ପୁରୀ : ଅନ୍ୟ ଦେବାଳୟଠାରୁ ଶ୍ରୀମନ୍ଦିର ରୀତିନୀତିରେ ଅନେକ ସ୍ବାତନ୍ତ୍ର୍ୟ ରହିଛି। ଚନ୍ଦ୍ର ଗ୍ରହଣ ଓ ସୂେର୍ଯ୍ୟାପରାଗରେ ସବୁଆଡ଼େ ଦେବ ନୀତି ବନ୍ଦ ରହିଥାଏ, କିନ୍ତୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ଦେବ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ମହାପ୍ରଭୁ ହେଉଛନ୍ତି ଗ୍ରହରୂପୀ ଜନାର୍ଦନ। ଗ୍ରହଣ ଲାଗିଲେ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଥାଏ। ଗ୍ରହଣ ପାଇଁ ଆଜି ୧୨ଟା ୫୭ ମିନିଟ୍ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ଦେବ ନୀତି ସମ୍ପନ୍ନ ହେବ। ଯେତେବେଳେ ଗ୍ରହଣ ଆରମ୍ଭ ହେବ ସେତେବେଳେ ମହାପ୍ରଭୁଙ୍କ ସ୍ବତନ୍ତ୍ର ଗ୍ରହଣ ନୀତି ଆରମ୍ଭ ହେବ। ଗ୍ରହଣ ଲାଗିବା ମାତ୍ରକେ ପ୍ରଥମେ ମହାପ୍ରଭୁଙ୍କ ମାଘ ସ୍ନାନ ଅନୁଷ୍ଠିତ ହେବ। ମହାସ୍ନାନ ନୀତି ପରେ ଖଇ କୋରା ଭୋଗ ହେବ। ଏହି ଭୋଗ ନୀତି ପରେ ଅନ୍ୟାନ୍ୟ ନୀତି ଚାଲିବ। ଚନ୍ଦ୍ରଗ୍ରହଣରେ କିଭଳି ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ ରହିବ ସେ ନେଇ ସମସ୍ତ ପ୍ରସ୍ତୁତି ସରିଛି। ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ରବିବାର ଚନ୍ଦ୍ରଗ୍ରହଣ ଥିବାରୁ ଶନିବାର ରାତ୍ର ୨ଟାରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି, ୨ଟା ୩୦ରେ ଭିତରଶୋଧ, ୨ଟା ୪୦ରେ ମଙ୍ଗଳ ଆଳତି ସହିତ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବା ପରେ ସକାଳ ୫ଟାରୁ ୬ଟା ମଧ୍ୟରେ ସକାଳ ଧୂପ (କେବଳ କୋଠଭୋଗ) ନୀତି ଅନୁଷ୍ଠିତ ହେବ। ପରେ ଅନ୍ୟାନ୍ୟ ନୀତି ବଢ଼ି ଅପରାହ୍ଣ ୧୨ଟା ୩୦ରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଅନୁଷ୍ଠିତ ହେବ। ଏହାପରେ ମଇଲମ, ତଡ଼ପ ଲାଗି ହୋଇ ଭିତର କାଠ ଦର୍ଶନ ହେବ। ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଗ୍ରହଣ ସ୍ପର୍ଶ ରାତ୍ର ୯ଟା ୫୭ ମିନିଟ ୨୨ ସେକେଣ୍ଡ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଗ୍ରହଣ ଭୋଗ ଆଦି ନୀତି ସରିବା ପରେ ଅନ୍ୟାନ୍ୟ ନୀତି ମାନ ଅନୁଷ୍ଠିତ ହେବ।
ପୁରୀ ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ କହିଛନ୍ତି, ଶ୍ରୀମନ୍ଦିରର ବିଧି ଅନୁଯାୟୀ ଯେଉଁ ପର୍ଯ୍ୟନ୍ତ ପାକ ତ୍ୟାଗର ସମୟ ନିର୍ଦ୍ଧାରିତ ହୋଇଥିବ ସେହି ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ଅନୁଷ୍ଠିତ ହୋଇଥାଏ। ପାକ ତ୍ୟାଗ ପରେ ମହାପ୍ରଭୁଙ୍କ କୌଣସି ନୀତି ଅନୁଷ୍ଠିତ ହୋଇ ନଥାଏ। କେବଳ ଭକ୍ତଙ୍କ ପାଇଁ ଦର୍ଶନ ଜାରି ରହେ। ପରେ ଯେତେବେଳେ ଗ୍ରହଣ ଆରମ୍ଭ ହେବ, ସେତେବେଳେ ମହାପ୍ରଭୁଙ୍କ ଏକ ଗ୍ରହଣ ସ୍ନାନ ନୀତି ହୋଇଥାଏ। ଏହା ପରେ ପୂଜାପଣ୍ଡା ସେବକ ଆଗାମୀ ନୀତି କରିଥାନ୍ତି। ଅନ୍ୟ ଦେବାଳୟରେ ଗ୍ରହଣ ପାଇଁ ଦେବନୀତି ବନ୍ଦ ରହୁଥିବା ବେଳେ ଶ୍ରୀମନ୍ଦିରରେ କିନ୍ତୁ ଗ୍ରହଣ ଆରମ୍ଭ ହେଲେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ଆରମ୍ଭ ହୋଇଥାଏ। ଏହା ହେଉଛି ଶ୍ରୀମନ୍ଦିରର ଭିନ୍ନ ପରମ୍ପରା ଓ ବିଧି। ରବିବାର ରାତି ୯ଟା ୫୭ ମିନିଟ ୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ, ରାତି ୧୧ଟା ୪୬ ସେକେଣ୍ଡ ସମୟେ ପୂର୍ଣ୍ଣଗ୍ରାସ ଆରମ୍ଭ, ରାତି ୧୨ଟା ୨୨ ମିନିଟ ୫୨ ସେକେଣ୍ଡ ସମୟେ ପୂର୍ଣ୍ଣଗ୍ରାସ ସମାପ୍ତ, ରାତ୍ର ୧ଟା ୨୬ ମିନିଟ ୩୨ ସେକେଣ୍ଡ ସମୟେ ଗ୍ରହଣ ସର୍ବମୋକ୍ଷ। ପଞ୍ଜିକାରଙ୍କ ସୂଚନା ଅନୁଯାୟୀ, ଚନ୍ଦ୍ର ଗ୍ରହଣ ଯୋଗୁଁ ବିଧି ଅନୁଯାୟୀ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ ରବିବାର ଅପରାହ୍ଣ ୧୨ଟା ୫୭ ମିନିଟ୍ଠାରୁ ପାକ ତ୍ୟାଗ ଅନ୍ନଭୋଜନାଦି ଓ ଦେବ ନୀତି ନିଷେଧ ହେବ। ଏହା ପରଠାରୁ ରବିବାର ରାତି ୧ଟା ୨୭ ମଧ୍ୟରେ କୌଣସିପ୍ରକାର ଅନ୍ନ ଭୋଜନ ନିଷେଧ। କିନ୍ତୁ ବାଳକ, ବୃଦ୍ଧ, ରୋଗୀଙ୍କ ପକ୍ଷେ ଏହି ନିୟମ ଲାଗୁ ହେବ ନାହିଁ। ରାତି ୧ଟା ୨୭ ମିନିଟ୍ ଗ୍ରହଣ ସର୍ବମୋକ୍ଷ ପରେ ବ୍ରାହ୍ମ ମୁହୂର୍ତ୍ତ ରାତି ୪ଟା ପରେ ସ୍ନାନାଦି ସାରି ଦେବପୂଜା କରିବା ଆବଶ୍ୟକ। ସୂର୍ଯ୍ୟୋଦୟ ପରେ ସ୍ନାନ କରି ପାକ କର୍ମ ସାରି ଅନ୍ନ ଭୋଜନ କରିବା ଉଚିତ୍।
ଆଜି ଚନ୍ଦ୍ରଗ୍ରହଣ : ଶ୍ରୀମନ୍ଦିରରେ ହୁଏନି ନୀତି ବନ୍ଦ
Popular Categories



