ଭୁବନେଶ୍ୱର : ଚାଷୀଙ୍କ ଆୟ ଦ୍ବିଗୁଣିତ ହେବ। ସେମାନଙ୍କ ମୁହଁରେ ହସ ଫୁଟିବ। ତାକୁ ନେଇ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ଚାଲିଛି ଯୋଜନା ପରେ ଯୋଜନା। କେନ୍ଦ୍ର ତା’ର ପିଏମ୍-କିଶାନ ସମ୍ମାନ ନିଧି ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା ଦେଇ ଏହା ଚାଷୀଙ୍କ ଫସଲ ପାଇଁ ପ୍ରୋତ୍ସାହିତ କରୁଛି ବୋଲି କହୁଛନ୍ତି। ଏଣେ ରାଜ୍ୟ ସରକାର ‘କାଳିଆ’ ଯୋଜନାରେ ବର୍ଷକୁ ୪ ହଜାର ଟଙ୍କା ଚାଷୀମାନଙ୍କୁ ଦେଇ ଏହା ଦେଶର ସବୁଠୁ ଶ୍ରେଷ୍ଠ ଯୋଜନା ବୋଲି ଦୃଢତା ଦେଖାଉଛନ୍ତି। ଏହାବ୍ୟତୀତ ସାର, ବିହନ, ଲଙ୍ଗଳ ଭଳି ଯାନ୍ତ୍ରିକ ଉପକରଣରେ ମଧ୍ୟ ଚାଷୀମାନଙ୍କୁ ବିଭିନ୍ନ ଆର୍ଥିକ ସହାୟତା ଓ ପ୍ରୋତ୍ସାହନ ପ୍ରଦାନ କରାଯାଇଆସୁଛି। ହେଲେ ଚାଷୀ ଗଣନା ନେଇ ଦ୍ବନ୍ଦ୍ବ ତୁଟିପାରୁନି। ତାଲିକାରେ ସ୍ବଚ୍ଛତା ରହୁନି। ଅନେକ ଚାଷୀ ନହୋଇ ମଧ୍ୟ ଯୋଜନା ଅର୍ଥ ହାତଉଥିବା ମାଳ ମାଳ ଅଭିଯୋଗ ଆସୁଛି। ଡିବିଟି(ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର) ଜରିଆରେ ପିଏମ୍-କିଶାନ ଓ କାଳିଆ ଟଙ୍କା ଦିଆଯାଉଛି। ଅନ୍ୟପକ୍ଷରେ ‘ନାବାର୍ଡ’ ସମବାୟ ବ୍ୟାଙ୍କ ଜରିଆରେ ଚାଷୀଙ୍କୁ ଋଣ ଯୋଗାଣ ଚାଲିଛି। ହେଲେ ବାସ୍ତବକ୍ଷେତ୍ରରେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ତାହା ହାସଲ ହୋଇପାରିନି। ଏମିତି ଦେଖିଲେ ରାଜ୍ୟରେ ଚାଷୀଙ୍କ ଆୟ ବଢିବ କ’ଣ ପାଲଟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି।
ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହେଉଛନ୍ତି, ହେଲେ ଯେଉଁମାନେ ପୁରସ୍କାରର ହକଦାର ସେମାନଙ୍କ ପେଟ ଯାଇ ପିଠିରେ ମିଶିଲାଣି। କାରଣ ଖୋଜିବା ଲାଗି ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ମାନସ ମନ୍ଥନ। ସମବାୟ ବିଭାଗର ନିର୍ଦେଶକ୍ରମେ ୧୦ ଜଣିଆ ତଦନ୍ତକାରୀ ଦଳ ୩୦ ଜିଲା ପରିଦର୍ଶନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଉକ୍ତ ଟିମ୍ ଗତମାସ ୨୨ରୁ ୨୮ ତାରିଖ ମଧ୍ୟରେ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ପରିଦର୍ଶନ କରିଥିଲେ। ପରିଦର୍ଶନରୁ ଜଣାଯାଇଛି ଯେ, ରାଜ୍ୟରେ ଖୋଲାଯାଇଥିବା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ପାକ୍ସ ଚାଷୀଙ୍କ ହିତକୁ ନେଇ କାର୍ଯ୍ୟ କରୁନାହାନ୍ତି। ଚାଷୀଙ୍କ ପାଇଁ ‘ନାବାର୍ଡ’ ଦେଉଥିବା ଟଙ୍କାକୁ ବ୍ୟାଙ୍କ ଓ ସମବାୟ ସମିତି ଆତ୍ମସାତ୍ କରୁଥିବାବେଳେ ଚାଷୀର ତଣ୍ଟିରେ ଛୁରି ଲାଗିଛି। ଚାଷୀଙ୍କ ପେଟକୁ ସମବାୟ ନାତ ଏବେ ବାଧୁଛି। ବାହାବା ସାଉଁଟିବା ପାଇଁ ରାଜ୍ୟ ସମବାୟ ବ୍ୟାଙ୍କ ଲାଭବାନ ହେଉଛି ବୋଲି ସରକାରଙ୍କୁ ରିପୋର୍ଟ ପ୍ରଦାନ କରୁଛି; ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ କଥା କହୁଛି।
ତଥ୍ୟ ଅନୁଯାୟୀ, ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ପାକ୍ସ ଅନଲାଇନରେ ଯୋଡ଼ା ହେବା ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଉଦଘାଟନ କରିବେ। ଏହାପୂର୍ବରୁ ସମବାୟ ବିଭାଗ ପକ୍ଷରୁ ସବୁ ପାକ୍ସର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ସଂଗ୍ରହ କରାଯାଉଛି। ରାଜ୍ୟରେ ଥିବା ୨୭୧୦ରୁ ଊର୍ଦ୍ଧ୍ବ ପାକ୍ସ କିଭଳି ଚାଷୀଙ୍କୁ ଋଣ ପ୍ରଦାନ କରୁଛନ୍ତି ଏବଂ ପାକ୍ସ ଗୁଡିକରେ କେବେ ସୁଦ୍ଧା କମ୍ପ୍ୟୁଟରୀକରଣ ଶେଷ ହୋଇପାରିବ ସେ ନେଇ ସମବାୟ ବିଭାଗ ପକ୍ଷରୁ ୧୦ ବରିଷ୍ଠ ଅଧିକାରୀଙ୍କୁ ୩୦ଟି ଜିଲା ପରିଦର୍ଶନ କରି ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଥିଲା। ସେଥିମଧ୍ୟରେ ବିଭାଗୀୟ ଅତିରିକ୍ତ ସଚିବ ସୁଦର୍ଶନ ସେଠୀ, ଅତିରିକ୍ତ ସଚିବ ସନ୍ତୋଷ କୁମାର ଦାଶ, ଯୁଗ୍ମ ସଚିବ କୁଳମଣି ପାଢ଼ୀ, ଓଏସଡବ୍ଲ୍ୟୁସି ସୁପ୍ରିୟା ସ୍ବାଇଁ, ଉପସଚିବ ବିଜୟ କେତନ ସାହୁ, ଜେଆରସିଏସ୍ ଶବୀର କୁମାର ପଣ୍ଡା, ଡିଆରସିଏସ ରୋଜାଲିନ୍ ସେନାପତି, ଜେଆରସିଏସ୍ ଜେ. କେରକେଟା, ଡିଆରସିଏସ ସୁମିତ୍ରା ପତି ଓ ଡିଆରସିଏସ୍ ଶିବ ପ୍ରସାଦ ସ୍ବାଇଁ ପ୍ରମୁଖ ଥିଲେ। ଅଧିକାରୀମାନେ ବିଭିନ୍ନ ଜିଲା ପରିଦର୍ଶନ କରି ଯେଉଁ ତଥ୍ୟ ପାଇଛନ୍ତି ତାହା ବିଭାଗୀୟ ସଚିବଙ୍କୁ ଜଣାଇବାକୁ ଡରୁଛନ୍ତି। ତୃଣମୂଳସ୍ତରରେ ଯାହା ଦେଖିଲେ ତାହା ଲେଖିଲେ କାଳେ କଥା ବୁମେରାଂ ହେବ ସେହି ଭୟରେ ରିପୋର୍ଟ ଏପାଖ ସେପାଖ କରାଯାଉଥିବା ଭିତିରି ସୂତ୍ରରୁ ଜଣାପଡିଛି। ତେବେ ରାଜ୍ୟରେ ଚାଷୀଙ୍କ ପାଇଁ ସରକାର ପ୍ରତିବର୍ଷ ଯେଉଁ ହଜାର ହଜାର କୋଟିର ଆର୍ଥିକ ସହାୟତା ଦେଉଛନ୍ତି, କୃଷି ବଜେଟ୍ ବଢାଉଛନ୍ତି, ତାହା ବାସ୍ତବକ୍ଷେତ୍ରରେ ଚାଷୀ ପାଉ ନଥିବା ତଦନ୍ତ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି।
