www.samajalive.in
Wednesday, December 10, 2025
26.1 C
Bhubaneswar

ମରୁଡି ତାଣ୍ଡବରୁ ବଲାଙ୍ଗିରରେ ଚାଷୀ ଆତ୍ମହତ୍ୟା!

ବଲାଙ୍ଗିର: ବଲାଙ୍ଗିର ଜିଲା ତୁରେକେଲା ବ୍ଲକ ଘୁନେଶ ପଞ୍ଚାୟତ ଅନ୍ତର୍ଗତ କାଦୋବେଡା ଗାଁର ୬୦ ବର୍ଷୀୟ ରିଚେକ୍‍ ବନଛୋର ନାମକ ଜଣେ ଚାଷୀ କୀଟନାଶକ ବିଷପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ତାଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣା ସାରା ଜିଲାରେ ଆଲୋଡନ ସୃଷ୍ଟି କରିଛି।

ଘଟଣାରୁ ପ୍ରକାଶ ଯେ, ମୃତ ୬୦ ବର୍ଷୀୟ ରିଚେକ୍‍ ଜଣେ ଦାଦନ ଶ୍ରମିକ ଭାବେ ବର୍ଷର ୬ ମାସ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥାନ୍ତି। କରୋନାର କାୟା ବିସ୍ତାର କଲା ପରେ ସେଠାରୁ ଚାଲି ଆସି ଗାଁରେ ରହୁଥିଲେ। ଘରେ ବସି ରହିବା ଅପେକ୍ଷା ସ୍ଥାନୀୟ ଅଞ୍ଚଳର ଜଣେ ଚାଷୀଙ୍କ ଠାରୁ ପ୍ରାୟ ୫ ଏକର ଚାଷ ଜମିରେ ଚାଷ କରିବା ପାଇଁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଭାଗ ଚାଷୀ ଭାବେ ଚାଷ କରିବାକୁ ଅଣ୍ଟା ଭିଡିଥିଲେ। ଏଥି ପାଇଁ ପୂର୍ବ ପ୍ରସ୍ତୁତି କରି ଉଭୟ ଧାନ ଓ କପା ଚାଷ ପାଇଁ ଦରକାର ମୁତାବକ ଟଙ୍କା ଧାର ଉଧାର(କନ୍ତରିଆ) ଆଣି ଚାଷ କାମ ଜାରି ରଖିଥିଲେ। ଏହା ସହ କପା ଚାଷ ପାଇଁ ମଞ୍ଜି,ସାର ଓ କୀଟ ନାଶକ ଔଷଧ ଉଧାରୀ ଆଣିଥିଲେ। ହେଲେ ଚାଷ ଚିନ୍ତା ତାଙ୍କୁ ଅଡୁଆରେ ପକାଇଥିଲା। ଚଳିତ ବର୍ଷ ଠିକଣା ସମୟରେ ବର୍ଷା ନହେବାରୁ ମରୁଡିର ପଦଧ୍ୱନି ତାଙ୍କୁ ମାନସିକ ଆଘାତ ଦେଇଥିଲା। ଫଳରେ ଉଧାରୀ ଆଣିଥିବା ଟଙ୍କା ସୁଝିବା ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିଲା। ଏହାକୁ ନେଇ ଘରର ଅନ୍ୟ ସଦସ୍ୟମାନେ ତାଙ୍କ ସହ କଥା ହେଲେ ବେଶ ଚୁପ୍‍ ଚାପ୍‍ ରହୁଥିଲେ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି। କନ୍ତରିଆ ଟଙ୍କା ସୁଝିବା କଥାକୁ ନେଇ ଘରେ ପାଟିତୁଣ୍ଡ ହୋଇଥିବା ନେଇ ଅସମର୍ଥିତ ସୂତ୍ରରୁ ପ୍ରକାଶ। ଏହା ପରେ ଗାଁ ଠାରୁ ପ୍ରାୟ ୩ କିମି ଦୂରରେ ଥିବା କପା ଚାଷ ଜମି ଅଭିମୁଖେ ଯାଇଥିଲେ। ସେଠାରେ ସେ କୀଟନାଶକ ବିଷ ପିଇ ଦେଇଥିଲେ।

