ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଉତୁକୁଡା ପଞ୍ଚାୟତର ଉତୁକୁଡା ଗାଁର ସତ୍ୟଜିତ ରାଉତଙ୍କ ଘରେ ଶନିବାର ବିଳମ୍ବିତ ରାତିରେ କେହି ଦୃର୍ବୃତ୍ତ ନିଆଁ ଲଗାଇ ଦେଇଛି। ବାହାର ପଟରୁ କବାଟ ଦେଇ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିବା ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି। ଅଗ୍ନି କାଣ୍ଡରେ ସତ୍ୟଜିତ ରାଉତଙ୍କର ଆଜବେଷ୍ଟସ୍ ଘରେ ଦୁଇଟି ବାଇକ ସହ ଘରେ ଥିବା ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ।
ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ସତ୍ୟଜିତ ରାଉତ ତାଙ୍କ ମାଆ, ଭଉଣୀ ସମସ୍ତ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଧୂଆଁ ହେବାରୁ ନିଦ ଭାଙ୍ଗିଯାଇଥିଲା। ପରେ ଜାଣିବାକୁ ପାଇଥିଲେ ଘରେ ନିଆଁ ଲାଗିଛି ବୋଲି। ସେମାନେ ଘରର ଆଗ ପଟ କବାଟ ଖୋଲିବା ପାଇଁ ଚେଷ୍ଟା କଲାବେଳେ ଜାଣିବାକୁ ପାଇଥିଲେ କବାଟ ବାହାର ପଟରୁ ଦିଆଯାଇଛି। ସେମାନେ ଜୀବନ ବଞ୍ଚାଇ ବାଡ଼ି ପଟ କବାଟ ବାଟେ ବାହାରକୁ ଚାଲିଆସିଥିଲେ। ଗାଁ ଲୋକ ପାଖ ପଡୋଶୀ ଜାଣିବା ପରେ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇ ଦମକଳ ବାହିନୀଙ୍କୁ ଯୋଗାଯୋଗ କରିଥିଲେ। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଘରେ ଥିବା ବାଇକ ଓ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଆଜବେଷ୍ଟସ ଘର ଥିବାରୁ ଘରେ ବିଶେଷ କ୍ଷତି ହୋଇନି। ପୁଲିସ ଏତଲା ପାଇଲା ପରେ ଘଟଣା ସ୍ଥଳରେ ପହଞ୍ଚି ପାଖରେ ଥିବା ଏକ ଜନସେବା କେନ୍ଦ୍ର ସିସିଟିଭି ଯାଞ୍ଚ କରି ଜାଣିବାକୁ ପାଇଛି ଯେ, କେହି ଜଣେ ଲୋକ ପେଟ୍ରୋଲ ପକାଇ ନିଆଁ ଲଗାଇଛି। କିନ୍ତୁ ତାକୁ ଚିହ୍ନଟ କରି ହେଉନାହିଁ। ଘଟଣାର ତଦନ୍ତ ପାଇଁ ଗାଁ ଲୋକଙ୍କୁ ପଚରାଉଚରା କରୁଛି ପୁଲିସ।



