ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଜାତିଭିତ୍ତିକ ଜନଗଣନାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତିକୁ ମୋଦୀଙ୍କ ମାଷ୍ଟରଷ୍ଟୋକ ଭାବେ ବିବେଚନା କରାଯାଉଛି । ଜାତିଭିତ୍ତିକ ଜନଗଣନା ଦେଶର ରାଜନୀତିକୁ ନୂତନ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଛି । ଏହି ନିଷ୍ପତି ପରେ ଉତ୍ତରପ୍ରଦେଶରେ ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହେବା ଆରମ୍ଭ କରିଛି । ବିଶେଷ କରି ସମାଜବାଦୀ ପାର୍ଟି ଏବଂ କଂଗ୍ରେସକୁ କୌଣସି ପ୍ରସଙ୍ଗ ବିହିନ କରିଛି ବିଜେପି । ବିଜେପିର ଏହି ପଦକ୍ଷେପ ରାଜ୍ୟର ଜାତି ଗତିଶୀଳତା, ନିର୍ବାଚନୀ ରଣନୀତି ଏବଂ ସାମାଜିକ ନ୍ୟାୟର ରାଜନୀତି ଉପରେ ପ୍ରଭାବ ପକାଇପାରେ । ସେପଟେ ଏହି ନିଷ୍ପତି ପରେ ଉପୁଜିଥିବା ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ବିଜେପି ମଧ୍ୟ ପ୍ରସ୍ତୁତ ରହିଛି ।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ନିଷ୍ପତିକୁ ଭାରତୀୟ ରାଜନୀତିରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ବୋଲି କହିଛନ୍ତି । ସେ କହିଛନ୍ତି ‘ଜାତିଭିତ୍ତିକ ଜନଗଣନା କେବଳ ସାମାଜିକ ଏବଂ ଅର୍ଥନୈତିକ ନୀତିଗୁଡିକୁ ଗଠନ କରିବ ନାହିଁ ବରଂ ଏହାର ପ୍ରଭାବ ଉତ୍ତର ପ୍ରଦେଶରେ ଗଭୀର ଭାବରେ ଅନୁଭୂତ ହେବ । ୨୦୨୪ ଲୋକସଭା ନିବାଚନରେ ଅଖିଳେଖଙ୍କ ଦଳ କଂଗ୍ରେସ ସହିତ ମେଣ୍ଟ କରି ଏହି ପ୍ରସଙ୍ଗକୁ ଦୃଢ ଭାବରେ ଉଠାଇଥିଲା । ରାଜନୈତିକ ବିଶେଷଜ୍ଞଙ୍କ ମତରେ ବିଜେପିର ଏହି ନିଷ୍ପତି ଆଗାମୀ ବିହାର ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଏକ ମାଷ୍ଟରଷ୍ଟୋକ୍ ପ୍ରମାଣିତ ହୋଇପାରେ ।