ଜଣେ ତଦନ୍ତକାରୀ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ରାଜ୍ୟରେ ଚାଷୀଙ୍କୁ ଋଣ ଦେବା ଲାଗି ଯେଉଁ ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି ତାହା ଅସାଧୁ ବ୍ୟାଙ୍କ ଓ ପାକ୍ସ କର୍ମଚାରୀଙ୍କୁ ସୁହାଉଛି। କେରଳ ଭଳି ରାଜ୍ୟରେ ବ୍ୟାଙ୍କ ସିଧାସଳଖ ଚାଷୀଙ୍କ ଖାତାକୁ ଋଣ ଦେଉଛି, ମାତ୍ର ଓଡ଼ିଶାରେ ଲମ୍ବା ପ୍ରକ୍ରିୟା ଅବଲମ୍ବନ କରାଯାଉଛି। ପ୍ରଥମେ ‘ନାବାର୍ଡ’ ସମବାୟ ବ୍ୟାଙ୍କକୁ ଋଣ ବାବଦ ଅର୍ଥ ପ୍ରଦାନ କରୁଛି। ଏହାକୁ ଡିସିସିବି ଜରିଆରେ ପାକ୍ସକୁ ପ୍ରଦାନ କରୁଛି। ପାକ୍ସ ଚାଷୀଙ୍କୁ ଋଣ ଅର୍ଥ ଦେଉଛି। ପୂର୍ବରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଲାଗି ସୁଧ ଛାଡ ଥିବାବେଳେ ମାସକ ତଳେ ଏହି ପରିମାଣ ୧ଲକ୍ଷ ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି। ଡିସିସିବି ସ୍ତରରେ ବ୍ୟାପକ ଦୁର୍ନୀତି ହେଉଥିବା ନଜରକୁ ଆସିଛି। ଫଳରେ ‘ନାବାର୍ଡ’ ଦେଉଥିବା ଶତପ୍ରତିଶତ ଅର୍ଥ ଚାଷୀଙ୍କ ପାଖରେ ପହଞ୍ଚିପାରୁନାହିଁ। ବାସ୍ତବକ୍ଷେତ୍ରରେ ଡିସିସିବିର କୌଣସି ଭୂମିକା ନ ଥିବାବେଳେ ସେଠାରେ ଅରାଜକତା ବଢ଼ି ଚାଲିଛି। ରାଜ୍ୟର ଅଧିକାଂଶ ଡିସିସିବିରେ ଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।
୨୦୧୪ରେ ରାଜ୍ୟର ସବୁ ପାକ୍ସକୁ କମ୍ପ୍ୟୁଟରୀକରଣ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ୬୦ରୁ ଊର୍ଦ୍ଧ୍ବ କୋଟି ଟଙ୍କା ଖର୍ଚ୍ଚ ହୋଇଛି; ମାତ୍ର ୮ବର୍ଷ ବିତିଥିଲେ ବି ଏହା ଶେଷ ହୋଇପାରିନାହିଁ। ଏହାକୁ ନେଇ ସିଏଜିଙ୍କ ପକ୍ଷରୁ ତନାଘନା ହେଉଥିଲେ ହେଁ ଯେଉଁ ଅଧିକାରୀ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନଥିବା ଜଣାପଡିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟ ସାମ୍ନାକୁ ଆସିବ ଓ ସରକାର ଅଯଥା ଆର୍ଥିକ କ୍ଷତିରୁ ବର୍ତ୍ତିବା ସହିତ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଏକାଧିକ କୃଷିବିତ୍ ମତ ରଖିଛନ୍ତି।
ଚାଷୀଙ୍କ ପେଟକୁ ସମବାୟ ନାତ
Popular Categories



