www.samajalive.in
Thursday, December 11, 2025
16.1 C
Bhubaneswar

ସୁପ୍ରିମକୋର୍ଟରେ ସିବିଆଇ-ପଶ୍ଚିମବଙ୍ଗ ସରକାର ବିବାଦ, ମଙ୍ଗଳବାର ଶୁଣାଣି

ନୂଆଦିଲ୍ଲୀ/କଲକାତା : ପଶ୍ଚିମବଙ୍ଗ ସରକାର ଓ ସିବିଆଇ ମୁହାଁମୁହିଁ ଘଟଣା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ସାରଦା ଓ ରୋଜଚଭାଲି ଚିଟଫଣ୍ଡ ଦୁର୍ନୀତି ମାମଲା ସମ୍ପର୍କିତ ତଥ୍ୟ ପ୍ରମାଣ ନଷ୍ଟ ଆଶଙ୍କା ଦର୍ଶାଇ ସିବିଆଇ କଲକତା ପୁଲିସ କମିସନର ରାଜୀବ କୁମାରଙ୍କ ବିରୋଧରେ ସର୍ବୋଚ୍ଚ ଅଦାଲତରେ ସୋମବାର ୨ଟି ଆବେଦନ କରିଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଏବଂ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ପୀଠରେ ସିବିଆଇ ଆବେଦନ ଉପସ୍ଥାପନ କରାଯାଇଛି। ଅନ୍ୟପଟେ ସିବିଆଇ ପଞ୍ଝାରୁ ଆଶ୍ବସ୍ତି ନିମନ୍ତେ ରାଜୀବ କୁମାର ମଧ୍ୟ ସୋମବାର କଲକାତା ହାଇକୋର୍ଟରେ ଆବେଦନ କରିଛନ୍ତି। ଉଭୟ ମାମଲାର ଶୁଣାଣି ମଙ୍ଗଳବାର ହେବ। ଏହି ପରିପ୍ରେକ୍ଷୀରେ ସବୁ ମହଲ ମଙ୍ଗଳବାରକୁ ଅପେକ୍ଷା କରିଛନ୍ତି। ସେପଟେ ମମତା ତାଙ୍କ ଧାରଣା ଜାରି ରଖିଛନ୍ତି ଏବଂ ୮ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ସେ ଘୋଷଣା କରିଛନ୍ତି।
କଲକାତା ପୁଲିସ ମୁଖ୍ୟ କୁମାର କୌଣସି ପ୍ରମାଣ ନଷ୍ଟ ନ କରି ତୁରନ୍ତ ଆତ୍ମସମର୍ପଣ କରିବା ଉଚିତ ବୋଲି ପ୍ରଥମ ଆବେଦନରେ ଦର୍ଶାଯାଇଥିବା କହିଛନ୍ତି ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି। ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଥିବାବେଳେ କୁମାର ତାହାର ଉଲ୍ଲଙ୍ଘନ କରିଥିବା ନେଇ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ପୁଲିସ କମିସନର ଓ ଅନ୍ୟ ଅଧିକାରୀମାନେ ରାତି ଦୁଇଟାରୁ ଏକ ରାଜନୈତିକ ଦଳ ସହିତ ଧାରଣାରେ ବସିଥିବାରୁ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଏହି କାରଣରୁ ମାମଲାର ଶୁଣାଣି ତୁରନ୍ତ କରିବାକୁ ସଲିସିଟର ଜେନେରାଲ ନିବେଦନ କରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ଯୁକ୍ତି ଉପସ୍ଥାପନ କରିଛନ୍ତି। କଲକାତା ପୁଲିସ ଦ୍ବାରା ଅଟକ ୫ ସିବିଆଇ ଅଧିକାରୀ ରବିବାର ରାତିରେ ମୁକ୍ତ ହୋଇସାରିଥିବାରୁ ଶୁଣାଣି ପାଇଁ ତରବର ହେବାର ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ପୀଠ ତ୍ବରିତ ଶୁଣାଣି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥିସହ ରାଜୀବ କୁମାର ଚିଟ୍‌ଫଣ୍ଡ ଦୁର୍ନୀତି ସଂକ୍ରାନ୍ତ ତଥ୍ୟପ୍ରମାଣ ନଷ୍ଟ କରିବା ନେଇ କୌଣସି ପ୍ରମାଣ ସିବିଆଇ ଦାଖଲ କରିପାରି ନ ଥିବା ପୀଠ କହିଚନ୍ତି। ଏ ସଂକ୍ରାନ୍ତ ସତ୍ୟପାଠ ଜରିଆରେ କୋର୍ଟରେ ଦାଖଲ କରିବାକୁ ପୀଠ ସଲିସିଟର ଜେନେରାଲଙ୍କୁ ନିର୍ଦେଶ ଦେଇଛନ୍ତି। କୁମାର ପ୍ରମାଣ ନଷ୍ଟ କରିଥିବା ଜଣାପଡ଼ିଲେ କୁମାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୀଠ କହିଛନ୍ତି।
