ଟିଟିଲାଗଡ଼: ଟିଟିଲାଗଡ଼ ରକ୍ତ ଭଣ୍ଡାରରେ ରକ୍ତ ମଜଜୁଦ ଥାଇ ମଧ୍ୟ ସ୍ଥାନୀୟ ମାତୃ ଓ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ଜଣେ ଶିଶୁକୁ ରକ୍ତ ଦିଆଯାଇ ନ ପାରିବା ଯୋଗୁଁଁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ରକ୍ତ ଭଣ୍ଡାର ଅଧିକାରୀ ଡା. ଓମକାର ହୋତା ମଧ୍ୟ ଏହା ସ୍ୱୀକାର କରିଛନ୍ତି। ଚିକିତ୍ସା ଅବହେଳାରୁ ନାବାଳକର ମୃତ୍ୟୁ ଘଟିଥିବା ଅଭିଯୋଗ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଡାକ୍ତରଖାନାରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ ।
ପ୍ରକାଶ ଯେ ମୁରିବାହାଲ ବ୍ଲକ ଚିକନିବାହାଲି ଗ୍ରାମର ହଳଧର ବସ୍ତିଆଙ୍କ ଦ୍ବିତୀୟ ଶ୍ରେଣୀରେ ଅଧ୍ୟୟନରତ ଏକ ମାତ୍ର ପୁଅ ଜ୍ବରରେ ପୀଡ଼ିତ ଥିବାରୁ ଗୁରୁବାର ରାତି ପ୍ରାୟ ୩ଟାରେ ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କାର୍ଯ୍ୟରତ ନର୍ସ ଇଜେକ୍ସନ୍ ଓ ସାଲାଇନ ଦେଇଥିଲେ। ଶିଶୁର ଅବସ୍ଥା ଗୁରୁତର ହୋଇଥିଲା । ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୮ଟା ପର୍ଯ୍ୟନ୍ତ କେହି ଡାକ୍ତର ନ ଆସିବାରୁ ପରିବାର ଲୋକେ ଗୁରୁତର ଶିଶୁକୁ ନେଇ ଡାକ୍ତରଖାନାରେ କାର୍ଯ୍ୟରତ ଶିଶୁ ରୋଗ ବିଶେଷଜ୍ଞ.ବିଜୁ ଅଗ୍ରୱାଲଙ୍କ ଘରୋଇ କ୍ଲିନିକକୁ ନେଇଥିଲେ। ଡାକ୍ତର ଶିଶୁକୁ ରକ୍ତ ଦେବାର ଆବଶ୍ୟକତା ଥିବା କହି ରକ୍ତ ଯୋଗାଡ଼ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏନେଇ ପରିବାର ଲୋକେ ପ୍ରାୟ ୬ କିଲୋମିଟର ଦୂର ଟିଟିଲାଗଡ଼ ରକ୍ତ ଭଣ୍ଡାର ଯାଇ ପୂର୍ବାହ୍ଣ ସାଢ଼େ ୧୧ଟାରେ ଜଣେ ସମ୍ପର୍କୀୟ ରକ୍ତଦାନ କରିବା ସହ ଏହା ବଦଳରେ ଏକ ରକ୍ତ ପ୍ୟାକେଟ ଦେବାକୁ ନିବେଦନ କରିଥିଲେ। ରକ୍ତଭଣ୍ଡାର ବିଶେଷଜ୍ଞ ଗଜେନ୍ଦ୍ର ରାଉତ ରକ୍ତ ଭଣ୍ଡାର ଷ୍ଟକ୍ରେ ରକ୍ତ ଥାଇ ମଧ୍ୟ ରକ୍ତ ନ ଦେଇ ଅଢ଼େଇଟାରେ ଆସି ତୁମେ ଦେଇଥିବା ରକ୍ତ ନେବ ବୋଲି କହିଥିଲେ। ପରିବାର ଲୋକେ ଏନେଇ ପିପଲପଦର ସ୍ଥିତ ଶିଶୁ ଓ ମା’ ଡାକ୍ତରଖାନାକୁ ଫେରି ଆସିଥିଲେ। ଶିଶୁର ଅବସ୍ଥା ଆହୁରି ଗୁରୁତର ହେବା ନେଇ ପୁଣି ରକ୍ତ ଭଣ୍ଡାରକୁ ଯାଇ ତୁରନ୍ତ ରକ୍ତ ପ୍ୟାକେଟ ଦେବାକୁ ନେହୁରା ହୋଇଥିଲେ । ରକ୍ତ ଭଣ୍ଡାର ବିଶେଷଜ୍ଞ ଆଦୌ ରକ୍ତ ନ ଥିବା କହିଥିବା ବେଳେ ପରେ ପୂର୍ବରୁ ଷ୍ଟକ ଥିବା ଏକ ରକ୍ତ ପ୍ୟାକେଟ୍ ଦେଇଥିଲେ। ରକ୍ତ ଚଢ଼ାଇବା ପୂର୍ବରୁ ଶୁକ୍ରବାର ଅପରାହ୍ଣ ପ୍ରାୟ ୨ଟାରେ ଶିଶୁର ମୃତ୍ୟୁ ହୋଇଯାଇଥିଲା । ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।
ଟିଟିଲାଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରଦୀପ ନାୟକଙ୍କ ସୂଚନା ମୁତାବକ କେହି ରକ୍ତଦାନ କଲେ ତାହାର ପରୀକ୍ଷଣ ଓ ଅନ୍ୟାନ୍ୟ କାମ ପାଇଁ ୨ ଘଣ୍ଟାରୁ ଅଧିକ ସମୟ ଲାଗେ। ଏଭଳିସ୍ଥଳେ ରକ୍ତ ଭଣ୍ଡାର ଅଧିକାରୀ ଡା.ଓମକାର ହୋତାଙ୍କ ସୂଚନା ଅନୁସାରେ ମୃତକ ପରିବାରଙ୍କ ସଦସ୍ୟ ୧୨ଟାରେ ରକ୍ତଦାନ କରିଥିଲେ। ଏହା ବଦଳରେ ତାଙ୍କୁ ଦେଢ଼ଟାରେ ଅନ୍ୟ ଏକ ପ୍ୟାକେଟ ରକ୍ତ ଦିଆଯାଇଥିଲା। ପରିବାରର ସଦସ୍ୟ ରକ୍ତଦାନ କରିଥିଲେ ତାହା ବଦଳରେ ତାଙ୍କୁ କାହିଁକି ତୁରନ୍ତ ଏକ ରକ୍ତ ପ୍ୟାକେଟ ଦିଆଗଲା ନାହିଁ। ଏହା ପଛରେ ଉଦ୍ଦେଶ୍ୟ କଣ ଅଛି ସେ ନେଇ ତଦନ୍ତ କରାଯିବ ବୋଲି ଡା. ହୋତା କହିଛନ୍ତି ।
ମିଳିଲାନି ରକ୍ତ, ଚାଲିଗଲା ନିଷ୍ପାପ ଜୀବନ
Popular Categories



