ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନ ଅବଦାନ ଗୁରୁତ୍ୱପୂର୍ଣ୍ଣ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଭୁବନେଶ୍ଵର:ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବାଚସ୍ପତି ସୁରମା ପାଢ଼ୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତାରେ ବାଚସ୍ପତି କହିଛନ୍ତି ଯେ, ଜଣେ ଜନପ୍ରତିନିଧି ଓ ସାଂସଦ ଭାବେ ସେ ଅନେକ ଜନକଲ୍ୟାଣମୂଳକ କାର୍ଯ୍ୟ କରି ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ। ସେ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପାର୍ଲିଆମେଣ୍ଟାରିଆନ ଥିଲେ। ୧୯୯୯ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି। ରାଜ୍ୟର ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ରାଜ୍ୟ ବିଜେପି ସଭାପତି ଭାବେ ଓଡ଼ିଶାରେ ଭାରତୀୟ ଜନତାପାର୍ଟିକୁ ସୁଦୃଢ କରି ଆଗେଇ ନେବାରେ ତାଙ୍କର ଅବଦାନ ସ୍ବର୍ଗତ ପ୍ରଧାନଙ୍କୁ ସବୁଦିନ ପାଇଁ ସ୍ମରଣୀୟ କରି ରଖିବ। ବାଚସ୍ପତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଡ଼କ୍ଟର ଦେବେନ୍ଦ୍ର ପ୍ରଧାନଙ୍କର ପରଲୋକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ନିଜ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ସ୍ବର୍ଗତ ପ୍ରଧାନଙ୍କ ସେବାକୁ ଦେଶବାସୀ କେବେବି ଭୁଲି ପାରିବେ ନାହିଁ। ବିଶିଷ୍ଟ ଜନନେତା ଏବଂ ସାମାଜିକ କର୍ମୀ ଭାବେ ସେ ସାରା ଓଡିଶା ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି। ଦୃଢ଼ ନେତୃତ୍ୱ, ସମାଜସେବା ଏବଂ ଲୋକକଲ୍ୟାଣରେ ସେ ହେଉଛନ୍ତି ଜ୍ୱଳନ୍ତ ଉଦାହରଣ। ଆମ ଦଳର ମାର୍ଗଦର୍ଶକ ତଥା କେନ୍ଦ୍ରମନ୍ତ୍ରୀ ଭାବେ ତାଙ୍କ ଅବଦାନକୁ ରାଜ୍ୟବାସୀ କେବେବି ଭୁଲି ପାରିବେ ନାହିଁ। ତାଙ୍କ ବିୟୋଗ ସମଗ୍ର ରାଜନୀତି ଜଗତ ତଥା ରାଜ୍ୟପାଇଁ ଏକ ବଡ଼ କ୍ଷତି ବୋଲି ସେ ଅବିହିତ କରିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ । ରାଜ୍ୟ ବିଜେପିର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ସେବା ଓ ସଂକଳ୍ପ ମନୋଭାବରେ ସେ ରାଜ୍ୟର ବିକାଶ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ । ଏହି ବର୍ଷିୟାନ ବ୍ୟକ୍ତିତ୍ୱଙ୍କ ବିୟୋଗ ଯୋଗୁ ଦେଶ ତଥା ରାଜ୍ୟ ଜଣେ ବିଶିଷ୍ଟ ଜନସେବକଙ୍କୁ ହରାଇଲା ବୋଲି ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି । ୧୯୯୯ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ଅନେକ ଜନକଲ୍ୟାଣ ମୂଳକ କାର୍ଯ୍ୟକରି ସାଧାରଣ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ବୋଲି ମନ୍ତ୍ରୀ ଡଃ ମହାପାତ୍ର ଶୋକବାର୍ତ୍ତାରେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ସେ କହିଛନ୍ତି, “ପିତାଙ୍କ ସ୍ଥାନ ସର୍ବଦା ସ୍ୱତନ୍ତ୍ର । ନିଜ ପିତାଙ୍କୁ ହରାଇବା ଦୁଃଖ ଜୀବନର ସବୁଠାରୁ କଷ୍ଟଦାୟକ ମୁହୂର୍ତ୍ତ ହୋଇଥାଏ । ଏଭଳି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ଜଗନ୍ନାଥ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁ । ଦେବେନ୍ଦ୍ର ପ୍ରଧାନ ଭାରତୀୟ ଜନତା ପାର୍ଟିରୁ ନିର୍ବାଚିତ ହୋଇ ଭାରତ ସରକାରଙ୍କ ଭୂପୃଷ୍ଠ ପରିବହନ ଏବଂ ରାଜପଥ, କୃଷି ମନ୍ତ୍ରୀରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ଦେଶର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ । ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ଵ, ସୁଦକ୍ଷ ସାଙ୍ଗଠନିକ କାର୍ଯ୍ୟଶୈଳୀ ସର୍ବଦା ଆମକୁ ପ୍ରେରଣା ଯୋଗାଇବ । ବ୍ୟକ୍ତିଗତ ଭାବେ ସେ ଜଣେ ଭଦ୍ର, ନିର୍ମଳ ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଭୂପୃଷ୍ଠ ପରିବହନ, କୃଷି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟକରି ଦେଶ ତଥା ରାଜ୍ୟର ବିକାଶରେ ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ଵର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, ଜଣେ ନୀତିନିଷ୍ଠ ରାଜନେତା ଭାବେ ବିଭିନ୍ନ ଦାୟିତ୍ୱରେ ରହି ସେ ରାଜ୍ୟର ଉନ୍ନତି ତଥା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରି ସେ ସୁନାମ ଅର୍ଜନ କରିଥିଲେ । ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସକ୍ରିୟ ସଦସ୍ୟ, ଭାରତୀୟ ଜନତା ପାର୍ଟିର ଉପ ସଭାପତି, ବିଜେପି ରାଜ୍ୟ ସଭାପତି ଆଦି ବିଭିନ୍ନ ପଦବୀରେ ରହି ସେ କୃତି ଓ କୃତିତ୍ଵର ନିଆରା ଉଦାହରଣ ସୃଷ୍ଟି କରିଥିଲେ । ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରି ଜଣେ ଆଦର୍ଶ ଡାକ୍ତରର ପରିଚୟ ସେ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି ।

ଜଣେ ବିଶିଷ୍ଟ ରାଜନେତା, ଦୃଢ ସଂଗଠକ ତଥା ରାଜନୀତିର ଉଜ୍ଜ୍ବଳମୟୀ ତାରକା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ଵର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷାକୁ ପ୍ରାଥମିକତା ଦେଇ ଡ଼ାକ୍ତରୀ ବୃତ୍ତିକୁ ଗ୍ରହଣ କରିଥିଲେ ସ୍ଵର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନ । ପରେ ପରେ ଜନତାଙ୍କ ସେବା କରିବା ଉଦ୍ଦେଶ୍ୟରେ ରାଜ୍ୟ ରାଜନୀତିରେ ଯୋଗ ଦେଇଥିଲେ ଓ ଦୁଇ ଦୁଇ ଥର ଅଟଳ ବିହାରୀ ବାଜପେୟୀଙ୍କ ଶାସନରେ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ତାଙ୍କ ଭଳି ଜଣେ ପ୍ରଭାବଶାଳୀ ରାଜନେତାଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି ମନ୍ତ୍ରୀନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ ବାର୍ତ୍ତାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ନୀତିନିଷ୍ଠ ଜନପ୍ରତିନିଧି, ସୁଦକ୍ଷ ସଂଗଠକ ଓ ଅଭିଜ୍ଞ ନୀତିନିର୍ଦ୍ଧାରକ ଥିଲେ । କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ସେ ଯେଉଁ ଦକ୍ଷତା ଓ ସଂକଳ୍ପର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ, ସେଥିପାଇଁ ସମଗ୍ର ଦେଶ ଓ ଓଡ଼ିଶା ବିକାଶର ପ୍ରମୁଖ ବିନ୍ଧାଣି ରୂପେ ତାଙ୍କ ଯୋଗଦାନ ଚିର ସ୍ମରଣୀୟ । ଓଡ଼ିଶାର ତୃଣମୂଳ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ସଙ୍ଗଠନକୁ ସୁଦୃଢ କରିବାରେ ସ୍ୱର୍ଗତ ପ୍ରଧାନଙ୍କର ବିଶେଷ ଭୂମିକା ରହିଥିଲା । ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ପରି ଜଣେ ଉତ୍ତୁଙ୍ଗ ଜନନେତାଙ୍କ ଦେହାବସାନ ସମଗ୍ର ଦେଶ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ପ୍ରକାଶ କରିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ଵର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକବାର୍ତ୍ତାରେସେ କହିଛନ୍ତି ଯେ ସ୍ବର୍ଗତ ଡ଼. ଦେବେନ୍ଦ୍ର ପ୍ରଧାନ ଭାରତ ରାଜନୀତିରେ ଜଣେ ଦକ୍ଷ ସାଂସଦ ଓ ଜନପ୍ରିୟ ନେତା। ୧୯୯୯ ରୁ ୨୦୦୧ ମସିହା ପର୍ଯ୍ୟନ୍ତ ସେ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ରାଜ୍ୟ ବିଜେପିର ସଭାପତିତ୍ୱ କରି ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଆଦର୍ଶକୁ ସୁଦୃଢ କରିଥିଲେ। ରାଜ୍ୟର ବିକାଶ ପାଇଁ ସେ ସଂକଳ୍ପବଦ୍ଧ ଥିଲେ। ଏଭଳି ଜଣେ ନୀତିନିଷ୍ଠ ବ୍ୟକ୍ତିତ୍ୱଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସ୍ବର୍ଗତ ପ୍ରଧାନଙ୍କୁ ମୁଁ ଅତି ନିକଟରୁ ଜାଣେ ଏବଂ ଆଜି ମୋ ରାଜନୈତିକ ଜୀବନର ଜଣେ ମାର୍ଗଦର୍ଶକଙ୍କୁ ହରାଇ ଅତ୍ୟନ୍ତ ମର୍ମାହତ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।ଜଣେ ଜନ ପ୍ରତିନିଧି ଭାବେ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀୟ । କେନ୍ଦ୍ର ମନ୍ତ୍ରୀ ଭାବେ ରାଜ୍ୟ ପାଇଁ କରିଯାଇଥିବା କାର୍ଯ୍ୟ ନିମନ୍ତେ ସେ ଆମ ନିକଟରେ ସ୍ମରଣୀୟ ରହିବେ । ତାଙ୍କ ବିୟୋଗରେ ରାଜ୍ୟରେ ଜଣେ ନେତାଙ୍କର ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ତଥା ଓଡ଼ିଶାର ଅନ୍ୟତମ ବିଶିଷ୍ଟ ନେତା ଡ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ଵୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, “ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତାଳଚେର ମଣ୍ଡଳ ବିଜେପି ସଭାପତିରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ଅବିଭକ୍ତ ଢେଙ୍କାନାଳ ଜିଲା ବିଜେପିର ଜିଲା ସଭାପତି, ଦୁଇଥର ବିଜେପି ରାଜ୍ୟ ସଭାପତି, ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ଦେବଗଡ଼ ସଂସଦୀୟ ନିର୍ବାଚନ ମଣ୍ଡଳୀର ଦୁଇଥର ସାଂସଦ, କେନ୍ଦ୍ର ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ, କେନ୍ଦ୍ର ଭୂପୃଷ୍ଠ ପରିବହନ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ରାଜ୍ୟସଭାର ସାଂସଦ ରୂପେ ସେ ଅତ୍ୟନ୍ତ ଦକ୍ଷତାର ସହ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ଦୀର୍ଘ ସମୟ ଧରି ଉଭୟ ରାଜ୍ୟ ତଥା ଜାତୀୟ ରାଜନୀତିରେ ତାଙ୍କର ଭୂମିକା ଥିଲା ଉଲ୍ଲେଖନୀୟ। ଜୀବନବ୍ୟାପୀ ସେ ଲୋକଙ୍କ ସେବା କରିବାରେ ନିଜକୁ ଉତ୍ସର୍ଗ କରିଥିଲେ।ତାଙ୍କ ସୁପୁତ୍ର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଓ ଜାତୀୟ ସ୍ତରରେ ଜଣେ ତୁଙ୍ଗ ରାଜନେତା ଭାବେ ସୁନାମ ଅର୍ଜନ କରିଛନ୍ତି ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଜଣେ ସୁଦକ୍ଷ ଓ ଜନସେବା ପ୍ରତି ସମର୍ପିତ ରାଜନେତା ଭାବେ ତାଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ
ରହିବ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼କ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, “ଡ଼କ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଜଣେ ସୁଦକ୍ଷ ସଂଗଠକ ଓ ଅଭିଜ୍ଞ ରାଜନେତା ଭାବେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ପରିଚିତ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସେ ସଡ଼କ ପରିବହନ ଓ କୃଷି ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇ ଥିଲେ। ଜଣେ ନୀତିନିଷ୍ଠ ଜନ ପ୍ରତିନିଧି ଭାବରେ ସ୍ବର୍ଗତ ଡ଼କ୍ଟର ପ୍ରଧାନ ଆମ ଦେଶ ଓ ରାଜ୍ୟ ଓଡ଼ିଶାର ପ୍ରଗତି ପାଇଁ ଅନେକ ଜନାଭିମୁଖୀ କାର୍ଯ୍ୟରେ ନିଜର ଯୋଗଦାନ ଦେଇଥିଲେ।

ଡ଼କ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ରାଜନୀତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ମୁଁ ଅମର ଆତ୍ମା ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗ ପ୍ରତି ମୋର ସମବେଦନା ଜ୍ଞାପନ କରୁଛି”, ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

Comments are closed.