ବୁଗୁଡା: ଯୌତୁକ ପାଇଁ ଜଣେ ନବବଧୂକୁ ସ୍ବାମୀଙ୍କ ପରିବାର ଲୋକେ ହାତଗୋଡ ବାନ୍ଧି ପଡିଶାରେ ଥିବା ନିଜର ଏକ ପରିତ୍ୟକ୍ତ ଘରେ ଏକ ଡୋଲି ଭିତରେ ରଖିବା ଏବଂ ୧୨ଘଣ୍ଟା ପରେ ନବବଧୂକୁ ଗାଁବାସୀ ମୁମୂର୍ଷୁ ଅବସ୍ଥାରେ ଆଜି ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ଭଳି ଅଭାବନୀୟ ଘଟଣା ସମଗ୍ର ବୁଗୁଡା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ତତ୍କାଳ ଏହି ଘଟଣାର ତଦନ୍ତ କରି ନବବଧୂର ଶାଶୁ ଓ ଶ୍ବଶୁରକୁ ଅଟକ ରଖି ପଚରାଉଚରା କରୁଛି।
ଏଭଳି ବର୍ବର ଘଟଣା ଗତକାଲି ରାତିରେ ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ପାଞ୍ଚାୟତର ଡାଙ୍ଗିସାହି ଗ୍ରାମରେ ଘଟିଛି। ଆଜି ସକାଳେ ପଡିଶା ଘର ଲୋକେ ପ୍ରଥମେ ଏହା ଦେଖି ଗ୍ରାମବାସୀଙ୍କୁ ଜଣାଇବା ପରେ ସେମାନେ ନବବଧୂ ଝିଲ୍ଲୀ ପ୍ରଧାନ(୨୦)ଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ମାଣିତରା ମେଡିକାଲ ଏବଂ ପରେ ବୁଗୁଡା ମେଡ଼ିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ। ସେଠାରେ ଝିଲ୍ଲୀଙ୍କର ପ୍ରାଥମିକ ଚିକିତ୍ସା ପରେ ଚେତା ଫେରିଥିଲା। ହେଲେ ସେ କଥା କହିପାରୁନପାରିବା ଏବଂ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ପ୍ରକାଶ ଯେ, ଡାଙ୍ଗିସାହି ଗ୍ରାମର ସତ୍ୟ ନାରାୟଣ ଆରୁଖଙ୍କ ପୁଅ ଜିତେନ୍ଦ୍ର ବୁଗୁଡା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ପଠାଣ ପ୍ରଧାନଙ୍କ ଝିଅ ଝିଲ୍ଲୀଙ୍କୁ ଗତ ଫେବୃୟାରୀ ୧୬ ତାରିଖରେ ବିବାହ କରିଥିଲେ। ସ୍ବାମୀ ଜିତେନ୍ଦ୍ର ହାଇଦରାବାଦରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଜିତେନ୍ଦ୍ରଙ୍କ ଅନୁପସ୍ଥିତିରେ ଶାଶୁ ଓ ଶ୍ବଶୁର ଝିଲ୍ଲୀକୁ ଯୌତୁକ ଦାବିରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ୧୫ ଦିନ ତଳେ ବାପଘରୁ ଶାଶୁ ଘରକୁ ଫେରି ଥିବା ବୋହୁ ଝିଲ୍ଲୀକୁ ଗତ ରାତିରେ ଶାଶୁଘର ଲୋକେ ଭୀଷଣ ମାଡମାରି ହାତଗୋଡ ବାନ୍ଧି ବେକ ଓ ମୁହଁରେ ଲୁଗା ଗୁଡାଇ ପଡୋଶୀ ଘର ଗୁହାଳରେ ଥିବା ଏକ ଡୋଲିରେ ପକାଇ ଦେଇଥିଲେ। ସାରା ରାତି ଡୋଲି ଭିତରେ ପଡ଼ିଥିବା ବୋହୁ ଝିଲ୍ଲୀକୁ ସକାଳେ ଗାଁବାସୀ ଉଦ୍ଧାର କରାଯାଇଥିଲା। ଏନେଇ ଝିଲ୍ଲୀଙ୍କ ବାପା ବୁଗୁଡ଼ା ଥାନାରେ ଝିଅର ଶାଶୁ, ଶ୍ବଶୁର ଓ ନଣନ୍ଦଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନଂ ୩୯୬/୨୦ରେ ଏକ ମାମଲା ରୁଜୁ କରିବା ସହ ଶାଶୁ ଓ ଶ୍ବଶୁରକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି । ଉକ୍ତ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।



