ବୌଦ୍ଧ : ବୌଦ୍ଧ ଥାନା ପକ୍ଷରୁ ପାଟଳିପଡା ଗ୍ରାମରେ ଚଢାଉ କରାଯାଇ ଦୁଇଜଣଙ୍କ ଘରୁ ୮୮ କେଜି ଗଞ୍ଜାଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି।
ବୌଦ୍ଧ ଥାନା ପକ୍ଷରୁ ମିଳିଥିବା ସୁଚନା ମୁତାବକ , ପାଟଳିପଡା ଗ୍ରାମରେ ଗଞ୍ଜେଇ ଚାଲାଣ ପାଇଁ ମହଜୁଦ ରଖାଯାଇଥିବା ବିଶ୍ୱସ୍ତ ସୁତ୍ରରୁ ଖବରପାଇ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ଚଢାଉରେ ଗ୍ରାମର କଇରା ମାଝି(୩୦) ନିଜ ଘରେ ୪ ଗୋଟି ବସ୍ତାରେ ଭର୍ତ୍ତି କରି ରଖିଥିବା ୮୦ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ସେହିପରି ଗ୍ରାମର ପଞ୍ଚାନନ ନାୟକ (୪୦)ଙ୍କ ଘରୁ ଗୋଟିଏ ବସ୍ତାରେ ମହଜୁଦଥିବା ୮ କିଲୋ ୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ପୁଲିସ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରିବା ସମୁଦାୟ ୮୮ କିଲୋ ୬୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ବୌଦ୍ଧ ଥାନା ଅଧିକାରୀ ତପସ୍ପନୀ କହଁରଙ୍କୁ ପଜାରିବାରୁ ଥାନା କେସ ନଂ ୨୩୪/୨୦ ଓ ୨୩୫/୨୦ ରେ ଦୁଇଟି ମାମଲା କରାଯାଇଥିବା ପ୍ରକାଶ କରିଛନ୍ତି।
ତେବେ ଲକଡାଉନ ସମୟରେ ଜିଲାରେ ବ୍ୟାପକ ଗଞ୍ଜେଇ କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହେଉଥିବାବେଳେ ବର୍ତମାନ ଅମଳ ସମୟ ହୋଇଥିବାରୁ ପୁଲିସ ପକ୍ଷରୁ ଗଞ୍ଜେଇ କାରବାର ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ବିଶେଷ ଭାବରେ ଜିଲାର କଣ୍ଟାମାଳ ଓ ମନମୁଣ୍ଡା ଥାନା ଅଞ୍ଚଳ ବେଆଇନ ଗଞ୍ଜେଇ କାରବାର ପାଇଁ କୁଖ୍ୟାତି ଅର୍ଜନ କରିଥିବାବେଳେ ଏଠାରେ ପୁଲିସ ବିଭାଗର କର୍ମଚାରୀମାନେ ମଧ୍ୟ ଏହି କାରବାର ସହ ସଂପୃକ୍ତ ଥିବା ଅଭିଯୋଗ ହେଉଅଛି। ତେଣୁ ଏକ ସ୍ପେଶାଲ ସ୍କ୍ୱାଡ ଗଠନ କରାଯାଇ ଏହି ବେଆଇନ କାରବାର ଉପରେ ଅଙ୍କୁଶ ନଲାଗିଲେ ଜିଲାରେ ଅପରାଧିକ କାର୍ଯ୍ୟକଳାପ ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି।



