ସାବଧାନ ! ଗାଁ ଜଗିଛି ସିସିଟିଭି କ୍ୟାମେରା
ବଲାଙ୍ଗିର: ସାବଧାନ ଯୁଆଡେ ଦେଖିଲେ ଲାଗିଛି ସିସିଟିଭି କ୍ୟାମେରା। ଛକ, ବଜାର ଗଳି ଯୁଆଡେ ନଜର ପକାଇଲେ କ୍ୟାମେରା ହିଁ କ୍ୟାମେରା। ଏଦୃଶ୍ୟ କୈାଣସି ସହରର ନୁହଁ। ଏ ହେଉଛି ବଲାଙ୍ଗିର ଜିଲ୍ଲାର ମୁରିବାହାଲ ବ୍ଲକର ଏକ ଛୋଟିଆ ଗାଁ ହଳଦୀର ଦୃଶ୍ୟ। ଦିନକୁ ଦିନ ବଢୁଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ପ୍ରଚେଷ୍ଟା କ୍ରମେ ପଞ୍ଚାୟତ ପାଣ୍ଠିରୁ ଗାଁ ସାରା ଲଗାଯାଇଛି ସିସିଟିଭି କ୍ୟାମେରା। ଏହା ଦ୍ୱାରା ଗାଁରେ ଚୋରୀ, ଝଗଡା ବନ୍ଦ ହୋଇଯାଇଥିବା ବେଳେ ଖୋଲାଖୋଲି ମଦ କାରବାର ମଧ୍ୟ ନିୟନ୍ତ୍ରିତ ହୋଇଛି। ତେବେ ରାଜ୍ୟର ଏହା ପ୍ରଥମ ଗାଁ ଯେଉଁ ଗାଁକି ସଂପୂର୍ଣ୍ଣ ଭାବେ ସିସିଟିଭି କ୍ୟାମେରା ନିରୀକ୍ଷଣରେ ରହିଛି। ଗାଁକୁ ସୁରକ୍ଷିତ ଓ ଶାନ୍ତ କରିବାରେ ମୁରିବାହାଲ ବ୍ଲକ ହଲଦୀ ଗାଁ ସୃଷ୍ଟି କରିଛି ଉଦାହରଣ। କିଛି ବର୍ଷ ପୂର୍ବରୁ ଗାଁରେ ଅନେକ ଚୋରୀ ଘଟଣା ହେବା ସହିତ ରୀତିମତ ଗାଁରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଲିଥିଲା। ଏନେଇ ପୂର୍ବରୁ ବହୁ ମାମଲା ଥାନାରେ ଏବେବି ଗଡୁଛି। ସେହିପରି ହଲଦୀ ଗାଁରେ ଆରଆଇ ଅଫିସ, ବ୍ୟାଙ୍କ, ସ୍କୁଲ, କଲେଜ ରହିଥିବା ବେଳେ ବିଭିନ୍ନ ସମୟରେ ଏହା ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ, ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଗାଁ ଦେଇ ଜାତୀୟ ରାଜପଥ ଯାଇଛି। ବିଭିନ୍ନ ସମୟରେ ଦ୍ରୁତ ଗତି ଯୋଗୁ ଅନେକ ଦୁର୍ଘଟଣା ମଧ୍ୟ ଘଟିଛି। ଏହି ସବୁ ସମସ୍ୟାକୁ ଦୂର କରିବା ନିହାତି ଭାବେ ସ୍ଥାନୀୟ ସରପଞ୍ଚଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ୨୦୧୬ ପଞ୍ଚାୟତ ନିର୍ବାଚନରେ ହଲଦୀ ପଞ୍ଚାୟତ ସରପଞ୍ଚ ଭାବେ ଗୋପୀନାଥ ପାଣିଗ୍ରାହୀ ନିର୍ବାଚିତ ହେବା ପରେ ଏହି ସମସ୍ୟା ଦୂର କରିବା ପାଇଁ ଅଣ୍ଟା ଭଡିଥିଲେ। ଏକାଥରକେ ଏହି ସମସ୍ତ ମାନଙ୍କର ସମାଧାନ କରିବା ପାଇଁ ଗାଁର ସବୁଆଡେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ପଞ୍ଚାୟତର ନିଜସ୍ୱ ପାଣ୍ଠିରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ବ୍ୟୟରେ ୨୯ ଟି ସିସିଟିଭି କ୍ୟାମେରା ଗାଁରେ ଲଗାଇଥିବା ଜଣାପଡିଛି। ତେବେ ପଞ୍ଚାୟତର ଯେଉଁ ଗାଁ ସମ୍ବେଦନଶୀଳ ଅନୁଭବ କରାଯିବ ସେଇଠି ସିସିଟିଭି ବ୍ୟବସ୍ଥା କରାଯିବ। ଏହା ସହିତ ପଞ୍ଚାୟତକୁ ସ୍ୱାବଲମ୍ବୀ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ସରପଞ୍ଚ ଗୋପୀନାଥ ପାଣିଗ୍ରାହୀ।
Comments are closed.