ବିଧାନସଭା ଉପନିର୍ବାଚନ ଫଳ; ୭ରୁ ୪ଟିରେ ବିଜେପିର ବିଜୟ

ନୂଆଦିଲ୍ଲୀ: ଛଅଟି ରାଜ୍ୟର ୭ଟି ବିଧାନସଭା ଆସନ ନିମନ୍ତେ ହୋଇଥିବା ଉପନିର୍ବାଚନର ଫଳ ରବିବାର ପ୍ରକାଶ ପାଇଛି। ପ୍ରକାଶିତ ଫଳ ଅନୁଯାୟୀ ୭ଟି ଆସନରୁ ୪ଟି ଆସନରେ ବିଜେପି ବିଜୟୀ ହୋଇଥିବାବେଳେ ଅନ୍ୟ ଆସନଗୁଡିକରେ ତେଲଙ୍ଗାନାରେ ଟିଆରଏସ୍, ବିହାରରେ ଆରଜେଡିକୁ ଗୋଟିଏ ଓ ମହାରାଷ୍ଟ୍ରରେ ଶିବସେନା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ଫଳ ବିଜେପିର ଆତ୍ମବିଶ୍ବାସ ବୃଦ୍ଧି କରିବାରେ ସହାୟକ ହେବ ା
ବିହାରର ଦୁଇଟି ଆସନ ମୋକମା ଓ ଗୋପାଳଗଞ୍ଜ ଆସନରେ ଉପନିର୍ବାଚନ ହୋଇଥିଲା ।

ମୋକମା ଆସନରେ ଶାସକ ଆରଜେଡି ପ୍ରାର୍ଥୀ ନୀଲମ ଦେବୀ ବିଜୟୀ ହୋଇଥିବାବେଳେ ଗୋପାଳଗଞ୍ଜରେ ବିରୋଧୀ ଦଳ ବିଜେପି ପ୍ରାର୍ଥୀ କୁସୁମ ଦେବୀ ବିଜୟୀ ହୋଇଛନ୍ତି। ଗୋପାଳଗଞ୍ଜରେ ବିଜେପି ପ୍ରାର୍ଥୀ ୧୭୯୪ଟି ଭୋଟରେ ବିଜୟୀ ହୋଇଛନ୍ତି। ବିଜେପିର ଏହି ବିଜୟରେ ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମ୍ଆଇଏମ୍ ବଡ ଭୂମିକା ଗ୍ରହଣ କରିଥିଲା। ଏଠାରେ ଏଆଇଏମ୍ଆଇଏମ୍ ପ୍ରାର୍ଥୀ ଅବଦୁଲ ସଲାମ ୧୨,୨୧୪ଟି ଭୋଟ ପାଇଛନ୍ତି। ତେବେ ତେଲଙ୍ଗାନାର ମୁନୁଗୋଡେ ଆସନରେ ଶାସକ ଦଳ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ପ୍ରାର୍ଥୀ କେ ପ୍ରଭାକର ରେଡ୍ଡି ୧୧ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଏଠାରେ ଟିଆରଏସ୍ ପ୍ରାର୍ଥୀଙ୍କ ସହିତ ବିଜେପିର କେ ରାଜ ଗୋପାଳ ରେଡ୍ଡିଙ୍କ କଡା ଟକ୍କର ହୋଇଥିଲା।

prayash

ଏହି ଉପନିର୍ବାଚନରେ ୪୭ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ପୂର୍ବରୁ ଏହି ଆସନଟି କଂଗ୍ରେସ ହାତରେ ଥିଲା। କଂଗ୍ରେସ ବିଧାୟକ କେ ରାଜ ଗୋପାଳ ରେଡ୍ଡି ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବାରୁ ଏଠାରେ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ରାଜ ଗୋପାଳ ବିଜେପି ଟିକଟରେ ନିର୍ବାଚନ ଲଢି ପରାସ୍ତ ହୋଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଆସନରେ ବିଜୟୀ ହେବା ଟିଆରଏସ୍‌ ପାଇଁ ଏକ ସମ୍ମାନର ବିଷୟ ଥିଲା। ଅନ୍ୟ ବିଧାନସଭା ଉପନିର୍ବାଚନ ମଧ୍ୟରେ ମହାରାଷ୍ଟ୍ରର ଅନ୍ଧେରୀ (ପୂର୍ବ) ଆସନରେ ଶିବସେନାର ପ୍ରାର୍ଥୀ ଋତୁଜା ଲଟକେ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏଠାରେ ଶିବସେନା-କଂଗ୍ରେସ ଓ ଏନସିପି ମେଣ୍ଟ କରି ନିର୍ବାଚନ ଲଢିଥିବାବେଳେ ବିଜେପି ନିଜର ପ୍ରାର୍ଥୀ ପ୍ରତ୍ୟାହାର କରି ନେଇଥିଲା। ଋତୁଜାଙ୍କ ସ୍ବାମୀ ରମେଶ ଲକେଟଙ୍କ ମୃତ୍ୟୁ କାରଣରୁ ଏହି ଆସନରେ ଉପନିର୍ବାଚନ ହୋଇଥିଲା। ରମେଶଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ସମ୍ମାନ ଜଣାଇ ବିଜେପି ଏହି ନିର୍ବାଚନରୁ ଓହରି ଯାଇଥିଲା।

ହରିୟାଣାର ଆଦମପୁର ଆସନରେ ବିଜେପି ପ୍ରାର୍ଥୀ ଭବ୍ୟ ବିଷ୍ଣୋୟୀ ୧୬ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଏହି ଆସନଟି ଭବ୍ୟ ବିଷ୍ଣୋଇଙ୍କ ପିତା କୁଲଦୀପ ବିଷ୍ଣୋଇଙ୍କ ପାଖରେ ଥିଲା। କୁଲଦୀପ କଂଗ୍ରେସ ଟିକଟରେ ବିଜୟୀ ହୋଇଥିଲେ। ମାତ୍ର ସେ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେବାରୁ ଏହି ଆସନରେ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ କୁଲଦୀପ ନିଜ ପୁଅକୁ ବିଜେପି ଟିକଟରେ ପ୍ରାର୍ଥୀ କରାଇଥିଲେ। ସେହିପରି ଉତ୍ତରପ୍ରଦେଶର ଗୋଲା ଗୋରଖନାଥ ଆସନରେ ବିଜେପି ପ୍ରାର୍ଥୀ ଅମନ ଗିରି ୩୪ହଜାରର ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଏହି ଆସନଟି ବିଜେପି ପାଖରେ ଥିଲା। ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କ ପରଲୋକ କାରଣରୁ ଉପନିର୍ବାଚନ ହୋଇଥିଲା। ​‌ଓଡିଶାର ଧାମନଗର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଶାସକ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

Comments are closed.