ବଳଙ୍ଗା: ପୁରୀ ଜିଲ୍ଲା ବଳଙ୍ଗାରେ ସାପ୍ତାହିକ ହାଟ ଉପରେ ଥାନା ଅଧୀନସ୍ଥ ୧୦ଟି ପଞ୍ଚାୟତର ଚାଷୀ ଓ ଖାଉଟି ନିର୍ଭର କରିଥାନ୍ତି। କରୋନା ସତର୍କତା ନିମନ୍ତେ ହାଟ ବନ୍ଦ କରିଦିଆଯାଇ ପ୍ରତ୍ୟହ ସକାଳ ୬ ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରସାଶନ ଦ୍ଵାରା ନିର୍ଦ୍ଧାରିତ ଅତ୍ୟାବଶ୍ୟକ ଜିନିଷ ଦୋକାନ ଖୋଲା ରହିଥାଏ। ପିପିଲି ବ୍ଲକ ଅଧିନସ୍ଥ ଦାନଗହୀର ଗ୍ରାମରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସମ୍ପୃକ୍ତ ଗ୍ରାମ ଏବଂ ଅନ୍ୟ ଦୁଇଟି ଗ୍ରାମକୁ ସଟଡାଉନ୍ କରିଦିଆଯାଇଛି। ପିପିଲି ବ୍ଲକ ଅଧିନସ୍ଥ ୪ଟି ପଞ୍ଚାୟତ ବଳଙ୍ଗା ଥାନା ଅଧୀନରେ ରହିବା ସହିତ ବଳଙ୍ଗା ସହିତ ସଂଲଗ୍ନ ଥିବାରୁ ଜନସାଧାରଣ ଭୟଭୀତ ହୋଇପଡିଛନ୍ତି। ଲକଡାଉନ ସତ୍ତ୍ବେ ଗତ ବୁଧବାର ହାଟରେ ସାମାଜିକ ଦୁରତା ରକ୍ଷା ନିମନ୍ତେ ପ୍ରଶାସନ ପାଇଁ କଷ୍ଟକର ହୋଇପଡିଥିଲା। ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି ପ୍ରଶାସନ ନିଷ୍ପତ୍ତି କ୍ରମେ ରବିବାର ଓ ସୋମବାର ବଜାର ହାଟ ବନ୍ଦ କରିଦିଆଯାଇଛି। ସବୁଆଡେ ଜନଶୂନ୍ୟ ହୋଇ ପଡିଥିବା ବେଳେ କେବଳ ପୁଲିସମାନେ ପଇଁତରା ମାରୁଥିବା ଦେଖାଯାଉଛି। ଅଘୋଷିତ ସଟଡାଉନ୍ ଦେଖିବାକୁ ମିଳିଛି। ଏହାର ସିଧାସଳଖ ପ୍ରଭାବ ଚାଷୀ ମାନଙ୍କ ଉପରେ ପଡିଛି। ଅଳ୍ପ କିଛି ବ୍ୟବସାୟୀ ବିଲ ମୁଣ୍ଡରୁ ପନିପରିବା କ୍ରୟ କରିଥିବା ବେଳେ ଅନେକ ଚାଷୀ ଗାଁ ଗାଁ ବୁଲି ଖୁବ୍ କମ୍ ମୂଲ୍ୟରେ ଖାଉଟିଙ୍କୁ ପରିବା ଯାଚି ଦେଉଥିବାର ଦେଖିବାକୁ ମିଳୁଛି। ଥାନା ଆଇଆଇସି ସଞ୍ଜୀବ କୁମାର ପ୍ରଧାନ ଏବଂ ପୁଲିସ କର୍ମଚାରୀ ଏକ ସତର୍କ ସୁଚକ ଗାଡି ଦ୍ଵାରା ବିଭିନ୍ନ ଗାଁ ଗାଁ ଜନସାଧାରଣଙ୍କୁ ଘରେ ରହି କରୋନା ସହିତ ଲଢିବା ପାଇଁ ପରାମର୍ଶ ଦେଉଥିବା ଦେଖାଯାଇଥିଲା।



