www.samajalive.in
Friday, December 12, 2025
23.1 C
Bhubaneswar

ବାଇଗଣ କି ବିଲାତି ନୁହେଁ – ବ୍ରିମାଟୋ

ବାରାଣସୀ: ଭାରତରେ ଏମିତି ଏକ ଚାରା ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଉଭୟ ବାଇଗଣ ଓ ବିଲାତି ବାଇଗଣ ଫଳୁଛି। ଏହି ଚାରାର ନାଁ ଦିଆଯାଇଛି ‘ବ୍ରିମାଟୋ’। ବାଇଗଣର ଇଂରାଜୀ ନାମ ବ୍ରିଞ୍ଜଲ ଓ ବିଲାତି ବାଇଗଣ ବା ଟମାଟୋକୁ ମିଶାଇ ଏଭଳି ନାମକରଣ କରାଯାଇଛି। ଏହା ବିଶ୍ବାସ ହେଉ ନ ଥିଲେ ବି ସତ। ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏମ୍‌ଆର) ଅଧୀନ ଭାରତୀୟ ପରିବା ଗବେଷଣା ପ୍ରତିଷ୍ଠାନ (ଇଣ୍ଡିଆଡ଼ଜ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଭେଜିଟେବଲ ରିସର୍ଚ୍ଚ ବା ଆଇଆଇଭିଆର), ବାରାଣସୀ ଦ୍ବାରା ଏହି ଚାରା ପ୍ରସ୍ତୁତ କରାଯାଇଛି। କେବଳ ଚାରା ପ୍ରସ୍ତୁତିରେ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଅଟକି ଯାଇ ନାହାନ୍ତି; ବରଂ ଜମିରେ ଏହାର ଚାଷ କରି ବେଶ୍‌ ସଫଳ ହୋଇଛନ୍ତି।

ଗୋଟିଏ ହୃଷ୍ଟପୁଷ୍ଟ ବ୍ରିମାଟୋ ଚାରାରୁ ଏକକାଳୀନ ୩ରୁ ୪ କିଲୋ ବାଇଗଣ ଏବଂ ୨ରୁ ୩ କିଲୋ ବିଲାତି ବାଇଗଣ ଉତ୍ପାଦନ କରାଯାଇପାରୁଛି। ସ୍ବଳ୍ପ ଜାଗାରେ ଏହି ଚାଷ କରାଯାଇପାରିବ; ବିଶେଷକରି ସହର ବା ସହରତଳି ଅଞ୍ଚଳର ରୋଷେଇ ଶାଳ ବଗିଚାରେ ଏହା ସୁଫଳ ପ୍ରଦାନ କରିବ। ଏହାକୁ ଚାଷ କରିବାରେ ବିଶେଷ ଶ୍ରମ ବା ରାସାୟନିକ ସାରର ପ୍ରୟୋଜନ ନାହିଁ କିମ୍ବା ଆର୍ଥିକ ବୋଝ ମଧ୍ୟ ନାହିଁ ବୋଲି ପ୍ରତିଷ୍ଠାନର ବୈଜ୍ଞାନିକମାନେ କହିଛନ୍ତି। ଅତୀତରେ ଏହି ପ୍ରତିଷ୍ଠାନର ବୈଜ୍ଞାନିକମାନେ ଆଳୁ ଓ ବିଲାତି ବାଇଗଣର ସମ୍ମିଶ୍ରଣରେ ‘ପମାଟୋ’ ଚାରା ପ୍ରସ୍ତୁତ କରିଥିଲେ; ଯାହାକି ବେଶ୍‌ ଆଦୃତି ଲାଭ କରିଥିଲା।

- Advertisement -

ଆଇଆଇଭିଆର ବୈଜ୍ଞାନିକମାନେ ଉଭୟ ଚାରାର ବହୁମୁଖୀ ସଂଯୋଗୀକରଣ ବା କଲମୀ ମାଧ୍ୟମରେ ଏପରି ସଫଳତା ପାଇଛନ୍ତି। ଉଚ୍ଚ ଉତ୍ପାଦନକ୍ଷମ ବା ହାଇବ୍ରିଡ୍‌ ବାଇଗଣ ‘କାଶୀ ସନ୍ଦେଶ’ ଓ ସେଭଳି ମାନର ବିଲାତି ବାଇଗଣ ‘କାଶୀ ଅମନ୍‌’ର ମିଶ୍ରଣରେ ‘ବ୍ରିମାଟୋ’ ପ୍ରସ୍ତୁତ ହୋଇଥିବା ପ୍ରକାଶ। ବାଇଗଣ ଚାରା ୨୫ରୁ ୩୦ ଦିନର ଓ ବିଲାତି ବାଇଗଣ ଚାରା ୨୨ରୁ ୨୫ ଦିନର ହୋଇଥିବାବେଳେ ଏକ ସ୍ବତନ୍ତ୍ର ପ୍ରକ୍ରିୟାରେ ଏହାର କଲମୀ କରାଯାଇଥାଏ। ଏହି କଳମୀ ଖଣ୍ଡକୁ ବିଶେଷ ଉତ୍ତାପ, ଆଲୋକ ଓ ପରିବେଶ ମଧ୍ୟରେ ପ୍ରାୟ ଗୋଟିଏ ସପ୍ତାହ ରଖାଯାଏ। ସାମାନ୍ୟ ଛାଇରେ ରଖାଗଲେ ଏହା ବଞ୍ଚିଯାଏ। ଏହାର ଦୁଇ ସପ୍ତାହ ବ୍ୟବଧାନରେ ଚାରାକୁ ଜମିରେ ପୋତାଯାଏ। ଉପଯୁକ୍ତ ଯତ୍ନ ଦ୍ବାରା ଏହାର ପରିବୃଦ୍ଧି ଘଟେ ଓ ଫଳ ଦିଏ। ପ୍ରତି ବ୍ରିମାଟୋ ଚାରାକୁ ଉତ୍ପାଦନକ୍ଷମ କରିବା ପାଇଁ ୧୦ରୁ ୧୫ ଟଙ୍କା ବ୍ୟୟ ହୁଏ। ଅଧିକ ପ୍ରସ୍ତୁତ ହେଲେ ଚାରା ମାତ୍ର ୫ ଟଙ୍କାରେ ଉପଲବ୍ଧ ହୋଇପାରେ।

ଏହି ଚାରାର ବ୍ୟାବସାୟିକ ଉତ୍ପାଦନ ପାଇଁ ଏବେ ପ୍ରୟାସ ଚାଲିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଏହି ଚାରା ଉତ୍ପାଦନ ପଛରେ ଜଣେ ଓଡ଼ିଆ ବୈଜ୍ଞାନିକଙ୍କ ପ୍ରେତ୍ସାହନ ରହିଛି। ସେ ହେଉଛନ୍ତି ଆଇଆଇଭିଆର୍‌ର ନେିର୍ଦେଶକ ଡଃ ତରୁଣକାନ୍ତି ବେହେରା। ଏହାର ଚାଷରୁ ପରିବାରର ଆବଶ୍ୟକତା ପୂରଣ ସହ ଅର୍ଥ ସଞ୍ଚୟ କରାଯାଇପାରେ ଏବଂ ଆଜିକାଲିକାର ବିଷାକ୍ତ ପରିବା ଖାଇବାରୁ ତ୍ରାହି ମିଳିପାରେ ବୋଲି ଡଃ ବେହେରା ମତ ଦେଇଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories