ସମାଜ ଡିଜିଟାଲ ଡେସ୍କ: ବେଆଇନ କୋଠା ଭାଙ୍ଗିବାକୁ ଏବେ ଚାରିଆଡ଼େ ବୁଲଡୋଜର ଆକ୍ସନ ଦେଖିବାକୁ ମିଳୁଛି। ଅନେକ ସମୟରେ ଘର ଭାଙ୍ଗିବା ସ୍ଥଳରେ ପୁଲିସ ମୁତୟନ ରହିଥାଏ। ବିନା ନୋଟିସରେ ଘର ଭଙ୍ଗାକୁ ନେଇ ଉତ୍ତେଜନା ବି ପ୍ରକାଶ ପାଏ। ହେଲେ ଯେତେବେଳେ ବିନା ନୋଟିସରେ ଖୋଦ ଥାନା ଉପରେ ବୁଲଡୋଜର ଚାଲେ ସେତେବେଳେ ପୁଲିସ କର୍ମଚାରୀଙ୍କ ଅବସ୍ଥା କିପରି ହୁଏ ? ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ବେଆଇନ ନିର୍ମାଣ ଭାଙ୍ଗିବା ଲାଗି ଥାନାରେ ବୁଲିଛି ବୁଲଡୋଜର।
ଉତ୍ତରପ୍ରଦେଶର କୋତଓ୍ବାଲି ଥାନାର କିଛି ଅଂଶ ବେଆଇନଭାବେ ନିର୍ମିତ ହୋଇଥିଲା। ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଥାନା ସମେତ ୫୫ଟି ନିର୍ମାଣ ଭାଙ୍ଗିବାର ଥିଲା। ମଙ୍ଗଳବାର ହଠାତ କିଛି ବୁଲଡୋଜର ଥାନାରେ ପହଞ୍ଚି ପାଚେରି ଏବଂ ଅନ୍ୟାନ୍ୟ ବେଆଇନ ନିର୍ମାଣ ଅଂଶକୁ ଭାଙ୍ଗିବା ଆରମ୍ଭ କରିଥିଲେ। ଥାନାରେ ଥିବା ପୁଲିସ କର୍ମଚାରୀମାନେ ହଠାତ ଏଭଳି କାର୍ଯ୍ୟାନୁଷ୍ଠାନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ’ଣ ହେଉଛି କିଛି ବୁଝିପାରି ନ ଥିଲେ। ଶେଷରେ ଥାନା ଏସଏଚଓ ସନ୍ତୋଷ ତିଓ୍ବାରୀ ବିନା ନୋଟିସରେ କିପରି ଥାନା ଭାଙ୍ଗୁଛ ବୋଲି କହି ପ୍ରତିବାଦ କରିଥିଲେ। ଅତିରିକ୍ତ ଜିଲା ଜାଜିଷ୍ଟ୍ରେଟ ଉମାଶଙ୍କର ସିଂହ କହିଥିଲେ, ଆମେ ବେଆଇନ ନିର୍ମାଣ ଭାଙ୍ଗୁଛୁ। ସେଥିରେ ଥାନା ବି ରହିଛି। ଥାନା ହେଲେ କି କିପରି ଛାଡ଼ି ଦିଆଯିବ? ଏହାକୁ ନେଇ କିଛି ସମୟ ପାଇଁ ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା।



