ଚିଟ୍‍ଫଣ୍ଡ୍‍ ମାମଲାର ସମୀକ୍ଷା

0

ଭୁବନେଶ୍ୱର : ସ୍ଥାନୀୟ ସିବିଆଇ କାର୍ଯ୍ୟାଳୟକୁ ସୋମବାର ଦୁଇ ଦିନିଆ ଗସ୍ତରେ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ଏବଂ ଯୁଗ୍ମ ନିର୍ଦେଶକ ପଙ୍କଜ ଶ୍ରୀବାସ୍ତବ ଆସିଛନ୍ତି। ଦୁଇ ଅଧିକାରୀଙ୍କୁ ସିବିଆଇ କାର୍ଯ୍ୟାଳୟରେ ଗାର୍ଡ ଅଫ୍‍ ଅନର ଦିଆଯାଇଥିଲା। ସିବିଆଇର ଏସ୍‍ଆଇଟି ତଦନ୍ତ କରୁଥିବା ସମସ୍ତ ଚିଟ୍‍ଫଣ୍ଡ୍‍ ଏବଂ ଦୁର୍ନୀତି ନିବାରଣ ଶାଖା(ଏସିବି)ର କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକୁ ଦୁଇ ଅଧିକାରୀ ସମୀକ୍ଷା କରିବେ ବୋଲି ଜଣାପଡିଛି। ସ୍ୱତନ୍ତ୍ର ନିର୍ଦେଶକ ଶ୍ରୀ ଆସ୍ଥାନା ଚିଟ୍‍ଫଣ୍ଡ୍‍ର ସମସ୍ତ ମାମଲାଗୁଡ଼ିକର ସମୀକ୍ଷା କରିବେ। ୪୪ଟି ଚିଟ୍‍ଫଣ୍ଡ୍‍ ମାମଲା ମଧ୍ୟରୁ ହାତଗଣତି ମାମଲାର ଏସ୍‍ଆଇଟି ପୂର୍ଣ୍ଣ ଅଭିଯୋଗ ଫର୍ଦ ଦାଖଲ କରିଥିବା ବେଳେ କିଛି ମାମଲାର ପାର୍ଶ୍ବିକ ଅଭିଯୋଗ ଫର୍ଦ ଦାଖଲ କରାଯାଇଛି। ଏହି ମାମଲାଗୁଡ଼ିକର ସ୍ୱତନ୍ତ୍ର ନିର୍ଦେଶକ ସମୀକ୍ଷା କରିଥିବା ବେଳେ ଏସିବିର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକୁ ଯୁଗ୍ମନିର୍ଦେଶକ ଶ୍ରୀବାସ୍ତବ ସମୀକ୍ଷା କରିଛନ୍ତି। ଆସନ୍ତାକାଲି କେତେକ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସମୀକ୍ଷା ସମୟରେ ସିବିଆଇ ଏସ୍‍ପି ପି କେ ମାଞ୍ଝି ଉପସ୍ଥିତ ଥିଲେ।

Leave A Reply