ବୌଦ୍ଧ: ପବିତ୍ର ଶ୍ରାବଣ ମଙ୍କସର ପ୍ରଥମ ସୋମବାରରେ ପ୍ରତିବର୍ଷ ଶିବାଳୟ ଗୁଡିକରେ କାଉଡିଆ ଓ ଶିବ ଭକ୍ତମାନଙ୍କର ପ୍ରବଳ ଭିଡ ଲାଗିରହୁଥିବାବେଳେ ଚଳିତବର୍ଷ କରୋନା କଟକଣା ଯୋଗୁଁ ପ୍ରଥମ ସୋମବାରରେ ଭକ୍ତଶୁନ୍ୟ ରହିଛି ବୌଦ୍ଧଜିଲାର ସମସ୍ତ ଶିବାଳୟ। ଆଜିର ଦିନରେ ବୌଦ୍ଧର ପ୍ରସିଦ୍ଧ ଦୁଇ ଶୈବପୀଠ ଗନ୍ଧରାଢୀ ଓ ରାମେଶ୍ୱରକୁ ଦୂର ଦରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ବିଶେଷ କରି ଏହି ଦୁଇ ମନ୍ଦିରରେ ଶିବ ଦର୍ଶନ ପାଇଁ ବୋଲବମ ଭକ୍ତଙ୍କ ଲମ୍ବାଧାଡି ଦେଖିବାକୁ ମିଳିଥାଏ। କିନ୍ତୁ ଚଳିତବର୍ଷ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସତେଯେପରି କରୋନା ମହାମାରୀ ଏକ ଲକ୍ଷ୍ମଣ ରେଖା ଟାଣି ଦେଇଛି।
ପବିତ୍ର ଶ୍ରାବଣର ସୋମବାରରେ କୌଣସି ଶିବ ମନ୍ଦିରରେ ନା ଶୁଭୁଛି ହର ହର ମହାଦେବ ନା ଓମ୍ ନମଃ ଶିବାୟର ଧ୍ୱନୀ। ନା ଭକ୍ତ ଭଗବାନଙ୍କୁ ପୂୁଜାର୍ଚ୍ଚନା କରି ମନର କଥା କହିପାରୁଛି ନା ଭକ୍ତ ଓ ଭଗବାନଙ୍କ ମିଳନ ହୋଇପାରୁଛି। ଜିଲାର ସବୁ ଶିବାଳୟରେ ଖାଁ ଖାଁ ପରିବେଶ। ମନ୍ଦିର ଗୁଡିକରେ କେବଳ ସେବକମାନଙ୍କ ଦ୍ୱାରା ନିତି କାନ୍ତି କରାଯାଉଥିବା ଦେଖାଯାଇଛି। କରୋନା କଟକଣା ପାଇଁ ସବୁ ମନ୍ଦିରରେ ସର୍ବସାଧାରଣ ଦର୍ଶନ ମନା କରାଯାଇଛି। କିଛି ଭକ୍ତ ଆସି ମନ୍ଦିର ବାହାରେ ଦୀପଟିଏ ଜାଳି ଠାକୁରଙ୍କୁ ମୁଣ୍ଡିଆଟିଏ ମାରି ଚାଲିଯାଉଥିବା ଦେଖାଯାଉଛି। ଆଉକିଛି ଭକ୍ତ ପବିତ୍ର ଜଳ ଆଣିଥିଲେ ମଧ୍ୟ ମନ୍ଦିର ଭିତରକୁ ପ୍ରବେଶ ମନା ଥିବାରୁ ବାହାରେ ଜଳଢାଳି ମହାଦେବଙ୍କୁ ଅର୍ପଣ କରି ଚାଲିଯାଇଛନ୍ତି ପବିତ୍ର ଶ୍ରାବଣରେ ଠାକୁରଙ୍କୁ ପୁଣିଥରେ ଆସନ୍ତାବର୍ଷକୁ ଜଳଲଗି କରିବାକୁ ମାନସିକ ରଖି। ସବୁ ଭକ୍ତଙ୍କ ଗୋଟିଏ ପ୍ରଶ୍ନ କେବେ ଅନ୍ତ ହେବ ଏ କରୋନା ରାକ୍ଷାସ?



