ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ
ନୂଆଦିଲ୍ଲୀ : କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ କାର୍ଯ୍ୟସୂଚୀକୁ ଅନୁମୋଦନ କରିବା ଲାଗି ରବିବାର ଅପରାହ୍ଣରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ସେପ୍ଟେମ୍ବର ୧୭ରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।ଅକ୍ଟୋବର୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୧୯ରେ ନୂଆ କଂଗ୍ରେସର ସଭାପତିଙ୍କ ନାଁ ଘୋଷଣା ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର ହୋଇଛି।
କଂଗ୍ରେସର ପରାମର୍ଶ ମୂଳକ ବ୍ୟବସ୍ଥାକୁ ରାହୁଲ ଗାନ୍ଧୀ ନଷ୍ଟ କରିଛନ୍ତି ବୋଲି ସମାଲୋଚନା କରି ଦଳରୁ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଇସ୍ତଫା ଦେବା ପରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ତେଣେ ତେଲେଙ୍ଗାନାର ଜଣେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଏମ୍.ଏ. ଖାନ୍ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ବିଧାୟକ ରାଜଗୋପାଲ ରେଡ୍ଡୀ ଇସ୍ତଫା ଦେବାପରେ ଶ୍ରୀ ଖାଁ ଇସ୍ତଫା ଦେଇଥିବାର ଜଣାପଡିଛି । ଦେଶକୁ ଆଗେଇ ନେବାରେ ଦଳର ବିଫଳତା ଦର୍ଶାଇ ଶ୍ରୀ ଖାଁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଅଗଷ୍ଟ ୨୧ରୁସେପ୍ଟେମ୍ବର ୨୦ ମଧ୍ୟରେ ଦଳର ସଭାପତି ପଦ ପାଇଁ ନିର୍ବାଚନ କରାଯିବ ବୋଲି ଘୋଷଣା କରାଯାଇଥିଲା ।
Comments are closed.