ଜୟପୁର : ରାଜସ୍ଥାନର କାରାଉଲିଠାରେ ଶନିବାର ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗକ୍ରମେ ପୁଲିସ ୪୬ଜଣଙ୍କୁ ଗିରଫ କରିଥିବାବେଳେ ୭ଜଣଙ୍କୁ ଅଟକ ରଖିଛି; କିନ୍ତୁ ଏହି ଘଟଣାରୁ ଏକ ପ୍ରଶଂସନୀୟ ଖବର ମିଳିଛି; ଯାହା ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହୋଇଛି । ହିଂସାକାଣ୍ଡ ଓ ଜଳାପୋଡ଼ା ମଧ୍ୟରେ ପୁଲିସ କନ୍ଷ୍ଟେବଳ ନେତ୍ରେଶ ଶର୍ମା ସାହସିକ ପଦକ୍ଷେପ ନେଇ ପୋଡ଼ିଯାଉଥିବା ଘର ଭିତରୁ ଏକ ଶିଶୁକୁ ଉଦ୍ଧାର କରିବା ସହ ନିଶ୍ଚିତ ମୃତ୍ୟୁରୁ ତାର ଜୀବନ ରକ୍ଷା କରିଛନ୍ତି । ପୋଡ଼ିଯାଉଥିବା ଏକ ଘରୁ ମହିଳାଙ୍କ ଚିତ୍କାର ଶୁଣିବା ପରେ ପ୍ରବଳ ଢ଼େଲାମାଡ଼ ଓ ଜଳାପୋଡ଼ାକୁ ଖାତିର ନକରି ୩୧ବର୍ଷୀୟ ଶର୍ମା ସାହସର ସହିତ ଘର ଭିତରକୁ ଝାମ୍ପି ପଡ଼ିଥିଲେ। ଘରର କବାଟ ସେତେବେଳକୁ ଜଳୁଥିଲେ ମଧ୍ୟ ଘର ଭିତରୁ ସେ ଦୁଇ ମହିଳାଙ୍କୁ ଉଦ୍ଧାର କରିବା ସହ ଜଣଙ୍କ କୋଳରେ ଥିବା ଶିଶୁକୁ ଧରି ବାହାରକୁ ଦୌଡ଼ି ଆସିଥିଲେ; ଫଳରେ ତିନିଜଣଙ୍କ ଜୀବନ ରକ୍ଷା ହୋଇପାରିଥିଲା। ଏଥିସହିତ ସେ ଆହତାବାସ୍ଥାରେ ରାସ୍ତାକଡ଼ରେ ବସିଥିବା ଦୁଇ ଜଣଙ୍କୁ ମଧ୍ୟ ତୁରନ୍ତ ଡାକ୍ତରଖାନା ପଠାଇବା ବ୍ୟବସ୍ଥା କରିଥିଲେ। ଏଭଳି ପଦକ୍ଷେପକୁ ନିଜର କର୍ତ୍ତବ୍ୟ ବୋଲି କହିଛନ୍ତି ଶର୍ମା। ଶନିବାର ହିନ୍ଦୁ ନବବର୍ଷ ପାଇଁ ଆୟୋଜିତ ମୋଟର ସାଇକଲ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାକାରୀଙ୍କ ଉପରକୁ ହଠାତ୍ ଢ଼େଲାମାଡ଼ ହେବାରୁ ହିଂସାକାଣ୍ଡ ଉପୁଜିଥିଲା। ସମ୍ପ୍ରତି ସମ୍ପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି ସହ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ପୁଲିସ ଶୋଭାଯାତ୍ରାରେ ସାମିଲ ୨୩ଟି ମୋଟର ସାଇକଲ ଓ ଦୁଇଟି କାର୍ ଜବତ କରି ତଦନ୍ତ ଚଳାଇଛି।
Popular Categories



