ଛତ୍ରପୁର: ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଶିବ ମନ୍ଦିର ନିକଟ ଏକ ଆଦର୍ଶ ଗାଈ ଗୁହାଳରୁ ବିପୁଳ ପରିମାଣର ଡିଟୋନେଟର ଜବତ କରିଛି ପୁଲିସ। କନ୍ଧମାଳ ଜିଲା ତୁମୁଡିବନ୍ଧଠାରେ ଡିଟୋନେଟର ଭର୍ତ୍ତି ଏକ ଗାଡିକୁ ସେଠାକାର ପୁଲିସ ଜବତ କରିଥିଲା। ଗାଡିର ଚାଳକଙ୍କୁ ଜେରା କରାଯାଇଥିଲା। ଚାଳକଙ୍କ ବୟାନ ଆଧାରରେ ସେଠାକାର ପୁଲିସ ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜଗନ୍ନାଥପୁରସ୍ଥିତ ବି. ମୋହନ ରେଡ୍ଡୀଙ୍କ ଏକ ଆଦର୍ଶ ଗାଈ ଗୁହାଳ ଉପରେ ଚଢଉ କରିଥିଲା।
ତୁମୁଡିବନ୍ଧ ଥାନା ପୁଲିସ ଚମାଖଣ୍ଡି ଥାନା ପୁଲିସ ସହାୟତାରେ ଗୁହାଳ ଉପରେ ଚଢ଼ଉ କରି ବିପୁଳ ପରିମାଣର ଡିଟୋନେଟର ଜବତ କରିଛି। ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖିଛି । ଗ୍ରାମର ବି. ମୋହନ ରେଡ୍ଡୀ ତାଙ୍କ ଗୁହାଳକୁ ଭଡା ସୂତ୍ରରେ ବ୍ରହ୍ମପୁର ଆମ୍ବପୁଆ ଅଞ୍ଚଳର ହେମନ୍ତ ସେଠୀଙ୍କୁ ଦେଇଥିଲେ। ସେଠାରେ ହେମନ୍ତ କୁକୁଡାଦାନା ମହଯୁଦ ରଖିବାକୁ କହିଥିଲେ ବୋଲି ଜଗନ୍ନାଥପୁର ବିଟ ହାଉସ ଇନଚାର୍ଜ ଅରୁଣ ରାଉତ ସୂଚନା ଦେଇଛନ୍ତି । ପ୍ରାୟ ୫ ଟନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।



