର୍ସ ଓ ଡାକ୍ତରଙ୍କୁ ଜଣାଇବେ ଏବଂ ଯଦି ଆବଶ୍ୟକ ହୁଏ ସମ୍ପୃକ୍ତ ହିତାଧିକାରୀଙ୍କୁ ସେଠାରେ ଥିବା ୧୦୮ ଆମ୍ବୁଲାନ୍ସରେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ଯୋଗାଇ ଦିଆଯିବ।
ଯଦି କରୋନା ଟୀକାର ପ୍ରଥମ ଡୋଜ ନେବା ପରେ ଜଣେ କରୋନା ଆକ୍ରାନ୍ତ ହୁଅନ୍ତି ତେବେ ସେ ୧୪ ଦିନ ପରେ କିମ୍ବା ସମ୍ପୂର୍ଣ୍ଣ ଲକ୍ଷଣ ମୁକ୍ତ ହେବା ପରେ ଦ୍ଵିତୀୟ ଡୋଜ ନେଇପାରିବେ। ସେ କହିଛନ୍ତି, ଗତକାଲି ୪ ଲକ୍ଷ ୮ ହଜାର ଡୋଜ କରୋନା ଟିକା ରାଜ୍ୟକୁ ଆସିଛି ଏବଂ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୦ ହଜାର ସ୍ୱାସ୍ଥ୍ୟ କର୍ମୀ ଟିକା ନେବେ ଓ ୨୮ ଦିନ ପରେ ଦ୍ଵିତୀୟ ଡୋଜ ନେବେ। ତେବେ ଗୋଟିଏ ସପ୍ତାହ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟୀକାଦାନ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାରୁ ଆସନ୍ତା ୧୬ରେ ଅଧିକ ଟିକାକରଣ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯିବ ବୋଲି ପ୍ରଫେସର ପଣ୍ଡା କହିଛନ୍ତି। ଯଦି କୌଣସି ଟିକାକରଣ କେନ୍ଦ୍ରରେ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ରହିଥିବେ, ସେ କ୍ଷେତ୍ରରେ ପ୍ରଥମେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ।