ଅନ୍ୟପଟେ ଦୁର୍ନୀତି ମାମଲାର ତଦନ୍ତ ଜାରି ରହିଥିବାବେଳେ ସିବିଆଇ ସେମାନଙ୍କୁ ନୋଟିସ ଜାରି କରିଛି ବୋଲି କୁମାର ଓ ରାଜ୍ୟ ପୁଲିସର ୪ ଜଣ ଅଧିକାରୀ ହାଇକୋର୍ଟରେ ଅଭିଯୋଗ କରିଛନ୍ତି। ସିବିଆଇ ସେମାନଙ୍କୁ ପ୍ରତାରିତ କରିବାର ଆଶଙ୍କା ରହିଥିବାରୁ ସଂସ୍ଥା ଦ୍ବାରା ପଚରାଉଚରାରୁ ସେମାନଙ୍କୁ ଅନ୍ତରୀଣ ଆଶ୍ବସ୍ତି ପ୍ରଦାନ କରାଯାଉ ବୋଲି ସମ୍ପୃକ୍ତ ଅଧିକାରୀମାନେ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କଲକାତା ପୁଲିସ ସିବିଆଇ ଯୁଗ୍ମ ନିର୍ଦେଶକ ପଙ୍କଜ ଶ୍ରୀବାସ୍ତବଙ୍କୁ ପୁଲିସ ସମନ ଜାରି କରିଛି। ଭବାନୀପୁର ଥାନାରେ ହାଜର ହେବାକୁ ତାଙ୍କ ସମନ ହୋଇଛି। ପଙ୍କଜ ହେଉଛନ୍ତି ମଧ୍ୟପ୍ରଦେଶ ପାହ୍ୟାର ୧୯୯୨ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ। ହାଓଡ଼ା ସିବିଆଇ ହାଜତରୁ ୪୫ଲକ୍ଷ ଟଙ୍କା ଠକେଇ ମାମଲାର ଜଣେ ଅଭିଯୁକ୍ତ ପଳାୟନ କରିବା ଘଟଣାରେ ତାଙ୍କୁ ସାକ୍ଷ ଦେବା ପାଇଁ ସମନ ହୋଇଛି। ତିନି ଜଣ ପୁଲିସ କର୍ମଚାରୀ ପଙ୍କଜଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସମନ ପ୍ରଦାନ କରିଛନ୍ତି। ଏହି ଘଟଣା ପରେ ନିଜାମ ପ୍ୟାଲେସ ୧୬ମହଲାସ୍ଥିତ ସିବିଆଇ କାର୍ଯ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରିଦିଆଯାଇଛି ଓ ସେଠାରେ ସିଆରପିଏଫ ମୁତୟନ କରାଯାଇଛି।
ଅପରପକ୍ଷରେ ରବିବାର ରାତିରୁ ଧାରଣାରେ ବସିଥିବା ମମତାଙ୍କୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମର୍ଥନ ମିଳୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ସମାଜବାଦୀ ପାର୍ଟି ନେତା ଅଖିଳେଶ ସିଂହ ଯାଦବ, ମହାରାଷ୍ଟ୍ରୟ ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକ୍‌ରେ, ଆରଜେଡି ନେତା ତେଜସ୍ବୀ ଯାଦବ ପ୍ରମୁଖ ମମତାଙ୍କୁ ଦୃଢ଼ ସମର୍ଥନ କରିଛନ୍ତି। ମମତା କହିଛନ୍ତି, ତାଙ୍କ ଧାରଣା ଆଦୌ ରାଜନୈତିକ ଉଦ୍ଦେଶ୍ୟ ସମ୍ବଳିତ ନୁହେଁ; କିନ୍ତୁ ଯଦି ଏହାକୁ ରାଜନୈତିକ ଦଳଗୁଡିକର ସମର୍ଥନ ମିଳୁଛି ତା’ହେଲେ ଉତ୍ତମ। ମମତା ଧାରଣା ସ୍ଥଳରୁ ହିଁ ନିଜର ନିୟମିତ ସରକାରୀ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏପରିକି ଧାରଣା ସ୍ଥଳରେ ସେ କ୍ୟାବିନେଟ ବୈଠକ ମଧ୍ୟ କରିଥିବା ଜଣାପଡିଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories