ସିବିଏସ୍ଇ ଢାଞ୍ଚାରେ +୨ ବିଜ୍ଞାନ ପାଠ୍ୟକ୍ରମ ବଦଳିଲା
ଯୁକ୍ତଦୁଇରେ ସଂସ୍କାର
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତଦୁଇରେ ବ୍ୟାପକ ସଂସ୍କାର ଅଣାଯାଉଛି। ଏହିକ୍ରମରେ ୨୦୨୩-୨୪ ଶିକ୍ଷାବର୍ଷରୁ ସିବିଏସ୍ଇ ଢାଞ୍ଚାରେ +୨ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ବିଷୟର ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି। ଉପରୋକ୍ତ ବିଷୟରେ ନିୟମିତ ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମ ଅନୁସାରେ ୨୦୨୪ ବାର୍ଷିକ +୨ ପରୀକ୍ଷା ଦେବେ। ସିଏଚ୍ଏସ୍ଇ ୱେବ୍ସାଇଟ୍ରେ ଏହି ପାଠ୍ୟକ୍ରମ ଉପଲବ୍ଧ ରହିଛି। ବିଜ୍ଞାନ, କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ଅନ୍ୟ ବିଷୟଗୁଡ଼ିକ ୨୦୨୪ ବାର୍ଷିକ ପରୀକ୍ଷା ପାଇଁ ଅପରିବର୍ତ୍ତିତ ରହିଛି। ସେହିପରି ୨୦୨୩-୨୪ ଶିକ୍ଷାବର୍ଷରେ ଗଣିତ ବିଷୟ ନେଇଥିବା ଏକାଦଶ ବା ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନୂଆ ପାଠ୍ୟକ୍ରମ ଅନୁସାରେ ହେବ। ଦ୍ୱାଦଶ ବା ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ପୁରୁଣା ପାଠ୍ୟକ୍ରମରେ ପରୀକ୍ଷା ଦେବେ। କଳା ଏବଂ ବାଣିଜ୍ୟର ସମସ୍ତ ବିଷୟ ଏବଂ ବିଜ୍ଞାନରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ଜୀବ ବିଜ୍ଞାନ ବିଷୟକୁ ବାଦ୍ ଦେଲେ ଅନ୍ୟ ବିଷୟଗୁଡ଼ିକ ୨୦୨୩ ନାମଲେଖା ବ୍ୟାଚ୍ ପାଇଁ ଅପରିବର୍ତ୍ତିତ ରହିଛି। ୨୦୨୩ ନାମଲେଖା ବ୍ୟାଚ୍ ପାଇଁ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଖୁବ୍ଶୀଘ୍ର ସୂଚୀତ କରାଯିବ।
ସେହିପରି ଯୁକ୍ତ ୨ରେ ଅନୁଷ୍ଠିତ ହେଉଥିବା କ୍ବାର୍ଟର ଏଣ୍ଡ ପରୀକ୍ଷା (୩ଟି) ବଦଳରେ ୨ଟି ଇଣ୍ଟରନାଲ ପରୀକ୍ଷା କରାଯିବ। ଇଣ୍ଟରନାଲ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ୨୦୨୨-୨୩ରେ ହୋଇଥିବା କ୍ବାର୍ଟର ଏଣ୍ଡ ପରୀକ୍ଷା ଭଳି ରହିବ। ଇଣ୍ଟରନାଲ ପରୀକ୍ଷାରେ ୨୦% ୱେଟେଜ୍ ଏବଂ ବାର୍ଷିକ ପରୀକ୍ଷାରେ ୮୦% ୱେଟେଜ୍ ମାର୍କ ମିଳିବ। ୨୦୨୪ରେ ପରୀକ୍ଷା ଦେବାକୁ ଥିବା ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏନ୍ସିଆର୍ଟି ଦ୍ବାରା ପ୍ରକାଶିତ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ବିଷୟର ପୁସ୍ତକ ଏବଂ ଓଡ଼ିଶା ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ଉତ୍ପାଦନ ସଂସ୍ଥା ଦ୍ବାରା ପ୍ରକାଶିତ ପାଠ୍ୟପୁସ୍ତକ ସୁପାରିସ କରାଯାଇଛି। ୨୦୨୪ରେ ଗଣିତରେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ଉତ୍ପାଦନ ସଂସ୍ଥା ଦ୍ବାରା ପ୍ରକାଶିତ ପାଠ୍ୟପୁସ୍ତକ ସୁପାରିସ କରାଯାଇଛି।
Comments are closed.