ଜୀବିକା ମିଶନ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଆତ୍ମସାତ ଘଟଣା, ମହିଳା ସଂଘ ପକ୍ଷରୁ ବ୍ୟାଙ୍କ ସମ୍ମୁଖରେ ଧାରଣା
ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତ ଜମାଖାତା ସମେତ ଓଡିଶା ଜୀବିକା ମିଶନର ୩ଟି ପଞ୍ଚାୟତସ୍ତରୀୟ ସଂଘର ଜମାଖାତାରୁ ମୋଟ୍ ୩୮ ଲକ୍ଷ ୨୫ ହଜାର ୯୩୮ଟଙ୍କା ସରକାରୀ ଅର୍ଥ ଆତ୍ମସାତ ହେବା ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏ ସଂପର୍କରେ ପିପିଲି ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥଙ୍କ ଅଭିଯୋଗକୁ ଆଧାର କରି ପିପିଲି ପୁଲିସରେ କେଶ୍ନଂ- ୩୯୨/୨୦୨୧ରେ ଆଇପିସିର ଧାରା ୪୦୯, ୩୪ରେ ବ୍ୟାଙ୍କ କତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ସଂପର୍କରେ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି।
ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଓଡିଶା ଜୀବିକା ମିଶନର ସରସ୍ୱତୀପୁର ପଞ୍ଚାୟତସ୍ତରୀୟ ସଂଘ ଓ ରଥପୁରୁଷୋତ୍ତମପୁର ପଞ୍ଚାୟତସ୍ତରୀୟ ସଂଘ କର୍ମକର୍ତ୍ତା ଓ ସଭ୍ୟାମାନେ ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ଯାଇ ତାଙ୍କ ଜମାଖାତାରୁ ଟଙ୍କା ଆତ୍ମସାତ କରାଯାଇଥିବା ଘଟଣା ସଂପର୍କରେ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ପଚାରିବା ସହ ଟଙ୍କା ଫେରସ୍ତ ଦାବିରେ ବ୍ୟାଙ୍କ ସମ୍ମୁଖରେ ଦୀର୍ଘ ଏକଘଣ୍ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ଏହି ଘଟଣା ସଂପର୍କରେ ବ୍ୟାଙ୍କର ଜୋନାଲ କାର୍ଯ୍ୟାଳୟକୁ ଅବଗତ କରାଯାଇଥିବା ଓ ଘଟଣାର ଅନୁସନ୍ଧାନ ଚାଲିଥିବା ସଂପର୍କରେ ବ୍ୟାଙ୍କ ଶାଖା ପରିଚାଳକ ସେମାନଙ୍କୁ କହିବା ପରେ ମହିଳାମାନେ ଶାନ୍ତ ପଡିଥିଲେ। ଉକ୍ତ ବ୍ୟାଙ୍କରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ପଞ୍ଚଦଶ ରାଜ୍ୟ ଅର୍ଥ କମିଶନ (ଏସ୍ଏଫ୍ସି) ଜମାଖାତାରୁ ୮ ଲକ୍ଷ ୧୫ ହଜାର ୪୦୪ ଟଙ୍କା, ଓଡିଶା ଜୀବିକା ମିଶନର ସରସ୍ୱତୀପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୧୫ଲକ୍ଷ ୩୬ ହଜାର ଟଙ୍କା, ଯଶୁଆପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୭ଲକ୍ଷ ୭୯ହଜାର ୫୩୪ ଟଙ୍କା, ରଥପୁରୁଷୋତ୍ତମପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୧ ଲକ୍ଷ ୯୫ ହଜାର ଟଙ୍କା ଓ ସିଆଇଏଫ୍ ଆକାଉଣ୍ଟରୁ ୫ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ନେଇ ଅଭିଯୋଗ ହୋଇଛି।
