www.samajalive.in
Thursday, December 11, 2025
18.1 C
Bhubaneswar

୪୧ ବର୍ଷର ଦଖଲ ପରେବି ମିଳୁନି ଜମି ପଟ୍ଟା, ସଂଗ୍ରାମ ଜାରି ରଖିଛନ୍ତି ବିଧବା ମନାସ

ବୌଦ୍ଧ: କଣ୍ଟାମାଳ, ୧୬/୯ : ଡିହ ଖଣ୍ଡିଏ ପାଇଁ ଜନୈକ ବିଧବା ବୃଦ୍ଧା ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ଠାରୁ ମହାମହିମ ରାଷ୍ଟ୍ରପତିଙ୍କ ପର୍ୟ୍ୟନ୍ତ ଗୁହାରି କଲେଣି, କିନ୍ତୁ ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ତାଙ୍କ ଦସ୍ତାବିଜ କୁଆଡେ ହଜି ଯାଇଥିବାରୁ ହେଉ ହେଉ ଅଧା ବାଟରେ ଅଟକି ରହିଛି। ୨୦୦୩ ମସିହାରୁ କେଉଁଠି ତାଙ୍କ ସରକାରୀ ଦସ୍ତାବିଜ ରହିଛି ଖୋଜି ପାଉନି ପ୍ରଶାସନ । ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଲକ ଦେଉଳଡୁଙ୍ଗୁରି ମୌଜାରେ।

ଅଭିଯୋଗ ଅନୁସାରେ ଦେଉଳଡୁଙ୍ଗୁରି ମୌଜାର ଭୂମିହୀନ ଓ ବାସହୀନ ସ୍ବର୍ଗତ ରାମ ସାହୁ ୧୯୮୦ ମସିହାରେ ଖାତା ନମ୍ବର ୫ ,ପ୍ଲଟ ନମ୍ବର ୬୨, ସରକାରୀ ଜମିରୁ କିଛି ଅଂଶ ଅନଧିକାର ଦଖଲ କରି ସେଠାରେ ଘର ତିଆରି କରି ରହିବାକୁ ଲାଗିଲେ। ତତ୍କାଳୀନ କଣ୍ଟାମାଳ ରାଜସ୍ବ ନିରୀକ୍ଷକ ରାମଙ୍କ ବିରୁଦ୍ଧରେ ୩୭/୧୯୮୦ ରେ ଏକ ଜବର ଦଖଲ ମକଦ୍ଦମା ରୁଜୁ କରି ତାଙ୍କ ଠାରୁ ୨୮ ଟଙ୍କା ୭୫ ପଇସା ଅସୁଲ କରିଥିଲେ ଏବଂ ସେହିଦିନଠାରୁ ପ୍ରତ୍ୟେକ ବର୍ଷ ବରାବର ଖଜଣା ପୈଠ କରି ରସିଦ ହାସଲ କରି ଆସୁଥିଲେ। ୧୯୮୯ରେ ରାମଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ମନାସ (୬୨) ୨ ନାବାଳିକା ଝିଅଙ୍କୁ ଧରି ସେଠାରେ ରହୁଥିଲେ ସୁଦ୍ଧା ଉକ୍ତ ମକଦ୍ଦମା ଟିକୁ କଣ୍ଟାମାଳ ତସିଲଦାର ବନ୍ଦ କରିଦେଲେ। ଗତ ୧୯୯୨ ବନ୍ଦୋବସ୍ତ ସମୟରେ ଏହି ଦଖଲ ହୋଇଥିବା ଜମିର ରୂପରେଖ ବଦଳି ଖାତା ନମ୍ବର ୧୭୦, ପ୍ଲଟ ନମ୍ବର ୮୭/୬୫୩, ଏ୦.୧୦ ଡ଼ିସିମିଲ, କିସମ ଗୋଚର, ମନ୍ତବ୍ୟରେ ଘରବାରୀରେ ପରିବର୍ତ୍ତିତ ହୋଇଗଲା।

- Advertisement -

ତତ୍କାଳୀନ କଣ୍ଟାମାଳ ଆରଆଇ ଏହି ଜମି ପାଇଁ ଜବର ଦଖଲକାରୀ ମନାସଙ୍କ ବିରୁଦ୍ଧରେ ପୁଣି ଏକ ମକଦ୍ଦମା ୧୪୩/୧୯୯୯ରେ ରୁଜୁ କଲେ। ଭୂମିହୀନ ନିରକ୍ଷର ଅସହାୟ ବିଧବା ମନାସଙ୍କ ସମ୍ଵନ୍ଧିୟ ରିପୋର୍ଟ ୧୫/୮/୧୯୯୮ରେ ଆରଆଇ କଣ୍ଟାମାଳ ତସିଲଦାରଙ୍କୁ ପ୍ରଦାନ କରିଥିଲେ। ବନ୍ଦୋବସ୍ତ କର୍ମଚାରୀମାନେ ମଧ୍ୟ ଏହି ଦଖଲିକୃତ ଜମିକୁ ଡିରିଜର୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଜମି ପାଇଁ ୨୦୦୩ ମସିହାରେ ରାଜସ୍ବ ବିଭାଗ ମିସ କେସ ନମ୍ବର ୧୩୯/୨୦୦୩ରେ ରୁଜୁ କରି ତସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ ଅଫିସ ବୁଲି କୋଉଠି ନାଲିକନାରେ ଆବଦ୍ଧ ହୋଇ ରହିଯାଇଛି କାହାରି ପାଖରେ ତଥ୍ୟ ନାହିଁ। ଯାହାକି ଗରିବଙ୍କ ପ୍ରତି ଅମଲାତନ୍ତ୍ରର ଉଦ୍ଦେଶ୍ୟମୂଳକ, ବେପରୁଆ ମନୋବୃତି ତଥା ଅବହେଳା ଜଳ ଜଳ ହୋଇ ବାରି ହୋଇଯାଉଛି।

ଏହି ସମୟ ମଧ୍ୟରେ କଣ୍ଟାମାଳ ତସିଲଦାର, ବୌଦ୍ଧ ଉପଜିଲ୍ଲାପାଳ, ଜିଲ୍ଲାପାଳ, ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜ୍ୟପାଳ ଏପରିକି ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ରାଷ୍ଟ୍ରପତିଙ୍କ ଠାରେ ଅଭିଯୋଗ କରିସାରିଲେଣି। ସଭିଏଁ ଏହି ଘଟଣାର ସରଜମିନ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୌଦ୍ଧ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ହେଲେ ଜିଲ୍ଲାପାଳ ଏହା ଉପରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଏଯାଏଁ ଜଣା ପଡୁନାହିଁ। ୧୯୮୦ ମସିହାରୁ ଜବର ଦଖଲ ହୋଇଥିବା ଏହି ୧୦ ଡ଼ିସିମିଲ ଗୋଚର କିସମ ଜମି ରେକର୍ଡ ହେବା ଅସମ୍ଭବ ନୁହେଁ, କାରଣ ଏହି ପ୍ଲଟ ସଂଲଗ୍ନ ୮୪, ୮୭, ୯୦, ୯୩, ୯୪, ୧୨୫, ୧୨୬ ଆଦି ପ୍ଲଟ ଗୁଡିକ ଗୋଚରରୁ ଘରବାରୀକୁ ପୂର୍ବରୁ ପରିବର୍ତ୍ତିତ ହୋଇସାରିଛି।

ଆହୁରି ମଧ୍ୟ ଏହି ଦେଉଳଡୁଙ୍ଗୁରି ମୌଜାରେ ଏହି ପ୍ଲଟ ଗୁଡିକ ଛଡ଼ା ୧୭୦ ନମ୍ବର ଖାତାରେ ଥିବା ୧୪ ଏକର ଗୋଚର ଜମିରୁ ଏ୧.୬୨ ଡ଼ିସିମିଲ ଜମିକୁ ବୌଦ୍ଧ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ୨୮/୧୦/୨୦୦୬ରେ ମିସ କେସ ନମ୍ବର ୪/୨୦୦୬ ଡିରିଜର୍ଭସନ ରେ ସଂଶୋଧିତ ହୋଇସାରିଛି। ଏ ସମ୍ପର୍କରେ କଣ୍ଟାମାଳ ତସିଲଦାର ଶ୍ରୀ ଅର୍ଜୁନ ପ୍ରଧାନଙ୍କୁ ପଚାରିବାରୁ ସମ୍ପୃକ୍ତ ମହିଳା ଅଫିସକୁ ଆସିଲେ ଦସ୍ତାବିଜ ଦେଖି ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଜିଲ୍ଲା ପ୍ରଶାସନ ଏହି ନିରୀହ ଗରିବ ବୃଦ୍ଧାଙ୍କୁ ତାଙ୍କର ହକ ପ୍ରଦାନ କରି ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇବାକୁ ସାଧାରଣରେ ଦାବୀ ହେଉଛି।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories