ସମ୍ବଲପୁର: ସମ୍ବଲପୁର ଠାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ସକାଳୁ ହେବ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ସମେତ ସମୁଦାୟ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ବିଧାୟକ ସମ୍ବଲପୁରରେ ପହଂଚିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ତାଙ୍କର ମନ୍ତ୍ରିମଣ୍ଡଳ ସହିତ ସନ୍ଧ୍ୟା ସମୟରେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହିତ ଆଳତିରେ ସାମିଲ ହୋଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମାଁ ସମଲେଶ୍ୱରୀଙ୍କ ପୁଜାର୍ଚ୍ଚନା କରିବା ପାଇଁ ଗମ୍ଭୀରା ମଧ୍ୟକୁ ଯାଇଥିଲେ। ଗମ୍ଭୀରା ମଧ୍ୟରେ ପୂଜାରୀ ମାନେ ମନ୍ତ୍ରୋଚ୍ଚାରଣ କରି ପାରମ୍ପରିକ ରିତିନିତି ଅନୁଯାୟୀ ପୁଜାର୍ଚ୍ଚନା କରୁଥିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୀପ ପ୍ରଜ୍ୱଳନ କରି ମାଁ ଙ୍କ ସମ୍ମୁଖରେ ପୁଜା କରୁଥିବା ସମୟରେ ଏକ ବଡ ଫୁଲ ମାଳ ମାଁଙ୍କ ବେକରୁ ସ୍ୱତଃ ରୂପେ ବାହାରି ତଳକୁ ଖସିଥିଲା। ଏହା ଦେଖି ପୂଜାରୀ ସଘନ ରାୟ ତୁରନ୍ତ ମାଁଙ୍କ ଉକ୍ତ ଫୁଲ ମାଳକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପିନ୍ଧାଇ ଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଏହା ମା’ଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି ଏବଂ ଏହା ରାଜ୍ୟବାସୀଙ୍କ ପାଇଁ ଶୁଭ ସଙ୍କେତ ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି।
Popular Categories



