www.samajalive.in
Wednesday, November 12, 2025
28.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଝାରସୁଗୁଡ଼ା/ଭୁବନେଶ୍ବର: ଲଘୁଚାପଜନିତ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରୁହ। ଜିଲା ଏବଂ ବ୍ଲକ୍‌ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କର। ଦୁର୍ବଳ ନଦୀ ଓ କେନାଲ ବନ୍ଧଗୁଡ଼ିକ ଉପରେ ନଜର ରଖ। ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଜନିତ ବର୍ଷାରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲାର ଜିଲାପାଳଙ୍କୁ ଏହି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଲଘୁଚାପ ପ୍ରଭାବରେ ୩ଟି ଜିଲା ଯଥା- କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ବିଶେଷ ପ୍ରଭାବିତ ହେବାର ଆଶଙ୍କା ଥିବାବେଳେ ୧୪ଟି ଜିଲା ଯଥା- ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାକୁ ନଜରରେ ରଖି ଏହାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲାର ଜିଲାପାଳଙ୍କ ସହିତ ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଏବଂ ଏହାର ତଥ୍ୟଗୁଡ଼ିକ ନିୟମିତ ଭାବେ ଅପ‌େ‌ଡଟ୍‌ କରିବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ।

ପରିବର୍ତ୍ତିତ ପରିସ୍ଥିତି ଦେଖି ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏପରି ପରିସ୍ଥିତିର ମୁକାବିଲା ପାଇଁ ଡ୍ରେନେଜ୍ ଇଞ୍ଜିନିୟର ଏବଂ ଅଧିକାରୀଙ୍କୁ ସହାୟକ କର୍ମଚାରୀ ଏବଂ ଯନ୍ତ୍ରପାତି ସହିତ ପ୍ରସ୍ତୁତ ରହିବା ଆବଶ୍ୟକ। ଏହି ସମୟରେ ଜଳବନ୍ଦୀ ସମ୍ମୁଖୀନ ହେବାର ସମ୍ଭାବନା ଥିବା ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ପକ୍ଷରୁ ଆଗୁଆ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏଥିସହିତ ଦାୟିତ୍ବରେ ଥିବା ଇଞ୍ଜିନିୟରିଂ କର୍ମଚାରୀ ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

- Advertisement -

ତୁରନ୍ତ ସହାୟତା ପାଇଁ ଓଡ୍ରାଫ୍‌ ଏବଂ ଅଗ୍ନିଶମ ସେବା ୟୁନିଟ୍‌ଗୁଡ଼ିକୁ ପୂର୍ଣ୍ଣ ପ୍ରସ୍ତୁତ ରଖିବା, ତଳିଆ ଅଞ୍ଚଳ କିମ୍ବା ଯେଉଁଠାରେ ବନ୍ୟା ଆଶଙ୍କା ରହିଛି ଏବଂ ଅନ୍ୟାନ୍ୟ ଆବଶ୍ୟକ ସ୍ଥାନରେ ୟୁନିଟ୍‌ଗୁଡ଼ିକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏଥିସହିତ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ଥିବାରୁ ଉକ୍ତ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି କ୍ଷେତ୍ରୀୟ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ସେ ଜିଲାପାଳଙ୍କୁ କହିଥିଲେ। ମାଲକାନଗିରି ଜିଲାରେ ଅଧିକ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବହୁମୁଖୀ ବନ୍ୟାବାତ୍ୟା ଆଶ୍ରୟସ୍ଥଳ ବ୍ୟବହାର ପାଇଁ ପ୍ରସ୍ତୁତ ରଖାଯାଇଛି। ସେଠାରେ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ଦ୍ରବ୍ୟ ମଧ୍ୟ ମହଜୁଦ୍ ରଖାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ନେଇ ରନ୍ଧାଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବିଭିନ୍ନ ଅଞ୍ଚଳରେ ଆବଶ୍ୟକ ଔଷଧ ପତ୍ର, ସାପ କାମୁଡ଼ା ଇଞ୍ଜେକ୍ସନ, ଗୋ-ଖାଦ୍ୟ ଓ ଅନ୍ୟାନ୍ୟ ପଶୁ ଖାଦ୍ୟ ଯଥେଷ୍ଟ ପରିମାଣରେ ମହଜୁଦ୍ ରଖିବା ପାଇଁ ନିର୍ଦେଶ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ଦକ୍ଷତା ରହିଛି ଏବଂ ଜାତୀୟସ୍ତରରେ ରାଜ୍ୟ ପ୍ରଶଂସା ଅର୍ଜନ କରିଛି। ଏହି ଲଗାଣ ବର୍ଷାଜନିତ ସମସ୍ୟାର ଠିକ୍‌ ଭାବେ ପରିଚାଳନା ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏବଂ ଆଭାସି ମାଧ୍ୟମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

ଦିଲ୍ଲୀ ବିସ୍ଫୋରଣ : ଜାନୁଆରୀ ୨୬ରେ ହୋଇଥିଲା ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା...

Related Articles

Popular Categories