ଗ୍ୟାରେଜରୁ ଶିଶୁ ଶ୍ରମିକ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲା ଶ୍ରମ ବିଭାଗ, ପୁଲିସ ପ୍ରଶାସନ ଓ ସିଡି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଜମନକିରା ବ୍ଲକ ଅଞ୍ଚଳରେ ଶିଶୁ ଶ୍ରମିକ ନିୟୋଜିତ ଥିବା ଅଭିଯୋଗ ହୋଇ ଆସୁଥିବାରୁ ଅଞ୍ଚଳରେ ଚଢ଼ଉ କରାଯାଇଥିଲା । ଏହି ସମୟରେ ଗୌରପାଲି କୁନ୍ଦେଶରା ଅଞ୍ଚଳରେ ଏକ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଜଣାପଡିବା ପରେ ତାକୁ ଉଦ୍ଧାର କରାଯାଇଛି । ବିଭାଗୀୟ ସୂଚନାନୁଯାୟୀ, ଉକ୍ତ ଶିଶୁ ଶ୍ରମିକଟି ବିହାର ରାଜ୍ୟର ମୁଜାଫରପୁର ଜିଲା ନିବାସୀ ହୋଇଥିବା ବେଳେ କିଛି ଦିନ ହେବ ଆସି ଏକ ଗ୍ୟାରେଜରେ କାର୍ଯ୍ୟ କରୁଥିଲା । ଜିଲା ଶ୍ରମ ବିଭାଗ ପକ୍ଷରୁ ସହକାରୀ ଶ୍ରମ ଅଧିକାରୀ ପୁଷ୍ପା ମିଞ୍ଜ, ବ୍ରଜେଶ କୁାମର ହୋତା, ଲିପ୍ସା ରାଣୀ ପ୍ରଧାନଙ୍କ ଉପସ୍ଥିତିରେ ଶିଶୁକୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତରିତ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.