ଉପଭୋକ୍ତାଙ୍କ ସଞ୍ଚୟ ଖାତାରୁ ଟଙ୍କା ଆତ୍ମସାତ ଅଭିଯୋଗ
ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର କେତେକ ଗ୍ରାହକଙ୍କ ସଞ୍ଚୟ ଖାତାରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଥିବା ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ରୂପଦେଇପୁର ପଞ୍ଚାୟତ ଅନ୍ତର୍ଗତ ବଉଳଚଉକା ଗ୍ରାମର ତ୍ରିଲୋଚନ ସାହୁଙ୍କ ସଞ୍ଚୟଖାତାରୁ ୩ଲକ୍ଷ ୩୦ ହଜାର ୨୭୧ଟଙ୍କା ଗାଏବ ହୋଇଯାଇଥିବା ସଂପର୍କରେ ପୁଲିସରେ ଲିଖିତ ଅଭିଯୋଗ ହୋଇଛି। ସଞ୍ଚୟଖାତାକୁ ଅପ୍ଡେଟ୍ କରିବା ସମୟରେ ଗତକାଲି ତ୍ରିଲୋଚନ ଏହା ଜାଣିବା ପରେ ତାଙ୍କ ହୋସ୍ ଉଡିଯାଇଥିଲା। ସେହିପରି ରଥପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ନାଲିଅଣା ଗ୍ରାମର ଲକ୍ଷ୍ମୀଧର ବେହେରା ଓ ଭଗବାନ ବେହେରାଙ୍କ ଯୁଗ୍ମନାମରେ ଥିବା ସଞ୍ଚୟଖାତାରୁ ଗତ ମାର୍ଚ୍ଚ ୧୯ ତାରିଖରେ ୧ଲକ୍ଷ ୮୯ହଜାର ୩୬୩ ଟଙ୍କା ଗାଏବ ହୋଇଯାଇଛି। ସେହି ସଞ୍ଚୟଖାତାରେ ଗତ ଅପ୍ରେଲ ୨୦ ତାରିଖରେ ୪୯ହଜାର ଟଙ୍କା ଜମା କରାଯାଇଥିଲେ ମଧ୍ୟ ତାହା ସଞ୍ଚୟଖାତାକୁ ଉଠିନଥିବା ସଂପର୍କରେ ଉଭୟେ ଆଜି ବ୍ୟାଙ୍କ ଶାଖା ପରିଚାଳକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ ଉକ୍ତ ନାଲିଅଣା ଗ୍ରାମର କେଳୁଚରଣ ଦାସ ଉକ୍ତ ବ୍ୟାଙ୍କ ଶାଖାରେ ଥିବା ନିଜ ସଞ୍ଚୟ ଖାତାରେ ଗତ ଅପ୍ରେଲ ୨୦ ତାରିଖରେ ୧ଲକ୍ଷ ୩୧ ହଜାର ଟଙ୍କା ଜମା କରିଥିଲେ ମଧ୍ୟ ତାହା ସଞ୍ଚୟଖାତାକୁ ଉଠିନଥିବା ସଂପର୍କରେ ଆଜି ସେ ବ୍ୟାଙ୍କରେ ଲିଖିତ ଅଭିଯୋଗ କରିଛନ୍ତି। ସଞ୍ଚୟଖାତାରୁ ଟଙ୍କା ଗାଏବ ହେବା ସଂପର୍କରେ ପ୍ରଚାର ହୋଇଯିବା ପରେ ଆଜି ଶତାଧିକ ଗ୍ରାହକ ନିଜ ନିଜର ସଞ୍ଚୟଖାତାକୁ ଅପ୍ଡେଟ୍ କରିବା ପାଇଁ ଉକ୍ତ ବ୍ୟାଙ୍କ ଶାଖାରେ ଭିଡ ଜମାଇଥିବା ପରିଲକ୍ଷିତ ହୋଇଥିଲା। ମାସ ମାସ ଧରି ଉକ୍ତ ବ୍ୟାଙ୍କ ଶାଖାରେ ଗ୍ରାହକଙ୍କ ସଞ୍ଚୟଖାତାକୁ ଅପ୍ଡେଟ କରାଯାଉନଥିବା କିମ୍ବା ବ୍ୟାଙ୍କ ଷ୍ଟେଟ୍ମେଣ୍ଟ ଦିଆଯାଉନଥିବା ସଂପର୍କରେ ଅନେକ ଗ୍ରାହକ ଅଭିଯୋଗ କରିଛନ୍ତି।
Comments are closed.