ଚୌଦ୍ୱାର: ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତ ଅତିଥି ଶିକ୍ଷକମାନେ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ କରିଥିଲେ ହେଁ ସେମାନଙ୍କ ବକେୟା ପ୍ରାପ୍ୟ ଏଯାବତ୍ ପ୍ରଦାନ କରାଯାଇ ନ ଥିବାରୁ ଚୌଦ୍ୱାର ଅବସରପ୍ରାପ୍ତ ଶିକ୍ଷକ ସଂଘ ତରଫରୁ କ୍ଷୋଭ ପ୍ରକାଶ କରାଯାଇ ଅତିଥି ଶିକ୍ଷକମାନଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରାଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ଭାଗିରଥୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏସଂକ୍ରାନ୍ତରେ ଏକ ପ୍ରତିବାଦ ବୈଠକ ବୈଦେଶ୍ୱର ମନ୍ଦିର ନିକଟ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା।
ସଂଗଠନର ସମ୍ପାଦକ ସୁକାନ୍ତ କୁମାର ମହାନ୍ତି, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ମିଶ୍ର, ନରେନ୍ଦ୍ର ଶତପଥି, ପ୍ରମୋଦ ନାୟକ, ବିଜୟ ନନ୍ଦ, ରମାକାନ୍ତ ନାୟକ, ଗଙ୍ଗାଧର ପୃଷ୍ଟି, ଅନାମ ଚରଣ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି କାର୍ଯ୍ୟରତ ଅତିଥି ଶିକ୍ଷକମାନଙ୍କୁ ବକେୟା ପ୍ରାପ୍ୟ ପ୍ରଦାନରେ ବିଭାଗୀୟ ଅଧିକାରୀମାନଙ୍କ ଟାଳଟୁଳ ନୀତିର ସମାଲୋଚନା କରିଥିଲେ। ସଂଗଠନ ତରଫରୁ ଅଭିଯୋଗ କରାଯାଇଛି ଯେ କଟକ ଶିକ୍ଷା ଜିଲା ଅଫିସରେ ଅତିଥି ଶିକ୍ଷକମାନଙ୍କ ପ୍ରାପ୍ୟ ସଂକ୍ରାନ୍ତିୟ ବିଲ୍ ଗ୍ରହଣ କରାଯାଉଥିବା ବେଳେ କେତେକଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଉଛି ଏବଂ କେତେକଙ୍କୁ ପ୍ରାପ୍ୟ ଦିଆ ନଯାଇ ହଇରାଣ କରାଯାଉଛି। କେତେକଙ୍କ ବିଲ୍ ହଜି ଯାଇଥିବା କହି ବିଭାଗୀୟ କର୍ମଚାରୀମାନେ ସେମାନଙ୍କୁ ବାରମ୍ବାର ଅଫିସ୍ରୁ ଫେରାଇ ଦେଉଥିବା ଏବଂ ମନମୁଖି ଟଙ୍କା କାଟି ନିଆ ଯାଉଥିବା ଅଭିଯୋଗ ହୋଇଛି। ଏପରିକି ୩ ବର୍ଷତଳୁ ଅବସର ଦେଇଥିବା ଶିକ୍ଷକମାନଙ୍କୁ ସମ୍ପୂର୍ଣ୍ଣ ପେନ୍ସନ୍ ମିଳୁ ନଥିବା ସଂଘ ତରଫରୁ ଅଭିଯୋଗ କରାଯାଇଛି।
ଦ୍ୱିତୀୟରେ ଏବେ ନବମ ଓ ଦଶମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିବାବେଳେ କଟକଣା ପାଇଁ ପିଲାଙ୍କ ସଂଖ୍ୟା ଅନୁଯାୟୀ ଶ୍ରେଣୀ ସଂଖ୍ୟା ବଢ଼ିଛି। ହେଲେ ଏଥିପାଇଁ ଅବଶ୍ୟକ ଶିକ୍ଷକ ନାହାନ୍ତି। ବେକାର ଥିବା ଟିଜି ଶିକ୍ଷକ ସଂଘ ଅଭିଯୋଗ ପରେ ଅଦାଲତ ଅତିଥି ଶିକ୍ଷକ ନିଯୁକ୍ତ ଉପରେ ରୋକ ଲଗାଇଛନ୍ତି। ନିୟମିତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଅନ୍ୟୁନ ୬ ମାସ ଲାଗୁଥିବାରୁ ପିଲାମାନଙ୍କ ନିୟମିତ ଶିକ୍ଷାଦାନ ବ୍ୟବସ୍ଥା ଜାରୀ ରଖିବାକୁ ହେଲେ ଅତିଥି ଶିକ୍ଷକମାନଙ୍କୁ ଶିକ୍ଷାଦାନ କାର୍ଯ୍ୟରେ ନିୟୋଜନ କରିବା ଦିଗରେ ଅଦାଲତ, ବିଇଡ଼ି ସଂଘ ଓ ବିଭାଗୀୟ କତ୍ତୃପକ୍ଷ ସକାରାତ୍ମକ ପଦକ୍ଷେପ ନେବାରୁ ଦୁରେଇ ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକମାନେ ପରିଣତ ବୟସରେ ପିଲାମାନଙ୍କ ଭବିଷ୍ୟତ ଗଢ଼ିବାରେ ସହଯୋଗ କରୁଥିବା ବେଳେ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବିଭାଗୀୟ ଅଧିକାରୀମାନେ ଦୂର କରିବାକୁ ସଂଘ ତରଫରୁ ଦାବି କରାଯାଇ ତୁରନ୍ତ ବକେୟା ପ୍ରାପ୍ୟ ପ୍ରଦାନ କରା ନଗଲେ କଟକ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା ଦିଆଯିବ ବୋଲି ଅବସରପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ଚେତାବନୀ ଦିଆଯାଇଛି।