- Advertisement -

ଏ ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ଆମ୍ବୁଲାନ୍ସକୁ ଫୋନ କରି ଡାକିଥିଲେ। ହେଲେ ଗାଁକୁ ଆମ୍ବୁଲାନ୍ସ ଯାଇପାରିନଥିଲା। ଏହା ପରେ ଏକ ବେସରକାରୀ ଗାଡି ଯୋଗେ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଅବସ୍ଥା ଥିବାରୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶକ୍ରମେ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରଣ କରିଥିଲେ। ହେଲେ ବଲାଙ୍ଗିର ମେଡିକାଲରେ ଉକ୍ତ ୬୦ ବର୍ଷୀୟ ଚାଷୀଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ଗରିବ ଭୂମିହୀନ ଭାଗଚାଷୀ ୬୦ ବର୍ଷୀୟ ରିଚେକ୍‍ଙ୍କ ମୃତ୍ୟୁକୁ ନେଇ ତାଙ୍କ ପୁଅ ପବିତ୍ର ବନଛୋର ମୋର ବାପା ଚିନ୍ତା କରି କରି ଏନ୍ତା ଘଟଣା ହେଇଗଲା ବୋଲି ଗଣମାଧ୍ୟମକୁ ସୂଚନା କହିଛନ୍ତି। ଘରେ ସେଭଳି କୌଣସି ଝଗଡା ହୋଇନଥିଲା। ବରଂ ମୋର ବାପା ଚାଷକେ ନେଇ କରି ବହୁତ ଚିନ୍ତାରେ ଥିଲା ବୋଲି କହିଛନ୍ତି। ସେହିପରି ପୁତୁରା ନୃପରାଜ ବନଛୋର ଚଳିତ ବର୍ଷର ମରୁଡି ପରିସ୍ଥିତି ଯୋଗୁଁ ଏଭଳି ଆମ ପରିବାରରେ ଘଟିଲା ବୋଲି ଅଭିଯୋଗ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ଡାକ୍ତରଖାନା କର୍ତ୍ତୁପକ୍ଷ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ।

ଅନ୍ୟପକ୍ଷରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ପରେ ଟିଟିଲାଗଡ ଉପ ଜିଲାପାଳ ମନୋଜ ସତ୍ୟବାନ ମହାଜନ, ତହସିଲଦାର ଅଶୋକ କୁମାର ମାଝୀ, କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେର, କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର, ତୁରେକେଲା ଆଇଆଇସି କମଲ ଲୋଚନ ବେହେରା, ତୁରେକେଲ ସହ କୃଷି ଅଧିକାରୀ ଭକ୍ତ ଛତ୍ରିଆ, ଟିଟିଲାଗଡ କୃଷି ଅଧିକାରୀ ସୁରେଶ ସାହୁ ଗାଁ ଠାରୁ ପ୍ରାୟ ୩ କିମି ଦୂରରେ ଥିବା କପା ଚାଷ ଜମିକୁ ଯାଇ ସରଜମିନ ତଦନ୍ତ କରିଛନ୍ତି। ଏହା ସହ ଉକ୍ତ ଚାଷୀଙ୍କ ପରିବାର ଲୋକ, ଗାଁ ଲୋକ ତଥା ସ୍ଥାନୀୟ ଲୋକଙ୍କ ଠାରୁ ତଦନ୍ତ କରି ଫେରିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଥିବା ବେଳେ ସାରା ରାଜ୍ୟରେ ମରୁଡି ସ୍ଥିତିକୁ ନେଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ଚଳିତ ବର୍ଷ ପ୍ରଥମ ବୋଲି ଜଣାପଡିଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories