www.samajalive.in
Friday, December 12, 2025
16.1 C
Bhubaneswar

ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ; ‘ସୁଜଳ’ ଯୋଜନାର ଶୁଭାରମ୍ଭ କେଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ବର ଓ ପୁରୀରେ ( Drink from Tap Mission) ‘ସୁଜଳ’ ଲୋକାର୍ପିତ କରିଛନ୍ତି । ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ଏହାଦ୍ବାରା ଲୋକମାନେ ଉନ୍ନତ ଦେଶର ଲୋକମାନଙ୍କ ପରି ସିଧାସଳଖ ଟ୍ୟାପ୍‌ରୁ ପାଣି ଆଣି ପିଇ ପାରିବେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଆଧାରରେ ବ୍ୟବସ୍ଥାର ରୂପାନ୍ତର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀକହିଥିଲେ ଯେ,  ଆଜି ଭୁବନେଶ୍ବର ଓ ପୁରୀରୁ “Drink from Tap Mission-SUJAL” ଆରମ୍ଭ କରାଗଲା । ଏହାଦ୍ବାରା ଏହି ଦୁଇ ସହରର ଏକ ଲକ୍ଷ ଅଶି ହଜାରରୁ ଅଧିକ ଲୋକ ଉପକାର ପାଇବେ। ଏହି ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ ରାଜ୍ୟରେ ସବୁ ଅଞ୍ଚଳରେ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

- Advertisement -

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକଶିତ ଦେଶ ମାନଙ୍କରେ ଲୋକମାନେ ସିଧା ଟ୍ୟାପରୁ ପାଣି ପିଅନ୍ତି । ପାଣି ଗରମ କରିବା, ସୁଦ୍ଧ କରିବା ପାଇଁ ମେସିନ୍‌ ଦରକାର ହୁଏ ନାହିଁ । କାରଣ ସେମାନେ ସିଧା ଟ୍ୟପରୁ ଭଲ ପିଇବା ପାଣି ପାଆନ୍ତି ।

ଭୁବନେଶ୍ବରର ସାଲିଆ ସାହି ଓ ପୁରୀର ମଶାଣୀଚଣ୍ଡୀରେ ଏହି କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଥିଲା । ସାଲିଆ ସାହିରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ  ସୁଷାନ୍ତ ରାଉତ ଏବଂ ପୁରୀରେ ମନ୍ତ୍ରୀ  ତୃଷାରକାନ୍ତି ବେହେରା ଓ ବିଧାୟକ  ଜୟନ୍ତ ଷଡଙ୍ଗୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଲୋକାର୍ପଣ କରିଥିଲେ । ଜଳସାଥି ମାନଙ୍କୁ ଜଳର ମାନ ପରୀକ୍ଷା ଯନ୍ତ୍ର ପ୍ରଦାନ କରାଯାଇଥିଲା ଏବଂ ପାଣି ପାଇପ୍ ମିସ୍ତ୍ରୀ ମାନଙ୍କୁ ପ୍ରଶିକ୍ଷଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁରୀ ହେଉଛି ଏକ ବଡ ପର୍ଯ୍ୟଟନ କେନ୍ଦ୍ର। ପ୍ରତିଦିନ ବହୁତ ପର୍ଯ୍ୟଟକ ଏଠାକୁ ଆସନ୍ତି । ସେମାନେ ପାଣି ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତି । ତେଣୁ “Drink from Tap” ସୁବିଧା ଦ୍ବାରା ପୁରୀରୁ ପ୍ଲାଷ୍ଟିକ ପ୍ରଦ୍ୟୁଷଣ କମିଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ଏହାଦ୍ବାରା ୧୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ ଏବଂ ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ।

ମିଶନ ଶକ୍ତିର ମା’ ମାନେ ଜଳ ସାଥି ଭାବରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଯେଭଳି ଦକ୍ଷତାର ସହ ଦାୟିତ୍ବ ତୁଲାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ। ସେହିପରି WATCO ପକ୍ଷରୁ ପାଣି ପାଇପ ମିସ୍ତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ମଧ୍ୟ ସେ ଖୁସି ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭଦ୍ରକରୁ ଯୋଗ ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ପ୍ରେରଣା ଯୋଗୁ ଆଜି ଓଡିଶା “Drink from Tap Mission”ରେ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି। ୫-ଟି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସବୁ କ୍ଷେତ୍ରରେ ରୂପାନ୍ତରୀକରଣ ପ୍ରକ୍ରିୟା ପାଇଁ ନିଷ୍ଠାର ସହ କାମ କରୁଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଯୋଗ ଦେଇ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗା ଶଂକର ମିଶ୍ର ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଓଡିଶା ଏମିତି କିଛି ସଫଳତା ପାଇଛି, ଯାହା କି ଦେଶରେ ପ୍ରଥମ । ଏହାଦ୍ବାରା ଅନେକ କ୍ଷେତ୍ରରେ ପରିବର୍ତ୍ତନର ଝଲକ ଦେଖିବାକୁ ମିଳୁଛି । ବୈଷୟିକ ଜ୍ଞାନର ବ୍ୟବହାର, ଜଳସାଥି ମାନଙ୍କର ନିୟୋଜନ, ଶକ୍ତି ସଂରକ୍ଷଣ, ଜଳବାହିତ ରୋଗର ନିୟନ୍ତ୍ରଣ, ଏହିପରି ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇପାରିବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ କାର୍ଯ୍ୟକ୍ରମ ରୂପାୟନ ବୈଠକରେ ଅଧ୍ୟକ୍ଷତା କରିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ Drink from Tap କାର୍ଯ୍ୟକ୍ରମ ସାଲିଆ ସାହିରୁ ଆରମ୍ଭ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହାଦ୍ବାରା ସାଲିଆ ସାହିର ଗରିବ ଲୋକ ଆଧୁନିକ ବୈଷୟିକ ଜ୍ଞାନର ସୁଫଳ ପାଇପାରିବେ ଏବଂ ସବୁ ଘରକୁ ପାଣି ପାଇପ ସଯୋଗ ସହ କଳରୁ ସିଧାସଳଖ ବିଶୁଦ୍ଧ ପାଣି ବ୍ୟବହାର କରିପାରିବେ ବୋଲି ସେ କହିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ହୋଇଛି ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ PHEOର EIC ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଭୁବନେଶ୍ବରରେ ଓ ପୁରୀରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories