www.samajalive.in
Saturday, December 13, 2025
21.1 C
Bhubaneswar

ମନାକଲା କେନ୍ଦ୍ର, କ୍ଷମତା ବାହାରେ କରୋନା ମୃତକଙ୍କ ପରିବାରକୁ ୪ଲକ୍ଷ କ୍ଷତିପୂରଣ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ କହିଛନ୍ତି। ସରକାର କହିଛନ୍ତି ଯେ ଯଦି ଏହି କ୍ଷତିପୂରଣ ପ୍ରଦାନ କରାଯିବ ତେବେ ବିପର୍ଯ୍ୟୟ ସହାୟତା ପାଣ୍ଠି ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ। କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଏହି କ୍ଷତିପୂରଣ ଦିଆଯାଇପାରିବ ନାହିଁ। କାରଣ ବିପର୍ଯ୍ୟୟ ପରିଚାଳନା ନିୟମରେ କେବଳ ପ୍ରାକୃତିକ ଦୁର୍ବିପାକ ଜନିତ ମୃତ୍ୟୁ ପାଇଁ କ୍ଷତିପୂରଣ ଦିଆଯାଇଥାଏ। ସର୍ବନିମ୍ନ ସହାୟତା ମାନକ ଏବଂ ‘କୋଭିଡ୍-୧୯ଜନିତ ମୃତ୍ୟୁ ବାବଦ କ୍ଷତିପୂରଣ’ ଦାବି କରି ଦାୟର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଉତ୍ତର ଦେଇ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏହା କହିଛନ୍ତି। ନିଜର ଉତ୍ତର ସମ୍ପର୍କରେ କେନ୍ଦ୍ର ସରକାର ଶନିବାର ବିଳମ୍ବିତ ରାତ୍ରିରେ ୧୮୩ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି। ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ଶୁଣାଣି କରିବେ।

ନିଜ ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ, ଅନୁକମ୍ପାମୂଳକ ବା କ୍ଷତିପୂରଣ ରାଶି କେବଳ ଭୂମିକମ୍ପ ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରଯୁଜ୍ୟ। ରୋଗ ଜନିତ ମୃତ୍ୟୁ ପାଇଁ କ୍ଷତିପୂରଣ ବ୍ୟବସ୍ଥା ନାହିଁ। କରୋନା ମୃତ୍ୟୁ ପାଇଁ କ୍ଷତିପୂରଣ ଦେଇ ଅନ୍ୟ ରୋଗ କ୍ଷେତ୍ରରେ ଏହାକୁ ଲାଗୁ ନ କରିବା ମଧ୍ୟ ଠିକ୍ ହେବ ନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷ ନିକଟତର ହୋଇଛି। ଆଗକୁ ଏହି ମୃତ୍ୟୁସଂଖ୍ୟା ଆହୁରି ବଢିବ। ଯଦି ପ୍ରତି ମୃତ୍ୟୁ ପାଇଁ ୪ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ତେବେ ରାଜ୍ୟ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠି (ଏସଡିଆରଏଫ୍‌) ସମ୍ପୂର୍ଣ୍ଣ ଶେଷ ହୋଇଯିବ। ଆବଶ୍ୟକ ସ୍ଥଳେ ଏଥିପାଇଁ ଆହୁରି ଅଧିକ ଅର୍ଥ ମଧ୍ୟ ଦରକାର ହୋଇପାରେ। ଫଳରେ କରୋନା ମହାମାରୀ ମୁକାବିଲା ନିମନ୍ତେ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ରାଜ୍ୟ ସରକାରଙ୍କ ପକ୍ଷେ ଅସମ୍ଭବ ହୋଇପଡିବ। କୋଭିଡ୍‌-୧୯ ମୁକାବିଲା ଲାଗି ଅତ୍ୟାବଶ୍ୟକ ଡାକ୍ତରୀ ସାମଗ୍ରୀ ଖର୍ଚ୍ଚ, ବନ୍ୟା ଓ ବାତ୍ୟା ଭଳି ଅନ୍ୟାନ୍ୟ ବିପର୍ଯ୍ୟୟ ପାଇଁ ଯଥେଷ୍ଟ ପାଣ୍ଠି ନ ରହିପାରେ। ତେଣୁ କୋଭିଡ୍‌-୧୯ଜନିତ ମୃତ୍ୟୁ ଘଟିଥିବା ବ୍ୟକ୍ତିବିଶେଷଙ୍କ ଲାଗି ଆବେଦନକାରୀ ଅନୁରୋଧ କରିଥିବା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଆର୍ଥିକ କ୍ଷମତା ବାହାରେ।

- Advertisement -

କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍‌-୧୯ ଏକ ଗତିଶୀଳ ପରିସ୍ଥିତି ହୋଇଥିବାରୁ ଅନ୍ୟାନ୍ୟ ବିପର୍ଯ୍ୟୟ ଠାରୁ ଏ କ୍ଷେତ୍ରରେ ସର୍ବନିମ୍ନ ସହାୟତା ଓ ଅନୁକମ୍ପା ରାଶି ମଧ୍ୟରେ ତାରତମ୍ୟ ରହିବ। ଜିଲାପାଳମାନେ ବୀମା ଦାବିର କାଗଜପତ୍ର ପ୍ରସ୍ତୁତ କରି ଦାବିଦାରମାନଙ୍କୁ ଅର୍ଥ ପ୍ରଦାନ ପାଇଁ ବୀମା କମ୍ପାନୀ ନିକଟକୁ ପଠାଉଛନ୍ତି ବୋଲି ମଧ୍ୟ କେନ୍ଦ୍ର ସରକାର କହିଛନ୍ତି। ଏ ବାବଦରେ ବୀମା କମ୍ପାନୀଗୁଡିକୁ ୪୪୨.୪ କୋଟି ଟଙ୍କା ଅନୁମୋଦନ କରାଯାଇଛି। ସେହିପରି, କୋଭିଡ୍‌-୧୯ ପରିଚାଳନା ଓ ନିଷିଦ୍ଧାଞ୍ଚଳ ଲାଗି ୨୦୧୯-୨୦ ବର୍ଷରେ ‘ଜାତୀୟ ସ୍ବାସ୍ଥ୍ୟ ମିଶନ୍’ ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ପାଣ୍ଠି ଭାବେ ୧,୧୧୩.୨୧ କୋଟି ଟଙ୍କା ପଠାଯାଇଛି। ଏହା ବ୍ୟତୀତ ଜାତୀୟ ସ୍ବାସ୍ଥ୍ୟ ମିଶନ୍ ମାଧ୍ୟମରେ କୋଭିଡ୍‌-୧୯ର ମୁକାବିଲା ନିମନ୍ତେ ଜରୁରୀ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୮,୨୫୭.୮୯ କୋଟି ଟଙ୍କା ପଠାଯାଇଛି। କୋଭିଡ-୧୯ ମୃତକଙ୍କୁ ସର୍ବନିମ୍ନ ଅନୁକମ୍ପା ବା କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ ଓକିଲ ଗୌରବ କୁମାର ଓ ରିପାଲ କନସଲଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ରୁ ଧାରା ୧୨ ଅନୁଯାୟୀ ଜାତୀୟ କର୍ତ୍ତୃପକ୍ଷ ସର୍ବନିମ୍ନ ସହାୟତା ମାନକ ନିୟମାବଳୀରେ ସଂଶୋଧନ ପୂର୍ବକ ଅନୁକମ୍ପା ରାଶି ପ୍ରଦାନ କରାଯାଇପାରିବ ବୋଲି ଆବେଦନକାରୀ ଦର୍ଶାଇଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories