ବୌଦ୍ଧ: ଧିରେ ଧିରେ ବୌଦ୍ଧଜିଲାରେ ବ୍ୟାପକ ଗଂଜେଇ କାରବାରକୁ ନେଇ ପୋଲ ଖୋଲିବାରେ ଲାଗିଛି। ଜିଲାରେ ନୂତନ ଆରକ୍ଷୀ ଅଧିକ୍ଷକ ଯୋଗଦେବାପରେ ଗଂଜେଇ ବ୍ୟବସାୟୀଙ୍କ ଉପରେ ଅଙ୍କୁଶ ବଢିବାରେ ଲାଗିଛି। ଜିଲାସାରା ସମସ୍ତ ଥାନା ଏବେ ଗଂଜେଇ ଧରପଗଡ ନେଇ ସକ୍ରିୟ ଥିବା ଦେଖାଯାଇଛି। ସୋମବାର ଜିଲାରେ ଦୁଇଟି ଗଂଜେଇ ଜବତ ମାମଲା ରୁଜୁ ହେବା ସହିତ ୧୬୪ କିଲୋ ଗଂଜେଇ ଜବତ କରାଯାଇ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ପୋଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଏକ କାର ଯୋଗେ ଗଂଜେଇ ଚାଲାଣ କରାଯାଉଥିବା ସୂଚନା ପାଇ କଣ୍ଟାମାଳ ପୋଲିସ ପକ୍ଷରୁ କଣ୍ଟାମାଳ ଥାନା ଘଣ୍ଟାପଡା ଗ୍ରାମ ନିକଟରୁ କାର ସହ ବିପୁଳ ପରିମାଣର ଗଂଜେଇ ଜବତ କରାଯାଇଥିଲା। ପୋଲିସକୁ ଦେଖି କାର ର ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବାବେଳେ ଗାଡି ଭିତରୁ ପୋଲିସ ୧୦୪ କିଲୋ ଗଂଜେଇ ଜବତ କରିଥିଲା। ସେହିପରି ବାଉଁଶୁଣୀ ପୋଲିସ ୬୦ କିଲୋ ଗଂଜେଇ ଜବତ କରିବା ସହିତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେବା ସହିତ ଅନ୍ୟ ୫ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଇଛି।
ବାଉଁଶୁଣୀ ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ଗୁନ୍ଦୁଳିଆ ରାସ୍ତାଦେଇ ଗଂଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବାଉଁଶୁଣୀ ପୋଲିସର ଏକ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଛେଳିବାହାଲ ଛକ ନିକଟରେ ଏକ କାର(ଓଆର ୧୭ ଏ ୬୬୯୯) କୁ ଅଟକାଇ ଯାଞ୍ଚ କରିଥଲା। କାର ଭିତରୁ ୬୦ କିଲୋ ଗଂଜେଇ ଜବତ କରିବା ଜଣେ ଆନ୍ତଃରାଜ୍ୟ ଗଂଜେଇ ମାଫିଆ ସମେତ ଦୁଇଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ବିହାର ରାଜ୍ୟ ବାଘା ଥାନା ଅନ୍ତର୍ଗତ ଜିତେନ୍ଦ୍ର ଯାଦବ(୩୯) ଓ ବୌଦ୍ଧଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ଥାଟିପାଲି ଗ୍ରାମର ପିପୁନ ଖାମାରୀ(୨୨) ବୋଲି ଜଣାପଡିଛି। ଗଂଜେଇ ଚାଲାଣ ମାମଲାରେ ଅନ୍ୟ ୭ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ଥାନା ପକ୍ଷରୁ ସୁଚନା ଦିଆଯାଇଛି। ଗଂଜେଇ ଚାଲାଣ ମାମଲାରେ ସଂପୃକ୍ତ ଦୁଇଟି ମଟରସାଇକେଲ( ଓଡି ୩୧ ଜେ ୧୩୫୮/ଓଡି ୧୩ ଜି ୩୭୫୮) କୁ ମଧ୍ୟ ପୋଲିସ ଜବତ କରିଛି। ଏହି ଦୁଇ ମଟରସାଇକେଲରେ ଗଂଜେଇ ଚାଲାଣ ହେଉଥିବା ରାସ୍ତାରେ ବାଇକ୍ ଚଳାଇ ପୋଲିସର ଗତିବିଧି ସଂପର୍କରେ ଆଗୁଆ ସୂଚନା ସଂଗ୍ରହ କରାଯାଉଥିବା ତଦନ୍ତବେଳେ ଜଣାପଡିଛି। ମାମଲାରେ ଅଧିକ ତଦନ୍ତ ଚାଲିଥିବାବେଳେ ବାଉଁଶୁଣୀ ଥାନା କେସ ନମ୍ବର ୧୨୪/୨୧ ରେ ମାମଲା ରୁଜୁ କରାଯାଇ ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚଳାଣ କରାଯିବ ବୋଲି ଜଣାପଡିଛି।



