ବୌଦ୍ଧ: ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଆଜି ଦିନିକିଆ ବୌଦ୍ଧ ଗସ୍ତରେ ଆସି ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷ ରୋକିବା ଓ ମାଓ ଦମନ ନେଇ ସମୀକ୍ଷା କରିଛନ୍ତି। ପୁଲିସ ମହାନିର୍ଦେଶକ ଅଭୟ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଆସି ଅପରାହ୍ନରେ ସ୍ଥାନୀୟ ପରେଡ ପଡିଆଠାରେ ଅବତରଣ କରିଥିଲେ। ଜିଲା ପୁଲିସ କାର୍ଯ୍ୟାଳୟଠାରେ ସେ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବୈଠକରେ ମୁଖ୍ୟତଃ ବେଆଇନ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱ ଦିଆଯାଇଥିଲା।
ବିଶେଷ ଭାବରେ ଭାବରେ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲ ମଧ୍ୟରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚାଷ କରାଯାଉଥିବାବେଳେ ବିଭିନ୍ନ ରାସ୍ତା ଦେଇ ତାହା ଜିଲଶ ବାହାରକୁ ଚାଲାଣ କରାଯାଉଛି। ତେଣୁ ଏନେଇ ସତର୍କ ରହିବା ସହିତ ଚାଲାଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଜିଲାରେ ମାଓ ଗତିବିଧି ବୃଦ୍ଧି ରୋକିବା ଓ ସେମାନଙ୍କୁ ଦମନ କରିବା ନେଇ ପୁଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିବା ପୁଲିସ ମହାନିର୍ଦେଶକ ଅଭୟ ପ୍ରକାଶ କରିଥିଲେ। ଏହି ବୈଠକରେ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଲଳିତ ଦାଶ, ସ୍ୱତନ୍ତ୍ର ଗୋଇନ୍ଦା ବିଭାଗ ଡିଆଇଜି ଅନିରୁଦ୍ଧ ସିଂହ, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, କନ୍ଧମାଳ ଏସପି ବିନିତ ଅଗ୍ରୱାଲା ଓ ବୌଦ୍ଧ ଏସପି ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।



