ଚୋରାକାଠ ଚାଲାଣବେଳେ ଜବତ, ୬ ଅଭିଯୁକ୍ତ ଗିରଫ
ବୌଦ୍ଧ: ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇଚାଲିଥିବା ବେଳେ ଜଙ୍ଗଲରେ ନିଆଁ ଲଗାଇବା ସହିତ ବ୍ୟାପକ ମାତ୍ରାରେ ଜଙ୍ଗଲ ଧ୍ୱଂଶ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଅଛି । ତେଣୁ ବନ ବିଭାଗ ପକ୍ଷରୁ ଜଙ୍ଗଲର ସୁରକ୍ଷା ପାଇଁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଫଳରେ ଆଜି ବୌଦ୍ଧ ରେଞ୍ଜ ପକ୍ଷରୁ ଚୋରା କାଠ ଚାଲାଣ ବେଳେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ବୌଦ୍ଧ ରେଞ୍ଜ ଅଧିନସ୍ଥ ଖକ୍ସୁରୀପଡା ସେକ୍ସନର ବ୍ରାହ୍ମଣିପାଳି ବିଟ୍ ଅଞ୍ଚଳରୁ ସାଇକେଲ ଯୋଗେ କାଠ ଚାଲାଣ ହେଉଥିବା ବେଳେ ବନ ବିଭାଗର ପେଟ୍ରୋଲିଂ ଟିମ ୬ ଗୋଟି ସାଇକେଲ ସହ ୩୬ ଟି ଶାଳ ସେଣି ଜବତ କରି ୩ଟି ମାମଲା ରୁଜୁ କରିବା ସହିତ ୬ ଜଣକୁ ଗିରଫ କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ କମିରା ଗ୍ରାମର ରତ୍ନାକର ବାଘ (୪୫), ଉପେନ୍ଦ୍ର ପାତ୍ର(୪୧), ସତ୍ୟାନନ୍ଦ ଭୁକ୍ତା (୫୫), ଧ୍ରୁବ ସାହୁ (୬୦) ଏବଂ ଖଣ୍ଡପଡା ଗ୍ରାମର ନିତେନ ପ୍ରଧାନ (୩୦) ଓ ଶମ୍ଭୁ ଦେହୁରୀ (୪୨) ବୋଲି ବୌଦ୍ଧ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି । ରେଞ୍ଜ ଅଧିକାରୀ ଶ୍ରୀ ସେଠୀଙ୍କ ନେତୃତ୍ୱରେ ବନ କର୍ମଚାରୀ ପ୍ରଶାନ୍ତ ସେଠୀ, ଶରତ ନାୟକ, ଅଭିମନ୍ୟୁ ମହାନ୍ତି ଓ ରମାକାନ୍ତ ପାଣିଗ୍ରାହୀ ପ୍ରମୁଖ ଏହି ଚଙ୍ଘାଉରେ ସାମିଲ ଥିଲେ ।
Comments are closed.