ମୁମ୍ବଇ: କରୋନାର ପ୍ରକୋପ ସରକାରଙ୍କ ସମେତ ସମସ୍ତ ଦେଶବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅନେକ କାର୍ଯ୍ୟ ଠପ୍ ହୋଇଯାଇଛି। ବିଶେଷ କରି ମନୋରଞ୍ଜନ ଶିଳ୍ପ ଉପରେ ଏହାର ଅଧିକ କୁପ୍ରଭାବ ପଡ଼ିଛି। ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହେବା ସତ୍ତେ୍ୱ ମଲ୍ ଓ ସିନେମାହଲ୍ ବନ୍ଦ ରହିଛି। ଯଦ୍ୱାରା ବଲିଉଡ଼ର ଅନେକ ଚଳଚ୍ଚିତ୍ର ନିର୍ମାଣ ସରିଥିଲେ ମଧ୍ୟ ରିଲିଜ୍ ହୋଇପାରୁ ନାହିଁ। ଏଭଳି ପରିସ୍ଥିତିରେ ଫିଲ୍ମଗୁଡ଼ିକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଏହା କୌଣସି ବଡ଼ ଖୁସି ଖବରରୁ କମ୍ ନୁହେଁ। ଅନେକ ବଡ଼ ବଡ଼ ଷ୍ଟାରଙ୍କ ଚଳଚ୍ଚିତ୍ରକୁ ଡିଜ୍ନୀ ପ୍ଲସ୍ ହଟ୍ଷ୍ଟାରରେ ରିଲିଜ୍ କରିବା ପାଇଁ ଧାର୍ଯ୍ୟ କରାଯାଇଛି। ଟ୍ରେଡ଼୍ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ, ‘ଲକ୍ଷ୍ମୀ ବମ୍’, ‘ଭୁଜ୍’, ‘ସଡ଼କ-୨’, ‘ଦିଲ୍ ବେଚାରା’, ‘ଦି ବିଗ୍ ବୁଲ୍’, ‘ଖୁଦା ହାଫିଜ୍’ ଓ ‘ଲୁଟ୍ କେସ୍’ ଆଦି ଚଳଚ୍ଚିତ୍ରକୁ ଡିଜ୍ନୀ ପ୍ଲସ୍ ହଟ୍ଷ୍ଟାରରେ ରିଲିଜ୍ କରାଯିବ। ଏସବୁ ମଧ୍ୟରୁ ସୁଶାନ୍ତ ସିଂହ ରାଜପୁତଙ୍କ ‘ଦିଲ୍ ବେଚାରା’କୁ ଦର୍ଶକେ ପ୍ରଥମେ ଦେଖିବାକୁ ପାଇବେ। ଏ ସମସ୍ତ ଫିଲ୍ମକୁ ଚଳିତ ବର୍ଷ ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ରିଲିଜ୍ କରାଯିବ।



